ଏକାମ୍ର କ୍ଷେତ୍ର ବାଇ-ଲ’ ବିବାଦ: ସେବାୟତଙ୍କୁ ଆଇନ ବୁଝାଇଲେ ଅପରାଜିତା

ଭୁବନେଶ୍ବର: ଏକାମ୍ରକ୍ଷେତ୍ରରେ ଲାଗୁ ହେବାକୁ ଥିବା ଏନ୍‌ଏମ୍‌ଏ ବାଇ-ଲ’କୁ ନେଇ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। ବାଇ-ଲ’ ପ୍ରତ୍ୟାହାର କରିବା ଦାବି ବିଭିନ୍ନ ମହଲରୁ ହୋଇଆସୁଛି। ତେବେ ଏଭଳି ସମୟରେ ଭୁବନେଶ୍ବର ସାଂସଦ ଅପରାଜିତା ‌ଷଡ଼ଙ୍ଗୀ ଆଜି କିଛି ସେବାୟତମାନଙ୍କୁ ନେଇ ଏହି ବାଇ-ଲ’ ବାବଦରେ ଆଲୋଚନା କରିଛନ୍ତି। ଆକ୍ଟ ଓ ବାଇ-ଲ’ ମଧ୍ୟରେ ଥିବା ପାର୍ଥକ୍ୟ ବୁଝାଇଛନ୍ତି।
ଆଜି ପଳାସପଲ୍ଲୀସ୍ଥିତ ସାଂସଦଙ୍କ କାର୍ଯ୍ୟାଳୟରେ ବିଭିନ୍ନ ସେବାୟତମାନେ ଯୋଗଦେଇ ମତାମତ ଉପସ୍ଥାପନ କରିଥିଲେ। ସେମାନଙ୍କୁ ବୁଝାଇବାକୁ ଯାଇ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ ୧୯୯୨ଜୁନ୍‌ ୧୬ ପୂର୍ବରୁ କଟକଣା ପରିସରରେ ଯେଉଁ ଘର ରହିଛି, ତାହାର ମରାମତି ପାଇଁ ଅନୁମତି ଆବଶ୍ୟକ ନାହିଁ। ଏହା ପରେ ଯେଉଁ ଘର କରାଯିବ, ସେଥିପାଇଁ ରାଜ୍ୟର କ୍ଷମତାପ୍ରାପ୍ତ ଅଧିକାରୀ ତଥା ସଂସ୍କୃତି ବିଭାଗ ନିର୍ଦେଶକଙ୍କୁ ଆବେଦନ କରିବାକୁ ପଡ଼ିବ। ସେଠାରୁ ଅନୁମୋଦନ ମିଳିବା ପରେ ପୁଣି ଏଏସ୍ଆଇ ଓ ଏନ୍‌ଏମ୍‌ଏକୁ ଯିବ।

ସେଠାରୁ ଅନୁ‌ମୋଦନ ମିଳିବା ପରେ ଜଣେ ଘର କରିପାରିବ। ଏକାମ୍ର କ୍ଷେତ୍ରରେ ଏହି ନିୟମ ପୂର୍ବରୁ ଥିଲା, ଏବେ ବି ରହିଛି ବୋଲି ସାଂସଦ ବୁଝାଇଥିଲେ। କୀର୍ତ୍ତିରାଜିର ବିକାଶ ଓ ସଂରକ୍ଷଣ ଆବଶ୍ୟକ। କିନ୍ତୁ ଏହି କାର୍ଯ୍ୟ ନିୟମ ଅନୁସାରେ ହେବାର ଆବଶ୍ୟକତା ରହିଛି। ଭାରତର ସବୁ ଐତିହ୍ୟସ୍ଥଳୀରେ ବାଇ-ଲ’ ଲାଗୁ କରାଯିବାକୁ ୨୦୧୦ ମସିହାରେ ସଂସଦରେ ଆଇନ କରାଯାଇଥିଲା। ଆକ୍ଟ୍‌ର ଊର୍ଦ୍ଧ୍ବରେ ବାଇ-ଲ’ ଯାଇ ପାରିବ ନାହିଁ ବୋଲି ସାଂସଦ ବୁଝାଇଥିଲେ। ରାଜ୍ୟ ସରକାରଙ୍କୁ କଟାକ୍ଷ କରି ସେ କହିଥିଲେ ଯେ ମନ୍ଦିର ନିକଟରୁ ଉଚ୍ଛେଦ ହୋଇଥିବା ସ୍ଥାୟୀ ଜମି ମାଲିକଙ୍କୁ କ୍ଷତିପୂରଣ ଦେବା ସହ ଉଠାଦୋକାନୀଙ୍କ ଥଇଥାନ ଜରୁରୀ। ରାଜ୍ୟ ସରକାର ନିଷିଦ୍ଧାଞ୍ଚଳ ଏବଂ ରେଗୁଲେଟୋରି ଅଞ୍ଚଳରେ କୌଣସି ପ୍ରକଳ୍ପ କରିବା ପୂର୍ବରୁ ଜାତୀୟ ସ୍ମାରକ ପ୍ରାଧିକରଣ ବା ଏନ୍‌ଏମ୍‌ଏ ଏବଂ ଏଏସ୍‌ଆଇଠାରୁ ଆଇନଗତ ଅନୁମତି ନେବା ଜରୁରୀ ଥିଲା। ଆମ୍‌ସାର୍‌ ଆକ୍ଟ୍‌ ୧୯୫୮କୁ ଅଣଦେଖା କରି ଭଙ୍ଗାରୁଜା କରିବା ବେଆଇନ। ପ୍ରାଚୀନ ଐତିହ୍ୟ ଉପରେ କଂକ୍ରିଟ୍‌ ଚଢ଼ାଇବା ଉଚିତ ନୁହେଁ। ପ୍ରାଚୀନ ଐତିହ୍ୟର ସୁରକ୍ଷା ଜରୁରି ବୋଲି ସେ କହିଥିଲେ।

ସାଂସଦଙ୍କ ଏହି ବୈଠକରେ ଉପସ୍ଥିତ ବରିଷ୍ଠ ସେବାୟତ ଭାଗୀରଥି ମହାସୁଆରଙ୍କ କହିବା ଅନୁଯାୟୀ, ୨୦୧୨ ମସିହାର ନିୟମ ଏବେ ରହିଛି। ୨୦୨୧ ମସିହା ନିୟମ ଲାଗୁ ହେବା ସଙ୍କେତ ନାହିଁ। ‌କ୍ଷେତ୍ରବାସୀ ନିଯୋଗର ସଭାପତି ସରୋଜ ମିଶ୍ର କହିଛନ୍ତି, ଏବେ ଯିଏ ଘର କରିବ, ସେ ରାଜ୍ୟର କ୍ଷମତାପ୍ରାପ୍ତ ଅଧିକାରୀ, ଏଏସ୍ଆଇ ଓ ଏନ୍‌ଏମ୍‌ଏ ପାଖରୁ ଅନୁମତି ଆଣି ଘର ନିର୍ମାଣ କରିପାରିବ। କିଛିଟା କଟକଣା ଥିଲେ ବି ଜଣେ ଗୃହ ନିର୍ମାଣ କରିପାରିବ ବୋଲି ସେ ସାଂସଦଙ୍କ କଥାରୁ ବୁଝିଥିବା କହିଛନ୍ତି। ସେବାୟତ ସନତ ମିଶ୍ର କହିଛନ୍ତି ଯେ ଲିଙ୍ଗରାଜଙ୍କ ପାଇଁ ବାଇ-ଲ’ ନାହିଁ। ଏକାମ୍ର କ୍ଷେତ୍ରର ଅନ୍ୟ ୧୨ଟି ମନ୍ଦିର ପାଇଁ ଲାଗୁ ହେବାକୁ ଥିବା ଏହି ବାଇ-ଲ’ ଲାଗି ସମସ୍ତଙ୍କ ମତ ଓ ଅଭିମତ ମଗା ଯାଇଛି। ଭାରତର ସବୁ କୀର୍ତିରାଜିରେ ବାଇ-ଲ’ ଲାଗୁ ହେବ ବୋଲି ୨୦୧୦ ମସିହାରୁ ସଂସଦରେ ଆଇନ ହୋଇସାରିଛି। ଆଜି ଏହି ଆଲୋଚନାରେ ଯୁବ ନେତା ବାବୁ ସିଂ, ଭାଗୀରଥି ମହାସୁଆର, ସଚ୍ଚିକାନ୍ତ ପୂଜାପଣ୍ଡା, ରାଧାନାଥ ମହାପାତ୍ର, ବାବାନ ଚନ୍ଦ୍ର ପଢ଼ିହାରୀ, ସରୋଜ ମିଶ୍ର, ସନତ ମିଶ୍ର, ମଦନ ମୋହନ ପ୍ରଧାନ, ଶିବ ପ୍ରସାଦ ବେହେରା, ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର