ପିଲାଛୁଆ ଛାଡ଼ି ପଳାଇଥିବା ମହିଳା କାବୁ

ଚୋରି, ଠକେଇ ମାମଲାରେ କୋର୍ଟ ଚାଲାଣ, ପ୍ରେମିକ ଫେରାର୍‌

ଚନ୍ଦ୍ରଶେଖରପୁର: ସାତ ସାତଟି ମହିଳା ଗୋଷ୍ଠୀଙ୍କ ଲକ୍ଷାଧିକ ଋଣ ଟଙ୍କା ହଡ଼ପ କରିବା ସହ ଦୁଇ ଦୁଇଟି ଛୋଟ ଝିଅ ଓ ସ୍ବାମୀଙ୍କୁ ଛାଡ଼ି ପ୍ରେମିକ ସହ ଚମ୍ପଟ ମାରିଥିବା ମହିଳା ଶେଷ‌ରେ ଧରାପଡ଼ିଯାଇଛନ୍ତି। ସାଲିଆସାହି ଏକାମ୍ରବିହାର ବସ୍ତିର ଏହି ମହିଳା ହେଲେ ନନ୍ଦିନୀ ସେଠୀ(୩୦)। ଆଜି ମୈତ୍ରୀବିହାର ଥାନା ପୁଲିସ ନନ୍ଦିନୀଙ୍କୁ ଚୋରି, ଠକେଇ ମାମଲାରେ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। କିନ୍ତୁ ନନ୍ଦିନୀଙ୍କୁ ପ୍ରେମ ଫାଶରେ ଫସାଇ ମହିଳା ଗ୍ରୁପ୍‌ର ଋଣ ଟଙ୍କା ହଡ଼ପ କରିଥିବା ପ୍ରେମିକ ଫେରାର୍ ହୋଇଯାଇଛି। ତାକୁ ଗିରଫ କରିବାକୁ ପୁଲିସ ଚଢ଼ଉ ଜାରି ରହିଛି।
ପୁଲିସ ସୂଚନାନୁସାରେ ଏପ୍ରିଲ୍‌ ୨୩ ତାରିଖ ରାତିରେ ଏକାମ୍ରବିହାର ବସ୍ତିରେ ରହୁଥିବା ଗଞ୍ଜାମ ଦିଗପହଣ୍ଡିର ହିନ ସେଠୀ ମୈତ୍ରୀବିହାର ଥାନାରେ ତାଙ୍କ ସ୍ତ୍ରୀ ନନ୍ଦିନୀ ନିଖୋଜ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ।

ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ ନନ୍ଦିନୀକୁ ନେଇ ଯାଇଥିବା ସନ୍ଦେହ କରି ସେ ଅଭିଯୋଗ କରିଥିଲେ। ଉକ୍ତ ବ୍ୟାଙ୍କ କର୍ମଚାରୀ ତାଙ୍କ ସ୍ତ୍ରୀକୁ ଫସାଇ ନେଇଯିବା ସହ ତାଙ୍କ ଦୁଇ ଦୁଇଟି ଛୋଟ ଝିଅଙ୍କୁ ଅନାଥ କରିଦେଲା ବୋଲି ସେ ଅଭିଯୋଗ କରିଥିଲେ। ହିନଙ୍କ ଅଭିଯୋଗ ପରେ ନନ୍ଦିନୀଙ୍କ ବିରୋଧରେ ଗୋଟିକ ପରେ ଗୋଟିଏ ଅଭିଯୋଗ ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଲା। ନନ୍ଦିନୀଙ୍କ ନିଜ ଭଉଣୀ ଗହଣା ଚୋରି ଅଭିଯୋଗ ଆଣିଲେ। ନନ୍ଦିନୀ ତାଙ୍କର ଲକ୍ଷାଧିକ ଟଙ୍କାର ଗହଣା ଚୋରି କରି ନେଇଛି ବୋଲି ସେ ଥାନାରେ ଅଭିଯୋଗ କରିଥିଲେ। ପରେପରେ ୭ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଆଣିଲେ ସଂଗିନ୍‌ ଅଭିଯୋଗ। ଗ୍ରୁପ୍‌ ଋଣ ବାବଦରେ ନନ୍ଦିନୀ ପ୍ରାୟ ୫ ଲକ୍ଷ ଟଙ୍କା ହଡ଼ପ କରିନେଇଛି ବୋଲି ସେମାନେ ଅଭିଯୋଗ କଲେ। ମୈତ୍ରୀବିହାର ଥାନା ପୁଲିସ ନନ୍ଦିନୀ ଓ ତାଙ୍କ ପ୍ରେମିକର ମୋବାଇଲ୍‌ ଫୋନ୍‌ ଟ୍ରାକ୍‌ କଲା, କିନ୍ତୁ ଦୁଇଟି ଯାକ ଫୋନ୍‌ ସୁଇଚ୍ ଅଫ୍ ହୋଇଯାଇଥିଲା। ଏହା ଭିତରେ ମହିଳା ଗୋଷ୍ଠୀ ନନ୍ଦିନୀକୁ ନିଜ ତରଫରୁ ଖୋଜିବାରେ ଲାଗିପଡ଼ିଥିଲେ। ନନ୍ଦିନୀ ବାଳକାଟି ଚଉଷଠି ଯୋଗୀନି ପୀଠ ଅଞ୍ଚଳରେ ରହୁଥିବା ଖବର ପାଇ ଗତକାଲି ମହିଳାମାନେ ସେହି ଅଞ୍ଚଳରେ ଖୋଜାଖୋଜି କରିଥିଲେ। ତେବେ ମହିଳାମାନଙ୍କୁ ଚିହ୍ନିଥିବା ଧୂର୍ତ୍ତ ପ୍ରେମିକ ଏହା ଜାଣିପାରି ନନ୍ଦିନୀଙ୍କୁ ନ ଜଣାଇ ଏକୁଟିଆ ଚମ୍ପଟ ମାରିଥିଲା। ମହିଳାମାନେ ନନ୍ଦିନୀ ନିକଟରେ ପହଞ୍ଚି ତାକୁ କାବୁ କରି ମୈତ୍ରୀବିହାର ଥାନାକୁ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ନନ୍ଦିନୀ ଏସ୍‌ଏଚ୍‌ଜି ଗ୍ରୁପ୍ କୋ-ଅର୍ଡିନେଟର ଭାବେ ବସ୍ତିରେ କାମ କରୁଥିଲା। ୭ଟି ଗ୍ରୁପ୍‌ରେ ଥିବା ୫୩ ମହିଳାଙ୍କ ନାଁରେ ସେ ଲକ୍ଷାଧିକ ଟଙ୍କାର ଋଣ ମଞ୍ଜୁର କରାଇଥିଲା। ଏଥିରେ ଉକ୍ତ ବ୍ୟାଙ୍କ କର୍ମଚାରୀ ତଥା ନନ୍ଦିନୀର ପ୍ରେମିକ ସହଯୋଗ କରିଥିଲା। ଋଣ ଆଦାୟ ସମୟ ହେବା ପରେ ନନ୍ଦିନୀ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର