ଲେଖକ ମରିପାରେ, ଲେଖା ନୁହେଁ: ପ୍ରଫୁଲ୍ଲ ସାମଲ

ଗୌରହରି ଦାସଙ୍କ ପୁସ୍ତକ ‘ଆସାମୀ ଓ ଅନ୍ୟାନ୍ୟ ନାଟକ’ ଲୋକାର୍ପିତ

ଖଣ୍ଡଗିରି: କ୍ଷମତାରେ ରହିଥିବା ବ୍ୟକ୍ତି କ୍ଷମତାରୁ ହଟିବା ପରେ ଲୋକଲୋଚନରୁ ଚାଲିଯିବେ। ହେଲେ କବି, ଲେଖକ କେବେ ଲୋକଙ୍କ ପାଖରୁ କିମ୍ବା ମନରୁ ଯିବେ ନାହିଁ। ଓଡ଼ିଆ ଭାଷା ପ୍ରତି ଅବଦାନ ରଖୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୁଏ ନାହିଁ। ଲେଖକ ମରିପାରେ, କିନ୍ତୁ ଲେଖା ନୁହେଁ। ସାହିତ୍ୟିକ ଚିରଅମର ହୋଇ ରହିବେ। ଏଥେନା ବୁକ୍ସ ଦ୍ବାରା ପ୍ରକାଶିତ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ପୁସ୍ତକ ‘ଆସାମୀ ଓ ଅନ୍ୟାନ୍ୟ ନାଟକ’କୁ ଲୋକାର୍ପଣ କରି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଆଜି ଏହା କହିଛନ୍ତି।

ନୂଆପଲ୍ଲୀସ୍ଥିତ ବିଜୁ ନାଟ୍ୟକେନ୍ଦ୍ରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସାମଲ ଆହୁରି କହିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କଠାରୁ ଆଜିର ଲେଖକ ଗୌରହରି ଦାସଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଷାର ପ୍ରଚାରପ୍ରସାର ପାଇଁ ଆଗକୁ ବଢ଼ିଛନ୍ତି। ସାହିତ୍ୟର ଇତିହାସ ଥିବା ପର୍ଯ୍ୟନ୍ତ ଲେଖକଙ୍କ ଲେଖା ଅମର ହୋଇ ରହିଥାଏ। ତେଣୁ ଏପରି ଲେଖା କ୍ଷେତ୍ରରେ ଶ୍ରୀ ଦାସ ଆଗକୁ ବଢ଼ି ଚିରଅମର ହୋଇ ରହିବାର ବାଟ ‌ଫିଟେଇ ଦେଇଛନ୍ତି। ଶ୍ରୀ ଦାସ ବିଗତ ଦିନରେ ବହୁ ପୁରସ୍କାର ପାଇଥିଲେ ମଧ୍ୟ ଆଗାମୀ ଦିନରେ ଜ୍ଞାନପୀଠ ପୁରସ୍କାର ପାଆନ୍ତୁ ବୋଲି ମୁଁ ଆଶା କରୁଛି।

ମୁଖ୍ୟବକ୍ତା ପୂର୍ବତନ ମୁଖ୍ୟ ଶାସନ ସଚିବ ରବିନାରାୟଣ ସେନାପତି କହିଲେ, ଗୌରହରି ଦାସ କେବଳ ଓଡ଼ିଶା କିମ୍ବା ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ନିଜ ଲେଖା ପାଇଁ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ତାଙ୍କ ଲିଖିତ ସମସ୍ତ ପୁସ୍ତକ ପାଠକୀୟ ଆଦୃତ ହୋଇଛି। ଆଶା ତାଙ୍କ ଲେଖା ଆଗକୁ ମଧ୍ୟ ଜାରି ରହୁ ଓ ଓଡ଼ିଶାର ଭାଷା ସ‌ାହିତ୍ୟକୁ ସୁଦୃଢ଼ କରୁ।

ପୁସ୍ତକର ଲେଖକ ଶ୍ରୀ ଦାସ କହିଲେ, ଓଡ଼ିଶାର ଲେଖକମାନେ ଏତେ ଭଲ ଲେଖନ୍ତୁ ଯେ ତାଙ୍କ ପୂର୍ବରୁ ଆଉ କେହି ଲେଖକ ଥିଲେ ବୋଲି ପାଠକମାନେ ଭୁଲି ଯାଆନ୍ତୁ। ଆସାମୀ ଓ ଅନ୍ୟାନ୍ୟ ନାଟକ ପୁସ୍ତକ ସଂପର୍କରେ ସୂଚନା ଦେଇ କହିଲେ ଯେ ପୁସ୍ତକରେ ଥିବା ୩ଟି ନାଟକ ଆସାମୀ, ନୂଆ ଠିକଣା ଓ ମାୟା ଭିନ୍ନଭିନ୍ନ ବିଷୟକୁ ନେଇ ଲେଖା ହୋଇଛି। ପରିସ୍ଥିତିରେ ପଡ଼ି କିପରି ଜଣେ ସାଧାରଣ ମଣିଷ ଆସାମୀ ହୋଇଯାଏ, ନାଟକ ‘ଆସାମୀ’ରେ ତାହା ଚିତ୍ରଣ ହୋଇଥିବା ବେଳେ ‘ନୂଆ ଠିକଣା’ରେ ସରକାରୀ ଯୋଜନାର ବାଟମାରଣା, ସର୍ବସ୍ବାନ୍ତ ସାଧାରଣ ଲୋକ ଓ ସରକାରୀ ଅଧିକାରୀ ମାଲାମାଲ୍‌ ସଂପର୍କରେ ବର୍ଣ୍ଣନା ହୋଇଛି। ସେହିପରି ‘ମାୟା’ରେ ନାରୀର ସମ୍ମୋହନ ଶକ୍ତି ଓ ଛଳନା ଆଚରଣ ବିଷୟରେ ଲେଖାଯାଇଛି। ଶ୍ରୀ ଦାସ ଏହି ପୁସ୍ତକକୁ ଅସୀମ ବସୁ, ଅଜିତ ଦାସ ଓ ବିଜୟ ମହାନ୍ତିଙ୍କ ଭଳି ତିନି ମଞ୍ଚପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଲେଖିଥିବା କହିଥିଲେ। ଏହି ଅବସରରେ ୩ ନାଟକର ନିର୍ଦ୍ଦେଶକ ‌ପବିତ୍ର ମହାନ୍ତି, ସୁବୋଧ ପଟ୍ଟନାୟକ, ଦର୍ପନାରାୟଣ ସେଠୀ ନିଜର ନାଟ୍ୟ ନିର୍ଦ୍ଦେଶନାର ଅନୁଭୂତି କହିଥିଲେ। ଶତାବ୍ଦୀର କଳାକାରର ସମ୍ପାଦକ ଧୀର ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁସ୍ତକର ପ୍ରକାଶକ ରାଜକିଶୋର ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର