ଫାଣ୍ଡିରେ ଜବତ ଗାଡ଼ିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା: ଯୋଜନାବଦ୍ଧ ହତ୍ୟା ପରେ ପ୍ରମାଣ ନଷ୍ଟ!

ଫେବ୍ରୁଆରି ଶେଷ ସପ୍ତାହରେ କାହିଁକି ବଦଳିଥିଲେ ୪ କର୍ମଚାରୀ?

ଭୁବନେଶ୍ବର: ଯାଁଳା ଫାଣ୍ଡିରେ ଜବତ ଗାଡ଼ିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ଦିନ ଯେତିକି ଗଡ଼ୁଛି, ରହସ୍ୟ ସେତିକି ବଢୁଛି। ଫାଣ୍ଡି ଭିତରେ ଜବତ ଗାଡ଼ିର ଲକ୍ ଥିବା ଡୋର୍ ଖୋଲାଯିବା, ମହିଳା ଗାଡ଼ି ଭିତରକୁ ଆସିବା, ତାଙ୍କର ମୃତ୍ୟୁ ହେବା, ଦୀର୍ଘ ମାସ ଧରି କଙ୍କାଳ ଗାଡ଼ି ଭିତରେ ରହିବା, କେହି ନ ଜାଣି ପାରିବା ଏବଂ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। କିନ୍ତୁ ଏହି ସନ୍ଦେହ ଉପରୁ ପୁଲିସ ପରଦା ଉଠାଇ ପାରିନାହିଁ। ସବୁଠୁ ବଡ଼ କଥା ହେଲା; ମୃତଦେହ କଙ୍କାଳ ହୋଇ ଯାଇଥିବାରୁ ପରିଚୟ ମିଳିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ମୁହଁ ନଷ୍ଟ ହୋଇ ଯାଇଥିବାରୁ କେହି ଦାବିଦାର ମଧ୍ୟ ନାହାନ୍ତି। ତେଣୁ ମାମଲାର ରହସ୍ୟ କେବେ ଖୋଲିବ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି।

ଅନ୍ୟପକ୍ଷରେ ପୁଲିସ ଯାଁଳା ଓ ଆଖପାଖ ଅଞ୍ଚଳରେ କଙ୍କାଳର ଉଚ୍ଚତା, ମୃତଦେହରୁ ମିଳିଥିବା ସ୍ବେଟର, ହାତରେ ପିନ୍ଧିଥିବା ମେଟାଲ୍ ଚୁଡ଼ି ସମ୍ପର୍କରେ ପଚରାଉଚରା କରାଯାଇଛି। ତଦନ୍ତକାରୀ ଅଧିକାରୀ ବନିତା ମହାରଣା ଓ ପୁଲିସ ଟିମ୍ ପାଖ ଅଞ୍ଚଳରେ ଥିବା ଗାଁରେ ପଚରାଉଚରା କରିଛି। ନିର୍ମାଣାଧୀନ କୋଠା, ହସ୍ପିଟାଲରେ କାମ କରୁଥିବା କର୍ମଚାରୀଙ୍କ ସମ୍ପର୍କରେ ମଧ୍ୟ ତଥ୍ୟ ହାସଲ କରିଛି। ଗତ କିଛିମାସ ମଧ୍ୟରେ ଫାଣ୍ଡିକୁ ଅଭିଯୋଗ କରିବାକୁ ଆସିଥିବା ମହିଳା କିମ୍ବା ମହିଳାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ମଧ୍ୟ ଖୋଳତାଡ଼ ଜାରି ରଖିଛି ପୁଲିସ। ଏବେ ସୁଦ୍ଧା ପ୍ରାୟ ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଗଲାଣି। କିନ୍ତୁ ପୁଲିସ ହାତରେ ସେମିତି କୌଣସି ସୁରାକ୍ ଲାଗିପାରି ନାହିଁ। ସେହିପରି ମୁହଁ ପୁନର୍ଗଠନ ଫଟୋ (ଫେସ୍ ରିକନଷ୍ଟ୍ରକସନ୍) ଜାରି କରାଗଲେ ପରିଚୟ ମିଳିପାରେ ବୋଲି ଆଶା ରଖିଛି ପୁଲିସ।
ଉଲ୍ଲେଖଯୋଗ୍ୟ ଯେ ଗାଡ଼ି ଭିତରୁ କଙ୍କାଳ ମିଳିବା ଘଟଣା ଫେବ୍ରୁଆରି ୧୨ ତାରିଖରେ ପୁଲିସ ଜାଣିବାକୁ ପାଇଥିଲା। ଫେବ୍ରୁଆରି ଶେଷ ସପ୍ତାହରେ ୪ ଜଣ କର୍ମଚାରୀଙ୍କୁ ବଦଳି କରା ଯାଇଥିଲା। ବଦଳି ପଛର କାରଣ ଜଣାପଡ଼ି ନ ଥିଲେ ବି ଏହାକୁ ନେଇ ନାନା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର