ଡିଭାଇଡର୍‌ ଡେଇଁବା ବେଳେ ଯୁବକଙ୍କ ମୃତ୍ୟୁ ଘଟଣା, ରାସ୍ତାରେ ବସିଛି ମୃତ୍ୟୁ ଫାଶ

ଭୁବନେଶ୍ବର: କେଉଁଠି ଥିଲା କେଜାଣି, ଗୋଟିଏ ମୁହୂର୍ତ୍ତରେ ନେଇଗଲା ଜୀବନ। ପରିବା ବିକି ପରିବା ଚଳାଉଥିବା ଯୁବକଙ୍କ ଜୀବନ ଦୀପ ଲିଭିଗଲା। ଅନ୍ଧାର ହୋଇଗଲା ପୂରା ପରିବାର ଭବିଷ୍ୟତ। କିନ୍ତୁ ମୃତ୍ୟୁ ଦୂତ ଯେ ରାସ୍ତା ଉପରେ ଜଗି ବସିଥିଲା ସେ କଥା ଜଣା ନ ଥିଲା ଜଗନ୍ନାଥ ମଲ୍ଲିକଙ୍କୁ। ଡିଭାଇଡର୍ ଡେଇଁ ରାସ୍ତା ପାର ହେଉଥିବା ବେଳେ ଅସାବଧାନତାରୁ ଗୋଡ଼ ଖସି ଯିବାରୁ ବିଛାଇ ହୋଇ ପଡ଼ିଥିବା ବିଦ୍ୟୁତ ତାର ଉପରେ ହାମୁଡ଼େଇ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଜଗନ୍ନାଥଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ମଞ୍ଚେଶ୍ବର ଥାନା ପଳାସୁଣି ଛକରେ ଗତକାଲି ଡିଭାଇଡର୍ ଡେଇଁ ରାସ୍ତା ପାର ହେଉଥିବା ବେଳେ ବିଦ୍ୟୁତ ଆଘାତରୁ ଜଗନ୍ନାଥଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତାଙ୍କ ହାତରେ ବିଦ୍ୟୁତ ଆଘାତର ଚିହ୍ନ ମଧ୍ୟ ରହିଛି। ଜାତୀୟ ରାଜପଥରେ କେମିତି, କେଉଁ ପରିସ୍ଥିତିରେ ଜଗନ୍ନାଥ ବିଦ୍ୟୁତ ଆଘାତର ଶିକାର ହେଲେ, ତାହା ଜାଣିବା ଲାଗି ଆମ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ଯେଉଁ ସ୍ଥିତି ଦେଖିବାକୁ ମିଳିଲା, ତାହା ସାଂଘାତିକ ଥିଲା। ଗତ କିଛି ମାସ ହେଲା ଘଟଣାସ୍ଥଳରେ ଖୁଣ୍ଟ ଉପୁଡି ପଡ଼ିଛି। ଖୁଣ୍ଟ ତଳେ ଥିବା ତାର ବିଛାଡ଼ି ହୋଇରହିଛି। ସେହି ତାର ଲୁହାବାଡ଼କୁ ଛୁଇଁଛି। ବିଦ୍ୟୁତ ସରବରାହ ହେଲେ ପୂରା ଲୁହାବାଡ଼ ଚାର୍ଜ ହେବାର ସମ୍ଭାବନା ରହିଛି। କିନ୍ତୁ ବିଭାଗ ପୂରା ଖାମଖିଆଲି।

ମିଳିଥିବା ସୂଚନା ଅନୁସାରେ, ଜାତୀୟ ରାଜପଥରେ ଲାଗିଥିବା ଲାଇଟ୍ ଏନ୍ଏଚଏଆଇ (ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରାଧିକରଣ) ଅଧୀନରେ ଆସୁଛି। ଏହାର ମରାମତି ଓ ରକ୍ଷଣାବେକ୍ଷଣ କାମ ଏନ୍‌ଏଚ୍‌ଆଇର। ଦୀର୍ଘ ଦିନ ହେଲା ସେହି ସ୍ଥାନରେ ଖୁଣ୍ଟଟି ଉପୁଡ଼ି ପଡ଼ିଛି। ଖୁଣ୍ଟ ତଳେ ଥିବା ବିଦ୍ୟୁତ୍‌ ତାର ବିଛାଡ଼ି ହୋଇପଡ଼ିଛି। ସନ୍ଧ୍ୟା ହେଲେ ଷ୍ଟ୍ରିଟ୍‌ ଲାଇଟ୍ ଜଳିବାରୁ ସେହି ତାରରେ କରେଣ୍ଟ ଆସିଥିବାରୁ ଜଗନ୍ନାଥ ବିଦ୍ୟୁତ ଆଘାତର ଶିକାର ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ସବୁବେଳେ ବିପଦ ରହିଥିବା କୁହାଯାଉଛି। ଏଭଳି ବିପଦପୂର୍ଣ୍ଣ ଭାବେ ଏନ୍ଏଚ୍‌ଏଆଇ କର୍ତ୍ତୃପକ୍ଷ କେମିତି ଖୁଲମଖୁଲା ଭାବେ ବିଦ୍ୟୁତ୍‌ ତାରକୁ ଛାଡ଼ି ଦେଇଛନ୍ତି? ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ପୁଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ? ପୁଲିସ କାହିଁକି ନିରବ ରହିଛି? ପୁଲିସ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ଡିଭାଇଡର୍‌ରେ ରହିଥିବା ବିଦ୍ୟୁତ୍‌ ତାର ଖୁଲମଖୁଲା ଭାବେ ପଡ଼ି ରହିଛି। ଗୋଟିଏ ଅଘଟଣ ଘଟିଲା ପରେ ବି କୌଣସି ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇ ନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି। ଏହି ଘଟଣାରେ ପୁଲିସ କେବଳ ଅପମୃତ୍ୟୁ ମାମଲା ରୁଜୁ କରିଛି ଘଟଣାର ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ମୃତ ଜଗନ୍ନାଥ ମଲ୍ଲିକଙ୍କ ଘର କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ। ସେ ପାଣ୍ଡରାରେ ରହି ପଳାସୁଣୀ ହାଟରେ ପରିବା ବ୍ୟବସାୟ କରନ୍ତି। ଗତକାଲି ସେ ଓ ତାଙ୍କ ପତ୍ନୀ ପଳାସୁଣୀକୁ ଆସିଥିଲେ। ପଳାସୁଣୀ ମଦ ଦୋକାନ ପାଖରୁ ଅପରପାର୍ଶ୍ବକୁ ଡିଭାଇଡର ଡେଇଁ ରାସ୍ତା ପାରି ହେଉଥିଲେ। ଡିଭାଇଡର ଡେଉଁଥିବା ସମୟରେ ତଳେ ପଡ଼ିଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଜଗନ୍ନାଥଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର