ଭୁବନେଶ୍ବର: ପାର୍ବଣର ବିଗୁଲ ବାଜିଲେ ଧରାଧାମ ପବିତ୍ର ହୋଇ ଉଠେ। ନୂଆ ଆଶା ସଞ୍ଚାର ହୁଏ। ମା’ ଦୁର୍ଗାଙ୍କ ଆଗମନରେ ମନ ଓ ପ୍ରାଣରେ ଶକ୍ତି ସଞ୍ଚରିଯାଏ। ଲେଖକ ନିଜ ସୃଜନଶୀଳତାକୁ ପତ୍ରିକା ମାଧ୍ୟମରେ ପରଷି ଦିଏ। ଦୁର୍ଗା ପୂଜା ବେଶ୍ ଆଗରୁ ସରଗରମ ହୋଇଉଠେ ପତ୍ରିକା ବଜାର। ଭିନ୍ନ ଲେଖା ଓ ବିଷୟବସ୍ତୁ ସହ ନିଜ ପତ୍ରିକାକୁ ଅନ୍ୟଠାରୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଆରମ୍ଭ ହୁଏ ପ୍ରତିଯୋଗିତା। କିଏ ପ୍ରଚ୍ଛଦକୁ ଗୁରୁତ୍ବ ଦିଏ ତ ଆଉ କିଏ ଲେଖା ଉପରେ। କେହି କେହି ସବୁବର୍ଗର ପାଠକଙ୍କୁ ସନ୍ତୁଷ୍ଟ କରିବାକୁ ବି ଚେଷ୍ଟା କରନ୍ତି। ପାଠକମାନେ ନିଜ ପସନ୍ଦର ପତ୍ରିକା କିଣିବାକୁ ଚାହିଁ ବସିଥାଆନ୍ତି। କିଛି ବ୍ୟକ୍ତି ଦୁର୍ଗା ପୂଜା ସମୟରେ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ପତ୍ରିକା ଉପହାର ଦିଅନ୍ତି। ଏ ଭିତରେ ପତ୍ରିକା ବ୍ୟବସାୟୀମାନେ ବେଶ୍ ଦୁଇ ପଇସା ରୋଜଗାର କରନ୍ତି। କିନ୍ତୁ ଚଳିତବର୍ଷ ଏସବୁରେ ରୋକ୍ ଲଗାଇଛି କରୋନା। ଗତ ୬ ମାସ ହେଲା ପତ୍ରିକା ବଜାରରେ ମାନ୍ଦା ସ୍ଥିତି ଲାଗି ରହିଥିବା ବେଳେ ଏବେ ପୂଜା ପତ୍ରିକା ବଜାରକୁ ନେଇ ବିଶେଷ କିଛି ଆଶା ନାହିଁ ବୋଲି ବ୍ୟବସାୟୀମାନେ କହିଛନ୍ତି। ଗୋଟିଏ ପଟେ ଦେଶ ଓ ରାଜ୍ୟରେ ଆର୍ଥିକ ମାନ୍ଦାବସ୍ଥା ଚାଲିଥିବା ବେଳେ ବିଜ୍ଞାପନ ମିଳିବ କି ନାହିଁ, ସେନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଅନ୍ୟପଟେ କରୋନା ଭୟଙ୍କର ରୂପ ନେଇଥିବା ବେଳେ ଲୋକ କେତେ ପତ୍ରିକା କିଣିବେ କି ନାହିଁ ସେନେଇ ପ୍ରଶ୍ନ ଉଠୁଛି। ଏ ସବୁକୁ ବିଚାରକୁ ନେଲେ ଏଥର ପୂଜା ପତ୍ରିକା ବଜାର ମାନ୍ଦା ରହିବ ବୋଲି ପୂର୍ବାନୁମାନ କରାଯାଉଛି।
ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ଗତ ୩୫ରୁ ୪୦ ବର୍ଷ ଧରି ପତ୍ରିକା ଏବଂ ବିଶେଷକରି ପୂଜା ପତ୍ରିକାର ଚାହିଦା ରହିଆସିଛି। ପୂଜା ସମୟରେ ରାଜଧାନୀରେ ପୂଜା ପତ୍ରିକା ଏକ ବଡ଼ ବଜାର ସୃଷ୍ଟି କରେ। କେବଳ ରାଜଧାନୀରେ ପ୍ରାୟ ୮ରୁ ୧୦ ଲକ୍ଷ ଟଙ୍କାର ବ୍ୟବସାୟ ହୁଏ। ଆଗରୁ ପାଠକଙ୍କର ଅବସର ବିନୋଦନର ଏକମାତ୍ର ମାଧ୍ୟମ ଛାପା କାଗଜ ଥିବା ବେଳେ ଏବେ ଡିଜିଟାଲ୍ ମାଧ୍ୟମ ଅନ୍ୟତମ ବିକଳ୍ପ ହୋଇଛି। ଫଳରେ ଛାପା ପୁସ୍ତିକାର ଚାହିଦା କମିବାରେ ଲାଗିଛି। ଏହାର ପ୍ରଭାବ ପତ୍ରିକା ଉପରେ ବି ପଡ଼ିଛି। କିନ୍ତୁ ଚଳିତବର୍ଷର କରୋନା ମହାମାରୀ ସବୁ ସମୀକରଣକୁ ଭୁଲ୍ ପ୍ରମାଣିତ କରିଦେଇଛି। ଚଳିତ ବର୍ଷ ପୂଜା ପତ୍ରିକା ବଜାର ସମ୍ପୂର୍ଣ୍ଣ ମାନ୍ଦା ରହିବ ଓ ଅଧିକାଂଶ ପତ୍ରିକା ପ୍ରକାଶ ପାଇପାରିବ ନାହିଁ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି।
ବଞ୍ଚିବାର ସଂଘର୍ଷ କାଳରେ ପତ୍ରିକାକୁ ମରିବାକୁ ଦେବିନି
ଏଥର ପୂଜା ପତ୍ରିକା ବଜାର ମାନ୍ଦା ରହିବ ବୋଲି ପ୍ରାୟ ସମସ୍ତେ ଅନୁମାନ କରୁଛନ୍ତି। କିନ୍ତୁ ବଞ୍ଚିବାର ସଂଘର୍ଷ ଭିତରେ ମୁଁ କେବେ ବି ମୋ ପତ୍ରିକା ‘ପକ୍ଷୀଘର’କୁ ମରିବାକୁ ଦେବିନି। ତାକୁ ବଞ୍ଚାଇ ରଖିବି ଓ ପାଠକଙ୍କ ପାଖରେ ପହଞ୍ଚାଇବି। ହୁଏତ ଏଇ ଆର୍ଥିକ ମାନ୍ଦାବସ୍ଥା କାଳରେ ବିଜ୍ଞାପନକୁ ନେଇ ସମସ୍ୟା ଆସିପାରେ। ହେଲେ ପାଠକ ଯେ ପତ୍ରିକା କିଣିବେ ନାହିଁ ଏହି ଧାରଣା ଭୁଲ। ଏଥର ପତ୍ରିକା ବିକ୍ରି ହେବ ଓ ଅନ୍ୟ ବର୍ଷ ଅପେକ୍ଷା ଅଧିକ ବିକ୍ରି ହେବ। କାରଣ ଲୋକମାନେ ଏଥର ଏକ ଖାଲି ସମୟ ପାଇଛନ୍ତି। ଏଣୁ ପତ୍ରିକା ବିକ୍ରି ବଢ଼ିବ। ଅନ୍ୟପଟେ ଖାଲି ସମୟ ପାଇଥିବାରୁ ଲେଖକମାନେ ବି ଭଲ ବିଷୟବସ୍ତୁ ନେଇ ଲେଖା ଦେଇଛନ୍ତି। ପୂର୍ବ ଭଳି ଚଳିତ ବର୍ଷ ମଧ୍ୟ ସମାନ ସଂଖ୍ୟକ ପତ୍ରିକା ଛପା ହେବ। କିନ୍ତୁ ୫୦୦ ପୃଷ୍ଠା ବଦଳରେ ୩୦୦ ପୃଷ୍ଠାର ପତ୍ରିକାଟିଏ ପାଠକଙ୍କୁ ଭେଟି ଦିଆଯିବ।
ବନୋଜ ତ୍ରିପାଠୀ (ସମ୍ପାଦକ, ପକ୍ଷୀଘର)
୫୦% କମ୍ ପତ୍ରିକା ଛପାଯିବ
‘ତୀରତରଙ୍ଗ’ ବିଗତ ୨୫ ବର୍ଷ ଧରି ପାଠକଙ୍କ ପଠନ କ୍ଷୁଧା ମେଣ୍ଟାଇ ଆସୁଛି। ଏଣୁ କରୋନା କାଳରେ ବିଭିନ୍ନ ବାଧା ସତ୍ତ୍ବେ ଏହାକୁ ଛାପିବାର ଦାୟିତ୍ବ ହାତକୁ ନେଇଛୁ। ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବିଜ୍ଞାପନ ଏଥର ମିଳିବ ନାହିଁ। କିନ୍ତୁ ମୋ ନିଜର ମୁଦ୍ରଣ ଓ ବାଇଣ୍ଡିଂର ବ୍ୟବସ୍ଥା ଥିବାରୁ ପତ୍ରିକା ଛାପିବାର ସାହସ କରିପାରୁଛି। ପତ୍ରିକା ବିକ୍ରି ହେବ କି ନାହିଁ, ସେନେଇ ବି ଦ୍ବନ୍ଦ୍ବ ରହିଛି। ପତ୍ରିକାର ମୁଖ୍ୟ ପାଠକ ମଧ୍ୟ ବୟସ୍କ ବା ବୟସ୍କ ବ୍ୟକ୍ତି। କରୋନା ଯୋଗୁଁ ଏମାନଙ୍କୁ ଘର ବାହାରିବାକୁ ମନା କରାଯାଇଛି। ଏଣୁ ପତ୍ରିକା ଏଥର ବିଶେଷ ବିକ୍ରି ହେବ ନାହିଁ ବୋଲି ଅନୁମାନ କରାଯାଉଛି। ଆମେ ମଧ୍ୟ ଅନ୍ୟ ବର୍ଷଗୁଡ଼ିକ ଅପେକ୍ଷା ୫୦% କମ୍ ପତ୍ରିକା ଛାପିବୁ।
ବନ୍ଦନା ମିଶ୍ର (ସମ୍ପାଦିକା, ତୀରତରଙ୍ଗ)
ଛପା ଯିବନି ‘ପଶ୍ଚିମା’ର ପୂଜା ସଂଖ୍ୟା
କରୋନା ମହାମାରୀ ଯୋଗୁଁ ବିଗତ ୩୦ବର୍ଷ ଧରି ଚାଲି ଆସୁଥିବା ପତ୍ରିକା ‘ପଶ୍ଚିମା’ ଚଳିତବର୍ଷ ପୂଜା ବଜାରରେ ଅନୁପସ୍ଥିତ ରହିବ। ବିନା ବିଜ୍ଞାପନରେ ପତ୍ରିକା ଛାପିବା ସମ୍ଭବ ନୁହେଁ। ଅନ୍ୟପଟେ ମାନବ ସମ୍ବଳ ଅଭାବ ଓ ଯୋଗାଯୋଗ ସମସ୍ୟା ଅନ୍ୟତମ କାରଣ। ଯଦି ବି ବିନା ବିଜ୍ଞାପନରେ ଆମେ ପତ୍ରିକା ଛାପିବାକୁ ଚାହିବୁ, ତେବେ ପ୍ରେସ୍ରେ ମେସିନ୍ ମ୍ୟାନ୍, ଡିଟିପି ଅପରେଟର୍ ନାହାନ୍ତି। ଏବେ ବସ୍ ଚଳାଚଳ ସ୍ବାଭାବିକ ହୋଇନଥିବାରୁ ପତ୍ରିକା ବିରତଣରେ ବି ସମସ୍ୟା ଦେଖାଯିବ। ଏଣୁ ଏଭଳି ପରିସ୍ଥିତିରେ ପତ୍ରିକା ଛାପିବା ସମ୍ଭବ ନୁହେଁ।
ଅଶୋକ ମହାନ୍ତି (ସମ୍ପାଦକ, ପଶ୍ଚିମା ପବ୍ଲିକେଶନ)
କରୋନା ଯୋଗୁଁ ବିକ୍ରି ହେବ ନାହିଁ
ପୂର୍ବରୁ କେବଳ ପୂଜା ପତ୍ରିକା ବ୍ୟବସାୟରେ ୪ରୁ ୫ ଲକ୍ଷ ଟଙ୍କାର ବ୍ୟବସାୟ ହେଉଥିଲା। କିନ୍ତୁ ଗତ ୨/୩ ବର୍ଷ ହେଲା ଡିଜିଟାଇଜେସନ୍ ଯୋଗୁଁ ପତ୍ରିକା ବିକ୍ରି ୫୦% କମି ଯାଇଛି। ଚଳିତ ବର୍ଷ କରୋନା ମାହାମାରୀ, ଲକ୍ଡାଉନ୍ ଓ ସଟ୍ଡାଉନ୍ ଯୋଗୁଁ ଏପ୍ରିଲ ମାସରୁ ପତ୍ରିକା ବିଶେଷ ଭାବେ ବିକ୍ରି ହୋଇନାହିଁ। ଏବେ ପୂଜା ଆସୁଛି, କିନ୍ତୁ ଅନେକ ସମ୍ପାଦକ ଏଥର ପତ୍ରିକା ଛାପିବେ ନାହିଁ ବୋଲି ମନା କରିଛନ୍ତି। ଯେଉଁମାନେ ବି ଛାପିବେ, ଏ କରୋନାରେ ସେଗୁଡ଼ିକ ବିକ୍ରି ହେବ କି ନାହିଁ, ଦ୍ବନ୍ଦ୍ବ ସୃଷ୍ଟି ହେଉଛି। ଅକ୍ଟୋବର ୧୫ ଆଡ଼କୁ ପତ୍ରିକା ଦୋକାନକୁ ଆସିଲେ ହିଁ କେତେ ପତ୍ରିକା ବିକ୍ରି ହେବ ଜଣାପଡ଼ିବ।
ନିରଞ୍ଜନ ବେହେରା (ପୁରୁଣା ବସ୍ଷ୍ଟାଣ୍ଡ୍ର ପତ୍ରିକା ବ୍ୟବସାୟୀ)