ବାଲିପାଟଣା: ଚଳିତ ବର୍ଷ ବର୍ଷା ଚାଷୀଙ୍କ ପାଇଁ ବହୁ ଉପଯୋଗୀ ହୋଇଛି। ରଜ ପରଠାରୁ ଚାଷୀ ଧାନ ରୁଆରେ ମାତିଛନ୍ତି। ଚାଷୀଙ୍କୁ ସହଯୋଗ ପାଇଁ ଆସନ୍ତା ୨୦ ତାରିଖରେ କେନାଲ୍‌ରେ ପାଣି ଛଡ଼ାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଧାନର ସହାୟକ ମୂଲ୍ୟ ବୃଦ୍ଧି ଚାଷୀଙ୍କ ମନୋବଳ ବଢ଼ାଇଛି। ବିଶେଷ କରି ମହିଳା ଶ୍ରମିକଙ୍କ ପାଇଁ ରୋଜଗାରର ବାଟ ଫିଟିଛି। ବାଲିପାଟଣା ବ୍ଲକ୍‌ କୃଷି ଅଧିକାରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ୯୪୪୩ ହେକ୍ଟର ଖରିଫ ଧାନ ଚାଷ ହେବ। ସେଥିପାଇଁ ଓଡିଶା ବିହନ ନିଗମରୁ ୧୨ ସେବା ସମବାୟ ସମିତି ଓ ୧୦ ଡିଲରଙ୍କ ପାଇଁ ୧୧୩୫ କୁଇଣ୍ଟାଲ ଧାନବିହନ ଆସିଥିଲା। ଘରୋଇ ସଂସ୍ଥା ୧ ହଜାର କୁଇଣ୍ଟାଲ ବିହନ ବିକ୍ରି କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୮୦ରୁ ୨୦୦ ହେକ୍ଟର ବୁଣା ଓ ୨୦୦ ହେକ୍ଟର ଖାଲୁଆ ଜମିରେ ଧାନ ରୁଆ ହୋଇଛି। ଏବେ ବର୍ଷା ଓ କେନାଲ ପାଣି ଆଶାରେ ଚାଷୀ ରୁଆ ପୋତା କାମରେ ଲାଗି ପଡ଼ିଛନ୍ତି। ସରାଟର ଚାଷୀ ବୈରାଗୀ ସାହୁ , ଉମାକାନ୍ତ ସାହାଣୀ, ନାରାୟଣ ଖଟେଇ କହିଛନ୍ତି, ଧାନ ରୁଆ ପାଇଁ ଉପଯୁକ୍ତ ପାଣିପାଗ ହୋଇଛି। ହେଲେ ପାଣି ସଙ୍କଟ ଚାଷୀଙ୍କୁ ଚିନ୍ତାରେ ପକାଇଛି।

Advertisment

ପ୍ରତି ବର୍ଷ ଜୁଲାଇ ୧୫ ସୁଦ୍ଧା କେନାଲରେ ପାଣି ଛଡ଼ାଯାଇଥାଏ। ଚଳିତ ବର୍ଷ ବିଭିନ୍ନ କେନାଲରେ ପୁନରୁଦ୍ଧାର କାମ ଚାଲିଥିବାରୁ ସାମାନ୍ୟ ବିଳମ୍ବ ହୋଇଛି। ଜୁଲାଇ ୨୦ରେ କେନାଲ ପାଣି ଛଡ଼ାଯିବ ବୋଲି ବାଲିପାଟଣା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ଭୋଇ କହିଛନ୍ତି। କେନାଲ ପାଣି ଉପରେ ଅଧିକାଂଶ ଅଞ୍ଚଳର ଚାଷୀମାନେ ନିର୍ଭର କରନ୍ତି। ଚଳିତ ବର୍ଷ ମୌସୁମୀ ଠିକ୍‌ ରହିଲେ ଭଲ ଅମଳ ହେବ ବୋଲି ଚାଷୀ ଆଶା ବାନ୍ଧିଛନ୍ତି।