ଭୁବନେଶ୍ୱର: ମହିଳା ହିଂସାରେ ଓଡ଼ିଶା ଏକ ନମ୍ବର ବୋଲି ଏନ୍‌ସିଆର୍‌ବି ତଥ୍ୟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଥିବା ବେଳେ ଗତକାଲି ସନ୍ଧ୍ୟାରେ ରାଜଧାନୀରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଖାରବେଳନଗର ଥାନା ଶାସ୍ତ୍ରୀନଗରରେ ସନ୍ଧ୍ୟା ବେଳଟାରେ ଜଣେ ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଅନନ୍ତ ନାରାୟଣ ନାଥଙ୍କ ସ୍ତ୍ରୀ ଶୁଭଶ୍ରୀ ମହାପାତ୍ର(୨୫)। ଶୁଭଶ୍ରୀ ଘରେ ଏକାକୀ ଥିବା ବେଳେ କେହି ଦୁର୍ବୃତ୍ତ ଘରେ ପଶି ରଶି‌ରେ ବେକକୁ ଚାପି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ୩ ବର୍ଷର ପୁଅକୁ ଟ୍ୟୁସନ୍‌ରେ ଛାଡ଼ି ଘରକୁ ଫେରିଥିବା ଶୁଭଶ୍ରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ପଛରେ ବଡ଼ଧରଣର ରହସ୍ୟ ଛପି ରହିଛି ବୋଲି ସ୍ପଷ୍ଟ ହୋଇଛି।

Advertisment

ଘର ଭିତରେ ଲୁଟ୍‌ପାଟ୍‌ର କୌଣସି ଚିହ୍ନବର୍ଣ୍ଣ ନଥିବାରୁ ହତ୍ୟାକାରୀ ସୁଚିନ୍ତିତ ଉପାୟରେ ଶୁଭଶ୍ରୀଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଛି। ଦୁର୍ବୃତ୍ତକୁ ଠାବ କରିବାକୁ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି। ପୁଲିସ ଶୁଭଶ୍ରୀଙ୍କ ସ୍ବାମୀ ଅନନ୍ତଙ୍କ ସହ ତାଙ୍କ ମା’ ସନ୍ଧ୍ୟାରାଣୀ ମହାପାତ୍ର, ବାପା ପ୍ରଫୁଲ୍ଲ ମହାପାତ୍ର, ମାମୁ ଧୀରେନ୍‌ ମହାପାତ୍ର ଓ ମାଇଁଙ୍କୁ ପଚରାଉଚରା କରିଛି। ଏଥିସହିତ ପୁଲିସ ପରିବାରର ୪ଟି ମୋବାଇଲ୍‌ ଫୋନ୍‌ ଜବତ କରି କଲ୍‌ ରେକର୍ଡ ଯାଞ୍ଚ ଚଳାଇଛି ଓ ସ୍ବାମୀ ଅନନ୍ତଙ୍କ ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ରୁଜୁକରିଛି।

ସୂଚନାନୁସାରେ ପ୍ରାୟ ୫ ବର୍ଷ ତଳେ ନୟାଗଡ଼ ମାନପୁର ଅଞ୍ଚଳର ଶୁଭଶ୍ରୀ ଜଗତସିଂହପୁର ଅଞ୍ଚଳର ଅନନ୍ତଙ୍କୁ ପ୍ରେମ ବିବାହ କରିଥିଲେ। ଅନନ୍ତ ଇଣ୍ଡିଆନ୍‌ ଅଏଲ୍‌ରେ କାମ କରୁଥିଲେ ଓ ୩ବର୍ଷ ହେଲା ଶୁଭଶ୍ରୀଙ୍କ ସହ ଶାସ୍ତ୍ରୀନଗରରେ ଭଡ଼ା ଘରେ ରହୁଥିଲେ। ସୋମବାର ସନ୍ଧ୍ୟାରେ ଅନନ୍ତ ନିଜ ଘର ଜଗତସିଂହପୁର ଯାଇଥିଲେ ଏବଂ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ବର ଫେରିଥିଲେ। କିନ୍ତୁ ସେ ଶାସ୍ତ୍ରୀନଗର ନଯାଇ ଫରେଷ୍ଟ ପାର୍କସ୍ଥିତ ଏକ ଗେଷ୍ଟ୍‌ହାଉସ୍‌ରେ ଶୌଚ ହେବା ପ‌ରେ ବିମାନବନ୍ଦ‌ର ଯାଇଥିଲେ। ତାଙ୍କର ଜଣେ ସହକର୍ମୀଙ୍କୁ ରିସିଭ୍‌ କରିବାକୁ ସେ ବିମାନବନ୍ଦରରେ ଅପେକ୍ଷା କରିଥିଲେ।

ସନ୍ଧ୍ୟା ପ୍ରାୟ ୭ଟା ବେଳେ ତାଙ୍କ ପୁଅ ଏକ ଭିଡିଓ କଲ୍‌ କରିଥିଲା। ‘ମା’ ଖଟରୁ ଉଠୁନି କି ଡାକିଲେ ଶୁଣୁନି’ ବୋଲି ପୁଅ ଭିଡିଓ କଲ୍‌ କରି ଅନନ୍ତଙ୍କୁ ସମସ୍ତ ଦୃଶ୍ୟ ଦେଖାଇଥିଲା। ବିମାନ ପହଞ୍ଚିବା ସମୟ ପାଖେଇ ଆସୁଥିବାରୁ ଅନନ୍ତ ତାଙ୍କ ପଡ଼ୋଶୀ ଓ ଜଣେ ବନ୍ଧୁଙ୍କୁ ଫୋନ୍‌ କରିଥିଲେ। ପଡ଼ୋଶୀ ଓ ଉକ୍ତ ବନ୍ଧୁ ଶାସ୍ତ୍ରୀନଗରରେ ପହଞ୍ଚି ଶୁଭଶ୍ରୀଙ୍କୁ ସଂଜ୍ଞା‌ହୀନ ଅବସ୍ଥାରେ ଦେଖି ଅନନ୍ତଙ୍କୁ ଜଣାଇଥିଲେ। ପତ୍ନୀ ଗୁରୁତର ଥିବାରୁ ଅନନ୍ତ ଘରକୁ ଚାଲିଆସିଥିଲେ ଓ ଶୁଭଶ୍ରୀଙ୍କୁ କାର୍‌ରେ କ୍ୟାପିଟାଲ ହସ୍ପିଟାଲ୍‌ ନେଇଯାଇଥିଲେ। କିନ୍ତୁ ସେତେବେଳକୁ ଶୁଭଶ୍ରୀଙ୍କ ପ୍ରାଣବାୟୁ ଉଡ଼ିସାରିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଖାରବେଳନଗର ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତଦେହ ପଞ୍ଚନାମା କଲା ବେଳେ ପୁଲିସ ତାଙ୍କ ବେକର ଉଭୟ ପାର୍ଶ୍ବରେ ରଶି ଦାଗ ଦେଖିବାକୁ ପାଇଥିଲା। ସେହିଭଳି ମୁହଁରେ କିଛି ଦାଗ ଦେଖିବାକୁ ମିଳିଥିଲା। ହତ୍ୟା ସନ୍ଦେହ କରି ପୁଲିସ ତୁରନ୍ତ ସାଇଣ୍ଟିଫିକ୍‌ ଟିମ୍‌ ସହ ଘରକୁ ଯାଇ ଛାନ୍‌ଭିନ୍ କରିଥିଲା ଓ ଘର ଭିତରୁ ଏକ ଛୋଟ ରଶି ଜବତ କରିଥିଲା।

ପୁଅ ଟ୍ୟୁସନ୍‌ ଯିବାକୁ ଅପେକ୍ଷା କରିଥିଲା ହତ୍ୟାକାରୀ

ପୂର୍ବ ପ୍ରସ୍ତୁତ ବ୍ଲୁ-ପ୍ରିଣ୍ଟ ଅନୁସାରେ ପୂରା ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଇଛି ଦୁର୍ବୃତ୍ତ। ସନ୍ଧ୍ୟାବେଳେ ପୁଅର ଟ୍ୟୁସନ୍‌ ଯିବା ସମୟ ଏଥିପାଇଁ ପ୍ରକୃଷ୍ଟ ବୋଲି ହତ୍ୟାକାରୀ ଯୋଜନା କରିଥିବା ଜଣାପଡ଼ିଛି। ତେଣୁ ମଙ୍ଗଳବାର ସନ୍ଧ୍ୟା ସାଢ଼େ ୬ଟାରେ ଶୁଭଶ୍ରୀ ପୁଅକୁ ଟ୍ୟୁସନରେ ଛାଡ଼ିଆସିଥିଲେ ଓ ଘରେ ଏକାକୀ ଥିଲେ। ଠିକ୍‌ ଏତିକିବେଳେ ହିଁ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଛି। ପୁଅ ୯ଟାରେ ଘରକୁ ଫେରିବା କଥା, ମାତ୍ର ତାଙ୍କ ଟ୍ୟୁସନ୍‌ ଶିକ୍ଷୟିତ୍ରୀ କୌଣସି କାରଣରୁ ଗତକାଲି ଶୀଘ୍ର ପାଠପଢ଼ା ବନ୍ଦ କରି ପୁଅକୁ ଘରେ ଛାଡ଼ିଦେବାକୁ ଆସିଥିଲେ। ଘର ଖୋଲା ଥିବାରୁ ପୁଅ ଓ ଶିକ୍ଷୟିତ୍ରୀ ସିଧା ଘର ଭିତରକୁ ଯାଇ ଏଭଳି ଅବସ୍ଥା ଦେଖିଥିଲେ।

ଦୁର୍ବୃତ୍ତକୁ ଜାଣିଥିଲେ କି ଶୁଭଶ୍ରୀ?

ଶୁଭଶ୍ରୀ ଘରେ ଏକାକୀ ଥିଲେ। ସନ୍ଧ୍ୟା ସମୟ ହୋଇଥିବାରୁ ସେ ନିଶ୍ଚୟ ଭିତରୁ କବାଟ ବନ୍ଦ କରିଥିବେ। ତେଣୁ ଦୁର୍ବୃତ୍ତ ଘର ଭିତରକୁ ଗଲା କେମିତି? ତେଣୁ ଅନୁମାନ କରାଯାଉଛି ଶୁଭଶ୍ରୀ ତାକୁ ଚିହ୍ନିଥିବାରୁ ସେ ସହଜରେ ଘର ଭିତରକୁ ଯାଇପାରିଛି। ବଡ଼ କଥା ହେଉଛି, ଦୁର୍ବୃତ୍ତ ସମୟ ନଷ୍ଟ କରିବାକୁ ଚାହିନାହିଁ। ଘରେ ପଶିବା ମାତ୍ରେ ଶୁଭଶ୍ରୀଙ୍କୁ ଆକ୍ରମଣ କରିଛି। ସେ ଯେମିତି ପାଟି କରିନପାରିବେ, ସେଥିପାଇଁ ସେ ପଛପଟୁ ତାଙ୍କ ବେକକୁ ରଶି‌‌ରେ ଭିଡ଼ି ଧରିଛି। ଫଳରେ ତାଙ୍କ କ୍ଷୀଣ ଚିତ୍କାର ବାହାରକୁ ଆସିପାରିନାହିଁ କି ପଡ଼ୋଶୀମାନେ ଜାଣିବାର ମଉକା ପାଇନାହାନ୍ତି। ଶୁଭଶ୍ରୀ ଶେଷ ନିଃଶ୍ବାସ ଛାଡ଼ିବା ପ‌ରେ ହିଁ ଦୁର୍ବୃତ୍ତ ଚୁପ୍‌ଚାପ ଘଟଣାସ୍ଥଳରୁ ବାହାରି ଯାଇଛି।

ପରିବାର ସଦସ୍ୟଙ୍କୁ ପଚରାଉଚରା

ଶୁଭଶ୍ରୀଙ୍କ ସ୍ବାମୀ, ବାପା, ମା’, ମାମୁ ଓ ମାଇଁଙ୍କୁ ପୁଲିସ ପଚରାଉଚରା କରିଛି। ପ୍ରେମ ବିବାହ କରିଥିବା ଦମ୍ପତିଙ୍କ ସମ୍ପର୍କ କିଭଳି ଥିଲା ବୋଲି ପୁଲିସ ଜାଣିବାକୁ ଚାହିଛି। ସେମାନେ ପୁଲିସକୁ କି ତଥ୍ୟ ଦେଇଛନ୍ତି, ତାହା ଗୋପନ ରହିଛି। ଏହାବାଦ୍‌ ପୁଲିସ ଶୁଭଶ୍ରୀ ଓ ତାଙ୍କ ସ୍ବାମୀଙ୍କ ମୋବାଇଲ୍‌ କଲ୍‌ ଡିଟେଲ୍ସ୍‌ ମଧ୍ୟ ଯାଞ୍ଚ କରୁଛି।

ଅଧୁରା ରହିଗଲା ପୁଅର ଖଡ଼ିଛୁଆଁ

ରାତି ପାହିଲେ ଗଣେଶ ପୂଜା ଥିଲା। ପୁଅର ଖଡ଼ି ପୂଜା ସବୁ ପ୍ରସ୍ତୁତି ସାରିଥିଲେ ଶୁଭଶ୍ରୀ। ହେଲେ ସବୁ ସ୍ବପ୍ନ ଅଧୁରା ରହିଗଲା। ପୁଅର ଖଡ଼ିଛୁଆଁ ପର୍ବ ଦେଖିବା ପୂର୍ବରୁ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କଲା। ଏଭଳି ହୃଦୟବିଦାରକ ଘଟଣାଟି ଶାସ୍ତ୍ରୀନଗରରେ ଶୋକର ଛାୟା ଖେଳାଇଦେଇଛି। ଅନ୍ୟପକ୍ଷରେ ଏହି ରହସ୍ୟମୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାକୁ ଏବେ ଖାରବେଳନଗର ଥାନା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।