ବାଇକ୍ ସହ ୬୦ ଫୁଟ୍‌ ତଳକୁ ଖସି ପଡ଼ିଲେ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଚନ୍ଦ୍ରଶେଖରପୁର: କଳାଝରୀ ପନ୍ଦରଫୁଙ୍କା ରାସ୍ତାରେ ଗତକାଲି ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯୁବକଜଣଙ୍କ ହେଲେ ରାଜା ବୀରେନ୍ଦ୍ର ମହାପାତ୍ର। ଗତକାଲି ବିଳମ୍ବିତ ରାତିରେ ସେ ଏହି ବନ୍ଧ ରାସ୍ତାରେ ଫେରୁଥିବା ବେଳେ ଗାଡ଼ି ସହ ୬୦ ଫୁଟ୍‌ ତଳକୁ ଖସି ପଡ଼ିଥିଲେ। ସେ ପଙ୍କ ଭିତରେ ଚାପି ହୋଇଯାଇଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲେ। ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି।

ସେ ଜଣେ ସରକାରୀ କର୍ମଚାରୀ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ସପରିବାରେ ରହନ୍ତି। ତେବେ ଏହି ଦୁର୍ଘଟଣା ପାଇଁ ସ୍ଥାନୀୟ ଲୋକେ ବନ୍ଧ ମରାମତି ଓ ସ୍ବେରେଜ୍‌ କାମ କରୁଥିବା ଠିକାଦାରଙ୍କୁ ଦାୟୀ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା, ଦୟାୱେଷ୍ଟ କେନାଲର କଳାଝରୀ, କଳାରାହାଙ୍ଗ, ପିଟିଆ, ରଙ୍ଗମାଟିଆ, ଭୋଟପଡ଼ା ଓ ଚକେଇସିଆଣିର ବିଭିନ୍ନ ସ୍ଥାନରେ ଏବେ ବନ୍ଧ କାର୍ଯ୍ୟ ଚାଲିଛି। ବନ୍ଧରାସ୍ତାରେ ଏକାଧିକ ବିରାଟକାୟ ଗାତ ଖୋଳାଯାଇଛି। ମାତ୍ର ଏହି କାମ କରୁଥିବା ଠିକାଦାର ଗାତ କଡ଼ରେ ବାଡ଼ କିମ୍ବା କୌଣସିପ୍ରକାର ରେଡିୟମ୍‌ ଲଗାଇ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଏଠାରେ ଆଲୋକର ବ୍ୟବସ୍ଥା ନଥିବାରୁ ରାତିରେ ଏହି ରାସ୍ତାରେ ଯାଉଥିବା ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର