କ୍ଲିନିକ୍‌ରେ ପଶି ଯୁବତୀଙ୍କୁ ମାଡ଼, ଯୁବକ ଗିରଫ

ଭୁବନେଶ୍ବର: ପ୍ରେମରେ ବିଫଳ ହେବାରୁ ଉନ୍ମତ୍ତ କାଣ୍ଡ ଘଟାଇଛି ଜଣେ ବିବାହିତ ଯୁବକ। ପଳାଶୁଣିରେ ଥିବା ଏକ ନର୍ସିଂହୋମ୍‌ରେ ପଶି ଜଣେ ମହିଳା ଲ୍ୟାବ୍‌ ଆସିଷ୍ଟାଣ୍ଟଙ୍କୁ ମାଡ଼ ମାରିଛି। ନର୍ସିଂ ହୋମ୍‌ ମାଲିକ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିବା ସହ ବ୍ୟାପକ ଭଙ୍ଗାରୁଜା କରିଛି। ଏ ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରୁ ଯୁବକକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ବୟାନ ରେକର୍ଡ ହୋଇଛି। ଅଭିଯୁକ୍ତ ହେଉଛି ଖୋର୍ଦ୍ଧାର ମାନସ ସାହୁ। ତାକୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ।

ପୁଲିସ ସୂଚନା ଅନୁଯାୟୀ, ମାନସ ବିବାହିତ ଓ ଦୁଇଟି ସନ୍ତାନର ଜନକ। ତା’ର ଗୋଟିଏ କ୍ଲିନିକ୍‌ ଥିଲା। ସେଠାରେ ପୁରୀ ଜିଲ୍ଲାର ଏହି ଯୁବତୀ ଲାବରଟୋରି ସହାୟିକା ଭାବରେ କାମ କରୁଥିଲେ। ସେତେବେଳେ ମାନସ ତାଙ୍କୁ ପ୍ରେମ ନିବେଦନ କରିଥିଲା। ଚାକିରି ଚାଲିଯିବା ଭୟରେ ଯୁବତୀଜଣକ ମାଲିକର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିନଥିଲେ କିମ୍ବା ହଁ ମଧ୍ୟ କହିନଥିଲେ। କିନ୍ତୁ ମୌନେ ସମ୍ମତି ଲକ୍ଷଣ ଭାବି ମାନସ ଯୁବତୀଙ୍କୁ ନିଜ ପ୍ରେମିକା ମାନି ନେଇଥିଲ‌ା। ଇତିମଧ୍ୟରେ କରୋନା ଯୋଗୁଁ ଉକ୍ତ କ୍ଲିନିକ୍‌ ବନ୍ଦ ହୋଇଯାଇଥିଲା। ଯୁବତୀଜଣକ ସେଠାରୁ କାମ ଛାଡ଼ି ପଳାଶୁଣିରେ ଥିବା ଏହି କ୍ଲିନିକ୍‌ରେ କାମ ଆରମ୍ଭ କରିଥି‌ଲେ। ଏଣେ ମାନସ ଫୋନ୍‌ ପରେ ଫୋନ୍‌ କରି ଚାଲିଥିଲା। ହେଲେ ଯୁବତୀଜଣକ ଫୋନ୍‌ ଉଠାଉନଥିଲେ। ସେ ଆଉ କାହା ପ୍ରେମରେ ପଡ଼ି ଏଭଳି କରୁଥିବା ଭାବି ମାନସ ଆଜି କ୍ଲିନିକ୍‌ରେ ପହଞ୍ଚି ଏଭଳି ଉତ୍ପାତ କରିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରୁ ମାନସକୁ ଗିରଫ କରିଥିଲା। ତେ‌ବେ ଚାକିରି କରୁଥିବା ବେଳେ ଯୁବତୀଜଣକ ଦରମା ବାଦ୍‌ ଆଉ କିଛି ଟଙ୍କା ନେଇଥିବା ମଧ୍ୟ ମାନସ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର