ବିଶ୍ବ ପାଳୁଛି ପିତୃ ଦିବସ: ଜରାଶ୍ରମରେ ଗୁମୁରି କାନ୍ଦୁଛି ବାପା

ଭୁବନେଶ୍ବର: ବାପା ସ୍ବର୍ଗଠୁ ବିଶାଳ। ଏହି ପ୍ରାଚୀନ ବିଶ୍ବାସ ଓ ବିଚାରକୁ ନେଇ ପାଳନ କରାଯାଉଛି ବିଶ୍ବ ପିତୃ ଦିବସ। ଜୀବନତମାମ୍ ପିଲାଙ୍କ ଭବିଷ୍ୟତ ପାଇଁ ସମସ୍ତ ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷ କରିଥିବା ବାପାଙ୍କୁ ଏହି ପବିତ୍ର ଦିବସରେ ପୂଜା କରାଯାଏ। ମାତ୍ର ସବୁ ବାପାଙ୍କ ଭାଗ୍ୟରେ ଏସବୁ ନଥାଏ। କିଛି ହତଭାଗ୍ୟ ବାପା ବାରଦୁଆର ହୋଇ ପର ହାତଟେକାକୁ ଚାହିଁ ବଞ୍ଚୁଥିବା ବେଳେ କିଛି ଜରାଶ୍ରମରେ ଗୁମୁରି ଗୁମୁରି କାନ୍ଦୁଛନ୍ତି। ବଡ଼ କଥା ହେଉଛି ମହାନ ଭାରତୀୟ ସଂସ୍କୃତିରେ ବାପାଙ୍କୁ ଜୀବନ୍ତ ଠାକୁରଙ୍କ ସହ ତୁଳନା କରାଯାଉଥିବା ବେଳେ ଆଜି ସେହି ପବିତ୍ର ମାଟି‌ରେ ବୁଢ଼ା ବାପାମାନେ ସେମାନଙ୍କ ସନ୍ତାନସନ୍ତତିଙ୍କ ଦ୍ବାରା ଅଲୋଡ଼ା ଓ ପରିତ୍ୟକ୍ତ।

ବହୁ ବୁଢ଼ା ବାପାମାନେ ଆଜି ଗ୍ୟାରେଜ୍ ଘରେ ଭାଗ୍ୟକୁ ଆଦରି ପଡ଼ିଛନ୍ତି। ନିଜ ପରିଶ୍ରମରେ ଗଢ଼ିଥିବା ସୌଧରେ ରହିବା ସେମାନଙ୍କ ଭାଗ୍ୟରେ ନାହିଁ। ଏମିତି ବହୁ କରୁଣ କାହାଣୀ ରହିଛି, ଯାହା ଆଜିର କଥା ନୁହେଁ। ବ୍ରିଟିଶ ଶାସନ କାଳରୁ ଏହି ପାଶ୍ଚାତ୍ୟ ଅପସଂସ୍କୃତି ଭାରତୀୟ ପବିତ୍ର ସଂସ୍କୃତିର ଚିତ୍ରକୁ ବିକଳାଙ୍ଗ କରିଦେଇଛି। ବ୍ୟାସକବି ଫକୀର ମୋହନ ସେନାପତିଙ୍କ କ୍ଷୁଦ୍ରଗଳ୍ପ ‘ଡାକମୁନ୍‌ସି’ରୁ ଏଭଳି କରୁଣ କାହାଣୀ ଦେଖିବାକୁ ମିଳିଛି। ଆଜି ଦେଶ ତଥା ରାଜ୍ୟରେ ଗଢ଼ିଉଠିଥିବା ଜରାଶ୍ରମରେ ସେଭଳି ଉଦାହରଣ ଅନେକ।

କଟକ ଜିଲ୍ଲା ବାଙ୍କୀ ହାଟି ଗାଁ ଅଞ୍ଚଳର ଶୁକଦେବ ପାଢ଼ୀ। ବୟସ ୭୭ ବର୍ଷ। ଦୀର୍ଘ ୫ବର୍ଷ ହେଲା ରସୁଲଗଡ଼ ଜିଜିପି କଲୋନିସ୍ଥିତ ମୋହିନୀ ପ୍ରମିଳା ଜରାନିବାସରେ ରହୁଛନ୍ତି। ସାଙ୍ଗରେ ରୋଗିଣା ସ୍ତ୍ରୀ ବି ଅଛନ୍ତି ଜରାଶ୍ରମରେ। ଦିନେ ଦୁଇ ଝିଅ ଓ ଗୋଟିଏ ପୁଅକୁ ମଣିଷ କରିବା ପାଇଁ ବେଶ୍ ସଂଘର୍ଷ କରିଥିଲେ। ଗାଁ ଗାଁ ବୁଲି ପୁ‌ରୋହିତ କାମ କରି ସ୍ବଳ୍ପ ରୋଜଗାରରେ ବଡ଼ କଷ୍ଟରେ ପିଲାଙ୍କୁ ବଢ଼ାଇଥି‌ଲେ। ସ୍ବାମୀ-ସ୍ତ୍ରୀ ନିଜ ପେଟକୁ କାଟି ପିଲାଙ୍କୁ ଭୋକ ଦାଉର ଯନ୍ତ୍ରଣା ଦେଇନଥିଲେ। ପରେ ପୂଜାପାଠରୁ ଅର୍ଜିତ ଧନ ଅଣ୍ଟିଲାନି। ତେଣୁ କଲେଜ ଛାତ୍ରାବାସରେ ପୂଜାରୀ ସାଜିଲେ।

ଏମିତି କଷ୍ଟ କରି ଦୁଇ ଝିଅ ଓ ପୁଅକୁ ବାହା କଲେ। ଏବେ ପୁଅ ଝିଅ ସେମାନଙ୍କ ସଂସାରକୁ ନେଇ ଭଲରେ ଅଛନ୍ତି। ଶୁକଦେବ ରୋଗିଣା ସ୍ତ୍ରୀଙ୍କୁ ଧରି ଜରାଶ୍ରମରେ ପଡ଼ିଛନ୍ତି। ଏନେଇ ଶୁକଦେବଙ୍କ କହିବା କଥା ପୁଅ ବାହା ହେବା ପରେ ବଦଳିଗଲା। ବୋହୂ ଭଲ ନପଡ଼ିବାରୁ ପୁଅ ନିଶାସକ୍ତ ହୋଇଗଲା। ବୋହୂ ଘର ଛାଡ଼ିଗଲା। ପୁଅ ନିଶାସକ୍ତ ହୋଇ ସେମାନଙ୍କୁ ପଚାରିଲା ନାହିଁ। ଝିଅମାନେ ତାଙ୍କୁ ପାଖରେ ରଖିବାକୁ ରାଜି ହେଲେ ବି ରୋଗିଣା ମା’କୁ ରଖିବାକୁ ରାଜି ହେଲେ ନାହିଁ।

ସେହିଭଳି ପୁଅ ମା’କୁ ରଖିବ ବୋଲି ରାଜି ହେଲେ ବି ତାଙ୍କୁ ରଖିବାକୁ ଇଛା କଲା ନାହିଁ। ତେଣୁ ବାଧ୍ୟ ହୋଇ ସେମାନେ ଘରଛାଡ଼ି ବାରଦୁଆର ହେଲେ ବୋଲି କହିଛନ୍ତି ଶୁକଦେବ। ଏବେ ଜରାନିବାସ ସେମାନଙ୍କ ଶେଷ ଆଶ୍ରୟସ୍ଥଳ। ପୁଅ ଝିଅମାନେ ଭଲରେ ରହିଥାଆନ୍ତୁ, ଭଗବାନ ସେମାନଙ୍କର କିଛି ଅମଙ୍ଗଳ କରନ୍ତୁ ନାହିଁ ବୋଲି ସ‌େ ସବୁବେଳେ ପ୍ରାର୍ଥନା କରୁଛନ୍ତି ବୋଲି କହିଛନ୍ତି ଶୁକଦେବ। ତେବେ ଭାଗ୍ୟକୁ ନିନ୍ଦା କରି ସ୍ବାମୀ-ସ୍ତ୍ରୀ ଆଜି ବି ଆଖିରୁ ଲୁହ ଗଡ଼ାଉଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର