ମହିଳା ଥାନା ହେବ ଚାଇଲ୍ଡ ଫ୍ରେଣ୍ଡଲି ମଡେଲ ଥାନା: ରହିବ ସ୍ବତନ୍ତ୍ର ଡେସ୍କ, ନିଯୁକ୍ତି ପାଇବେ ତାଲିମପ୍ରାପ୍ତ କର୍ମଚାରୀ

ଶିଶୁଙ୍କୁ ଆକୃଷ୍ଟ କରିବା ଲାଗି କାନ୍ଥବାଡ଼ରେ ଜୀବଜନ୍ତୁ, କାର୍ଟୁନ ଚିତ୍ର, ପ୍ରକୋଷ୍ଠରେ ରହିବ ଖେଳଣା, କଣ୍ଢେଇ

ଭୁବନେଶ୍ବର: ମହିଳା ଥାନା ହେବ ଚାଇଲ୍ଡ ଫ୍ରେଣ୍ଡଲି(ଶିଶୁ ବନ୍ଧୁତ୍ବପୂର୍ଣ୍ଣ) ମଡେଲ ଥାନା। ଶିଶୁମାନଙ୍କ ପାଇଁ ରହିବ ସ୍ବତନ୍ତ୍ର ଡେସ୍କ। ସ୍ବତନ୍ତ୍ର ପ୍ରକୋଷ୍ଠରେ ଶିଶୁମାନଙ୍କ ଲାଗି ରହିବ ଖେଳଣା। ଥାନା କାନ୍ଥବାଡ଼ରେ ଜୀବଜନ୍ତୁଙ୍କ ସହ କାର୍ଟୁନ୍ ଚିତ୍ର ମଧ୍ୟ କରାଯାଉଛି। ସେହି ସ୍ବତନ୍ତ୍ର ଡେସ୍କରେ ବସିବାକୁ ଥିବା ଅଧିକାରୀ ଓ କର୍ମଚାରୀ ନେବେ ସ୍ବତନ୍ତ୍ର ତାଲିମ୍‌। ପ୍ରତି ଥାନାରେ ମହିଳା ଓ ଶିଶୁ ଡେସ୍କ ବ୍ୟବସ୍ଥା ବାଟବଣା ହୋଇଯାଇଥିବା ବେଳେ ଏହା ଉପରେ ସଚେତନତା କରିବା ଲାଗି ଭୁବନେଶ୍ବର ଚାଇଲ୍ଡ ଲାଇନ ପକ୍ଷରୁ ଏଭଳି ଉଦ୍ୟମ ଆରମ୍ଭ ହୋଇଛି। ପ୍ରସ୍ତୁତି ଓ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଖୁବଶୀଘ୍ର ଏହାର ଉଦ୍‌ଘାଟନ କରାଯିବ।

ଚାଇଲ୍ଡ ଲାଇନ ଅଧିକାରୀ ବେଣୁଧର ସେନାପତିଙ୍କ ସୂଚନା ଅନୁସାରେ, ମହିଳା ଏବଂ ଶିଶୁଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ପାଇଁ ୨୦୦୫ରେ ରାଜ୍ୟ ସରକାର ଏକ ଆଇନ ଆଣିଥିଲେ। ପ୍ରତି ଥାନାରେ ମହିଳା ଓ ଶିଶୁ ଡେସ୍କ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରାୟ ସବୁ ଥାନାରେ ଏଥିପାଇଁ ସ୍ବତନ୍ତ୍ର ଡେସ୍କ ଖୋଲିଥିଲା ମଧ୍ୟ। ଉଦ୍ଦେଶ୍ୟ ଥିଲା ଥାନା ଭିତରକୁ ନ ଯାଇ ବି ଏହି ଡେସ୍କରେ ମହିଳା ଓ ଶିଶୁମାନେ ଅଭିଯୋଗ ଓ ସମସ୍ୟା ଦାଖଲ କରିପାରିବେ। ଡେସ୍କରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀ ସ୍ବତନ୍ତ୍ର ତାଲିମ ନେଇଥିବେ। ପିଲାଙ୍କ ଲାଗି ଖେଳଣା ରହିବ, ଉପସ୍ଥିତ କର୍ମଚାରୀମାନେ ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର କରିବେ। ସବୁ ଥାନାରେ ଡେସ୍କ ଖୋଲା ଯାଇଥିଲା ସତ, କିନ୍ତୁ ଅଳ୍ପ କିଛି ଦିନ ଚାଲିବା ପରେ ବାଟବଣା ହୋଇ ଯାଇଥିଲା। ଏହି ଡେସ୍କ ଲକ୍ଷ୍ୟ ପୂରଣ କରିପାରି ନ ଥିଲା।

ଏବେ ମହିଳା ଥାନାକୁ ଚାଇଲ୍ଡ ଫ୍ରେଣ୍ଡଲି ମଡେଲ ଥାନା ଭାବେ ତିଆରି କରାଯାଉଛି। କୌଣସି ସମସ୍ୟାରେ ଫସି ଥାନାକୁ ଆସୁଥିବା ଶିଶୁମାନଙ୍କୁ ଏଠାରେ କାଉନସେଲିଂ କରାଯିବ। ଥାନାକୁ ଆସୁଥିବା ମହିଳାମାନଙ୍କ ସାଙ୍ଗରେ ଆସୁଥିବା ଶିଶୁ ମଧ୍ୟ ଏଠାରେ ଖେଳିବାର ସୁଯୋଗ ପାଇବ। ଅନ୍ୟ ଥାନାର ଅଧିକାରୀମାନେ ଏହି ଥାନାକୁ ଆସି ବୁଲିବାର କାର୍ଯ୍ୟକ୍ରମ ରହିବ। ଏହା ପରେ ସେମାନେ ନିଜ ନିଜ ଥାନାରେ କେମିତି ମହିଳା ଓ ଶିଶୁ ଡେସ୍କକୁ କ୍ରିୟାଶୀଳ କରିବେ, ସେ ନେଇ ଜ୍ଞାନ ଆହରଣ କରିବା ସହ ମଡେଲକୁ ବୁଲି ଦେଖିବେ। କମିସନରେଟ ପୁଲିସ ସହାୟତାରେ ଆରମ୍ଭ ହୋଇଥିବା ଏହି ଚାଇଲ୍ଡ ଫ୍ରେଣ୍ଡଲି ମଡେଲ ଥାନାର ସମସ୍ତ ଖର୍ଚ୍ଚ ଚାଇଲ୍ଡ ଲାଇନ ବହନ କରୁଛି। ଚୂଡ଼ାନ୍ତ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ ପହଞ୍ଚିଥିବା ବେଳେ ୧୫ ଦିନ ଭିତରେ ଏହାକୁ ଉଦ୍‌ଘାଟନ କରାଯିବ। ଏହି ଥାନା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ ବୋଲି କହିଛନ୍ତି ଚାଇଲ୍ଡଲାଇନ୍ ଅଧିକାରୀ ଶ୍ରୀ ସେନାପତି।

ସମ୍ବନ୍ଧିତ ଖବର