ଭୁବନେଶ୍ବର: କରୋନା ଭୟ ଏବେ ବି ପ୍ରଶମିତ ହୋଇନାହିଁ। ମାତ୍ର କଟକଣା କୋହଳ ହୋଇଯାଇଛି। ଏହା ଫାଇଦା ନେଇ ପୂଜା ମନସ୍କ ଜନସାଧାରଣ ଧୀରେଧୀରେ ମାର୍କେଟ୍ରେ ଭିଡ଼ ଜମେଇଲେଣି। ସାମାଜିକ ଦୂରତା ନିୟମକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦିଆଯାଇଛି। କରୋନା ନିୟନ୍ତ୍ରଣ ପାଇଁ କିଛି କଟକଣା ଲାଗୁ ହୋଇଥିଲେ ବି ଏସବୁକୁ ଫୁ’ କରି ଉଡ଼େଇ ଦେଇଛନ୍ତି କିଛି ଅମାନିଆ। ସଂପ୍ରତି କରୋନା ଆକ୍ରାନ୍ତଙ୍କ ତାଲିକା ଖସୁଥିବା ଦେଖି ଅନେକଙ୍କ ମନ କୁଣ୍ଢେମୋଟ। ତେବେ ପୂଜା ବଜାରରେ ଯେମିତି ଭିଡ଼ ଜମୁଛି ଏହା ଯେ ଗୋଷ୍ଠୀ ସଂକ୍ରମଣକୁ ପ୍ରୋତ୍ସାହିତ କରୁଛି ଏହି ଆଶଙ୍କାକୁ ମଧ୍ୟ ଏଡ଼ାଇ ହେବ ନାହିଁ। ଏମିତି ସମୟ ନଆସୁ, ପୂଜା ବଜାର ରାଜଧାନୀରେ ପୁଣି ସଂକ୍ରମଣ ମିଟରକୁ ବଢ଼ାଇ ନଦେଉ।
ପୂଜା ଋତୁ ଚାଲିଥିବାରୁ ଭିଡ଼ ଜମିବା ସ୍ବାଭାବିକ। କାହା ମନ ଉପରେ କାହାର ନିୟନ୍ତ୍ରଣ ନାହିଁ। ପ୍ରଶାସନର କାର୍ଯ୍ୟାନୁଷ୍ଠାନ ବିନା ଅନ୍ୟ କୌଣସି ବାଟ ନାହିଁ। କେବଳ ସଚେତନତା ହିଁ ସଂକ୍ରମଣ ବ୍ୟାପିବାରୁ ସହରକୁ ରକ୍ଷା କରିପାରିବ। ମାତ୍ର ରାଜଧାନୀର ପ୍ରମୁଖ ବଜାରମାନଙ୍କରେ ଭିଡ଼ ହିଁ ସୂଚାଇ ଦେଉଛି, ଆଗକୁ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେବ। କିଛି ଦିନ ମଧ୍ୟରେ ହୁ ହୁ ହୋଇ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦୈନିକ ୨ଶହରେ ପହଞ୍ଚିଛି। ଏହା ଏକ ଭଲ ସଙ୍କେତ। ତେବେ ଏହାର ମଉକା ନେଇ ପୁଣି ବଜାରରେ ଭିଡ଼ ଜମାଇବା କେତେ ନିରାପଦ ତାହା ଚିନ୍ତା କରିବାର ବିଷୟ। ଗତ ଶନିବାର ଓ ରବିବାର ରାଜଧାନୀର ଦୁଇ ପ୍ରମୁଖ ବଜାର ଏକ ନମ୍ବର ଓ ଦୁଇ ନମ୍ବର ମାର୍କେଟ୍ରେ ପ୍ରବଳ ଭିଡ଼ ଜମିଥିବାର ଚିତ୍ର ହିଁ ବୟାନ କରି ଦେଉଛି ଲୋକେ କରୋନାକୁ ନେଇ କେତେ ସଚେତନ। ପୁଣି ଆଗକୁ ଗଜଲକ୍ଷ୍ମୀ ପୂଜା ତଥା କୁମାର ପୂର୍ଣ୍ଣିମା ଓ ଦୀପାବଳି ଥିବାରୁ ବଜାରରେ ଭିଡ଼ ଶାନ୍ତ ପଡ଼ିବା ଭଳି ମନେ ହେଉନାହିଁ। ଯଦି ଏବେଠୁ ପ୍ରଶାସନ କଟକଣାକୁ କଡ଼ାକଡ଼ି ନକରେ ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ଆଶଙ୍କା କଲେଣି।
ଏନେଇ ଭେଷଜ ବିଶେଷଜ୍ଞ ଡାକ୍ତର ଇନ୍ଦ୍ରମଣି ଜେନା କହିଛନ୍ତି, ଶୀତ ଦିନେ ରେସ୍ପିରେଟୋରି ଭାଇରସ (ଶ୍ବାସପ୍ରଶ୍ବାସ ସମ୍ବନ୍ଧୀୟ ଭାଇରସ)ର ପ୍ରକୋପ ବେଶି। କରୋନା ଭାଇରସ ଏବେ ବି କୁଆଡ଼େ ଯାଇନାହିଁ। ଯଦି କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି, ସୁରକ୍ଷା ହିଁ ସେଥିପାଇଁ ବିଶେଷ ଉପଯୋଗୀ ହୋଇଛି। ତେଣୁ ସୁରକ୍ଷା ହିଁ ଏକମାତ୍ର ବିକଳ୍ପ। ଯଦି କେହି ଏ ସମୟରେ କୌଣସି କଟକଣାକୁ ନମାନୁଛି ଏହା ଏକ ଅପରାଧ। ଯଦି କେହି ମାସ୍କ ଦ୍ବାରା ନିଜର ନାକ ଓ ମୁହଁ ନ ଘୋଡ଼ାଉଛି ସେ ଅନ୍ୟକୁ ସଂକ୍ରମଣ କରିବାର କାରଣ ସାଜିପାରେ। ତେଣୁ ଏଭଳି ଅମାନିଆଙ୍କୁ ଦେଖିବା ମାତ୍ରେ ସମ୍ପୃକ୍ତ ବ୍ୟକ୍ତିକୁ ଦଣ୍ଡ ବିଧାନ କରାଯିବା ଉଚିତ୍। ଯେଉଁଠାରେ ଲୋକେ ଅମାନିଆ ଭାବେ ନିୟମକୁ ଜଳାଞ୍ଜଳି ଦେଉଛନ୍ତି, ସେଠାରେ ପ୍ରଶାସନ ଏହା ଉପରେ କଡ଼ା ନଜର ରଖିବା ଆବଶ୍ୟକ। କଠୋର ପଦକ୍ଷେପ ନ ନେଲେ କରୋନା ସଂକ୍ରମଣକୁ ପ୍ରଶମିତ କରିବା ଅସମ୍ଭବ ହୋଇପଡ଼ିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/market-bbsr.jpg)