ତମ୍ପ କାମୁଡ଼ିବା ପରେ ମନ୍ଦିରରେ ପାଣି ଢାଳି ବିଷ ଛଡ଼ାଉଥିଲା ପୂଜକ, ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲ‌ ଅଣାଗଲା

ଅଳ୍ପକେ ମୃତ୍ୟୁ ମୁହଁରୁ ବର୍ତ୍ତିଗଲେ ଯୁବକ

ଭୁବନେଶ୍ବର: ଜଣେ ଯୁବକକୁ ବିଷଧର ସାପ କାମୁଡ଼ିବା ପରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନ ନେଇ ମନ୍ଦିରକୁ ନେଇଗଲେ। ପୂଜକ ମୁଣ୍ଡରେ ପାଣି ଢାଳି ବିଷ ଛଡ଼ାଇବାକୁ ଲାଗିଲା। ହେଲେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ବାଧ୍ୟ ହୋଇ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଚିକିତ୍ସା କରାଗଲା। ଫଳରେ ଯୁବକଙ୍କ ଜୀବନ ଅଳ୍ପକେ ବର୍ତ୍ତିଗଲା ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବଣିଆଟାଙ୍ଗୀର ଲିପୁ ନାୟକ ଆଜି ମାଛ ଧରିବାକୁ ପୋଖରୀକୁ ଯିବା ବେଳେ ଏକ ତମ୍ପ ସାପ ତାଙ୍କ ଡାହାଣ ଗୋଡ଼ର ଗୋଇଠିକୁ କାମୁଡ଼ି ଦେଇଥିଲା। ଲିପୁ ଘରକୁ ଆସି ଏ ସଂପର୍କରେ କହିବାରୁ ଘର ଲୋକେ ଲିପୁଙ୍କ ଗୋଡ଼ରେ ନଡ଼ାକୁଟାରେ ଏକ ଦଉଡ଼ା ପ୍ରସ୍ତୁତ କରି ବାନ୍ଧି ଦେଇଥିଲେ ଏବଂ ଗାଁରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରକୁ ନେଇ ଯାଇଥିଲେ। ମନ୍ଦିରର ପୂଜାରୀ ଲିପୁଙ୍କୁ ସୁସ୍ଥ କରିବାକୁ ସବୁପ୍ରକାରର ବାହାନା ଆପଣାଇ ଝଡ଼ାଫୁଙ୍କା କଲେ। କୂଅରୁ ପାଣି କାଢ଼ି ତାଙ୍କ ମୁଣ୍ଡରେ ଢାଳି ଚାଲିଲେ। ଦେଖଣାହାରୀ ଓ ପରିବାରଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ମଝିରେ ଦୌଡ଼ିଯାଇ ଠାକୁର ଘର ଭିତରେ ଜୋର୍‌ରେ ଚିତ୍କାର କରିବା ସହ ଶେଷରେ ବିଷ ଝାଡ଼ି ହୋଇଗଲା କହି ନିଜେ ଅଚେତ୍ ହେବାର ଅଭିନୟ କଲେ। ଅପରପଟେ କିନ୍ତୁ ଲିପୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ କ’ଣ, ଓଲଟି ଅଧିକ ବିଗିଡ଼ିବାରେ ଲାଗିଥିଲା। ବାଧ୍ୟ ହୋଇ ତାଙ୍କୁ ପରିବାରଲୋକ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଡାକ୍ତର ଲିପୁର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି ୨୦ଭାଏଲ୍‌ର ଆଣ୍ଟି ସ୍ନେକ୍ ଭେନମ୍ ଇଞ୍ଜେକ୍ସନ ଦେବା ପରେ ଯାଇ ସେ ସାମାନ୍ୟ ସୁସ୍ଥ ଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ଏମ୍ସର ଫୋରେନସିକ ମେଡିସିନ୍‌ ବିଭାଗର ଅତିରିକ୍ତ ପ୍ରଫେସର ଡାକ୍ତର ସୁଦୀପ୍ତ ରଞ୍ଜନ ସିଂହ କହିଛନ୍ତି, ଭୁବନେଶ୍ୱର ଉପକଣ୍ଠରେ ଏଭଳି ଅନ୍ଧବିଶ୍ବାସ ଦୂରୀକରଣ ପାଇଁ ସଚେତନତାର ଆବଶ୍ୟକତା ରହିଛି। ସାପ କାମୁଡ଼ାର ସମସ୍ତ ଉପଚାର ଅର୍ଥାତ୍ ଆଣ୍ଟି ଭେନମ୍ ଏବଂ ଅନ୍ୟାନ୍ୟ ଔଷଧ ମଧ୍ୟ ମାଗଣାରେ ଦେବା ପରେ ମଧ୍ୟ ଏ ପ୍ରକାର କାର୍ଯ୍ୟ ବନ୍ଦ ନହେବା ପରିତାପର ବିଷୟ। ସ୍ନେକ୍‌ ହେଲ୍ପ-ଲାଇନ୍‌ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ସଚେତନତା ଅଭାବରୁ ଏଭଳି ଝଡ଼ାଫୁଙ୍କା ହେଉଛି ବୋଲି କହିବା ଠିକ୍‌ ନୁହେଁ। ବରଂ ଝଡ଼ାଫୁଙ୍କା ଓ ଅନ୍ଧବିଶ୍ବାସକୁ ପ୍ରଶ୍ରୟ ଦେଉଥିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏଭଳି ଘଟଣା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର