ଖୋଦ୍ ରାଜଧାନୀରେ ଡାକ୍ତରଙ୍କ ଦାୟିତ୍ବହୀନତା : ପେଟରେ ଛାଡ଼ିଦେଲେ ଗଜ୍‌ କପଡ଼ା, ମହିଳାଙ୍କ ଗର୍ଭାଶୟ ନଷ୍ଟ

ଭୁବନେଶ୍ବର: ଅସ୍ତ୍ରୋପଚାର ପରେ ଜନ୍ମ ହେଲା କନ୍ୟାସନ୍ତାନ। ହେଲେ ପେଟରେ ଭୀଷଣ ଯନ୍ତ୍ରଣା ଲାଗି ରହିଲା। ‘ଅପରେସନ ହୋଇଛି, ସେମିତି ଲାଗୁଥିବ, ଆସ୍ତେଆସ୍ତେ ଭଲ ହେଇଯିବ’ ବୋଲି ଅପରେସନ୍‌ କରିଥିବା ଡାକ୍ତର ବୁଝାଇଦେଲେ। କିନ୍ତୁ ଅସହ୍ୟ ହେବାରୁ ଅନ୍ୟ ଏକ ଡାକ୍ତରଖାନାରେ ଦେଖାଇଲେ। ସେଠାରେ ଆଉଥରେ ଅପରେସନ୍‌ କରାଯିବା ପରେ ପେଟ ଭିତରୁ ବାହାରିଲା ଗଜ୍‌ କପଡ଼ା ଓ ଅନ୍ୟ କେତେକ ଆବର୍ଜନା, ଯାହାକୁ ପ୍ରଥମ ଅପରେସନ୍ ବେଳେ ଡାକ୍ତର ପେଟ ଭିତରେ ଛାଡ଼ି ଦେଇଥିଲେ। ଦୁଇଦୁଇଥର ଅପରେସନ୍‌ ପରେ ମହିଳାଜଣଙ୍କ ଅବସ୍ଥା ଏବେ ସଂକଟାପନ୍ନ ହୋଇପଡ଼ିଛି। ଦୀର୍ଘ ଦିନ ଧରି ଗଜ୍‌ କପଡ଼ା ରହି ଯାଇଥିବାରୁ ତାଙ୍କର ଗର୍ଭାଶୟ ନଷ୍ଟ ହୋଇଯାଇଛି। ଅନେକ ଧମନୀ ମଧ୍ୟ ନଷ୍ଟ ହୋଇଛି। ଏଣୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଡାକ୍ତର କହିଛନ୍ତି। ରାଜଧାନୀରେ ଏପରି ଏକ ଘଟଣା ପଦାକୁ ଆସିବା ପରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ମହିଳାଜଣଙ୍କ ହେଲେ, ଝାଡ଼ଖଣ୍ଡ ବାସିନ୍ଦା ଆନନ୍ଦ କୁମାରଙ୍କ ପତ୍ନୀ ପୁଷ୍ପାଞ୍ଜଳି।

ରାଜଧାନୀର ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ଆନନ୍ଦଙ୍କ କହିବା କଥା, ଲକ୍ଷ୍ମୀସାଗରରେ ସେ ଏକ ଭଡ଼ାଘରେ ରୁହନ୍ତି।। ଗତ ମେ’ ୧୬ତାରିଖରେ ପତ୍ନୀ ପୁଷ୍ପାଞ୍ଜଳିଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ନୂଆପଲ୍ଲୀସ୍ଥିତ ଏକ ଘରୋଇ ହସ୍‌ପିଟାଲ‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅସ୍ତ୍ରୋପଚାର ଜରିଆରେ ତାଙ୍କର ଏକ କନ୍ୟାସନ୍ତାନ ଜନ୍ମ ନେଇଥିଲା। କିନ୍ତୁ ଅସ୍ଲେସ୍ତ୍ରୋପଚାର ବେଳେ ଡାକ୍ତର ପେଟରେ ଗଜ୍‌ କପଡ଼ା ଛାଡ଼ି ଦେଇଥିଲେ। ଫଳରେ ଦିନକୁ ଦିନ ତାଙ୍କର ଯନ୍ତ୍ରଣା ବଢ଼ି ଚାଲିଥିଲା। ଗତ ୧୪ ତାରିଖ ରାତିରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା। ଆନନ୍ଦ ଉକ୍ତ ଘରୋଇ ହସ୍‌ପିଟାଲ ସହ ଯୋଗାଯୋଗ କରିଥିଲେ ହେଁ ତାଙ୍କୁ କୌଣସି ସହଯୋଗ ମିଳିନଥିଲା। ତେଣୁ ସେ ପତ୍ନୀଙ୍କୁ ଏମ୍‌ସରେ ଭର୍ତ୍ତି କରାଇଥିଲେ। ସେଠାରେ ଏ ସଂପର୍କରେ ଜଣାପଡ଼ିବା ପରେ ଆନନ୍ଦ ଖଣ୍ଡଗିରି ଓ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର