ଠାକୁରାଣୀଙ୍କ ପାଇଁ ପଦ୍ମ ତୋଳିବା ବେଳେ ବୁଡ଼ିଗଲେ ଯୁବକ

ତ୍ରିଶୁଳିଆ/ବାରଙ୍ଗ: ଠାକୁରାଣୀଙ୍କ ପାଇଁ ପଦ୍ମ ତୋଳିବା ବେଳେ ନନ୍ଦନକାନନର କାଞ୍ଜିଆ ହ୍ରଦରେ ବୁଡ଼ି ଆଜି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସେ ହେଲେ, ସ୍ଥାନୀୟ ରଘୁନାଥପୁର ଗ୍ରାମର ବିବେକାନନ୍ଦ ରାଉତ (୫୧)। ନନ୍ଦନକାନନ ଥାନା ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ବିବେକାନନ୍ଦଙ୍କ ଘରେ ପତ୍ନୀ ଓ ୧୨ ବର୍ଷର ଏକ ଝିଅ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିବେକାନନ୍ଦ ପ୍ରତିଦିନ ହ୍ରଦରେ ଗାଧୋଇବା ସହ ଠାକୁରାଣୀଙ୍କ ପୂଜା ପାଇଁ ପଦ୍ମଫୁଲ ତୋଳିଥା’ନ୍ତି। ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରସ୍ଥିତ ହ୍ରଦକୂଳରେ ଥିବା ଏକ ଗଛ ମୂଳେ ସେ ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରନ୍ତି। ତେବ‌େ ଆଜି ସକାଳେ ସେ ଫୁଲ ତୋଳିବା ବେଳେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କ ଚିତ୍କାର ଶୁଣି ଏକ ଡଙ୍ଗା ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ। ସେଠାରୁ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ନନ୍ଦନକାନନ ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ବିବେକାନନ୍ଦଙ୍କ ଶବକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲା।

ସୂଚନାଯୋଗ୍ୟ, ବିବେକାନନ୍ଦ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ସେ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ତେଣୁ ତାଙ୍କ ସ୍ଥାନରେ ତାଙ୍କ ପତ୍ନୀଙ୍କୁ ନିଯୁକ୍ତି ଦେବାକୁ ଅଞ୍ଚଳବାସୀ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର