ପତ୍ନୀଙ୍କୁ ନିର୍ଯାତନା ଦେଇ ଯୁବକ ଗିରଫ, ସ୍ବାମୀଙ୍କ ବିରୋଧରେ ସଂଗିନ ଅଭିଯୋଗ ଆଣିଲେ ପୀଡ଼ିତା

ପରପୁରୁଷ ସହ ରାତି ବିତାଇବାକୁ ବାଧ୍ୟ କରୁଥିଲା, ନ ମାନିବାରୁ ଚେଙ୍କ ଦେଉଥିଲା, ଲୁହାଛଡ଼ରେ ପିଟୁଥିଲା

ଭୁବନେଶ୍ବର: ଭଲ ପାଇ ବିବାହ କଲେ। ହେଲେ ବିବାହର ୧୦ ବର୍ଷ ପରେ ପରପରୁଷ ସହ ରାତି ବିତାଇବାକୁ କହିଲେ। ରାଜି ନ ହେବାରୁ ଚେଙ୍କ ଦେଲେ, ଲୁହାଛଡ଼ରେ ପିଟିଲେ। ଖାଲି ପିଟିଲେନି, ସମ୍ବେଦନଶୀଳ ଅଙ୍ଗରେ ବିୟର ବୋତଲ ପୂରାଇ ଖଣ୍ଡିଆ କରିଦେଲେ। ସ୍ବାମୀ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ପତ୍ନୀ। ଅଭିଯୋଗକୁ ଆଧାର କରି ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି। ସେ ହେଉଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳର ଚନ୍ଦନ ଆଚାର୍ଯ୍ୟ। ଜେରା ବେଳେ ଚନ୍ଦନ ଅନେକ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଜାଣିବାକୁ ପାଇଛି।

ପୀଡ଼ିତା ମହିଳାଙ୍କ ଅଭିଯୋଗ ମୁତାବକ, ପ୍ରାୟ ୧୦ ବର୍ଷ ତଳେ ଚନ୍ଦନ ତା‌ଙ୍କୁ ଭଲ ପାଇ ବିବାହ କରିବାକୁ ଚ‌ାହିଁଥିଲା। ତେବେ ବିବାହକୁ ନେଇ ଉଭୟଙ୍କ ଘର ଲୋକ ରାଜି ନ ଥିଲେ। ଏଣୁ ଦୁହେଁ କୋର୍ଟରେ ବିବାହ କରିବା ପରେ ଭୁବନେଶ୍ବର ଚାଲି ଆସିଥିଲେ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହି ଚନ୍ଦନ ଅଟୋ ଚଳାଉଥିଲା। ଇତିମଧ୍ୟରେ ସେମାନଙ୍କର ଏକ ଝିଅ ଜନ୍ମ ହୋଇଥିଲା। ୧୦ ବର୍ଷର ବୈବାହିକ ଜୀବନ ଠିକ୍‌ଠାକ୍‌ ଚାଲିଥିଲା। ହେଲେ ୪ ମାସ ତଳେ ସମ୍ପର୍କରେ ଆସିଥିଲା ତିକ୍ତତା। ଚନ୍ଦନ ତାଙ୍କୁ ପରପୁରୁଷ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। ଏଥିରେ ରାଜି ନ ହେବାରୁ ଚନ୍ଦନ ତାଙ୍କୁ ମାଡ଼ ମାରିବା ସହ ଚେଙ୍କ ଦେଇଥିଲା। ତାଙ୍କ ମୋବାଇଲ ଫୋନ୍‌ ଛଡ଼ାଇ ନେବା ସହ ଘରୁ ବାହାରକୁ ବାହାରିବାକୁ ଦେଉ ନ ଥିଲା। ଘର ଭିତରେ ଏକପ୍ରକାର ବନ୍ଦୀ କରି ନିର୍ଯାତନା ଦେଉଥିଲା। ଚେଙ୍କରେ ସାରା ଶରୀରରେ କଳା ଦାଗ ହେବା ସହ କ୍ଷତ ସୃଷ୍ଟି ହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ ମେଡିକାଲ ମଧ୍ୟ ନେଇନଥିଲା ଚନ୍ଦନ। କାହାରିକୁ କହିଲେ କିମ୍ବା ଅଭିଯୋଗ କଲେ ଏସିଡ୍‌ ପକାଇ ଜାଳିଦେବାକୁ ଧମକ ଦେଇଥିଲା। ଦୀର୍ଘ ଦିନ ଏଭଳି ନିର୍ଯାତନା ସହିବା ପରେ ମହିଳା ଜଣକ ଗତକାଲି ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଗତକାଲି ଚନ୍ଦନକୁ ଉଠାଇ ଆଣି ପଚରାଉ ଉଚରା କରିବା ପରେ ଆଜି ତା’କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅନ୍ୟପଟେ ଚନ୍ଦନ ପତ୍ନୀଙ୍କୁ ମାଡ଼ ମାରିଛି ବୋଲି ସ୍ବୀକାର କରିଛି। ହେଲେ ଅନ୍ୟ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ବିବାହର ଅନେକ ବର୍ଷ ପରେ ପତ୍ନୀଙ୍କ ଚରିତ୍ରକୁ ନେଇ ସେ ସନ୍ଦେହ କରୁଥିଲା। ନିକଟ ଅତୀତରେ ସେ ପ୍ରମାଣ (ଭିଡିଓ) ବି ପାଇଥିଲା। ଏହି ଭିଡିଓ ପ୍ରମାଣକୁ ନେଇ ତାର ପତ୍ନୀଙ୍କ ସହ ତା’ର ଝଗଡ଼ା ହୋଇଥିଲା ଏବଂ ଝଗଡ଼ା ବେଳେ ରାଗି ଯାଇ ସେ ମାଡ଼ ମାରିଥିବା କହିଛି।

ସେକ୍ସ ରୢାକେଟ୍‌ ଚଳାଉଥିଲା ଚନ୍ଦନ!
ପୀଡ଼ିତା ମହିଳା ଜଣକ ଚନ୍ଦନ ବିରୋଧରେ କେବଳ ନିର୍ଯାତନା ଅଭିଯୋଗ ଆଣିନାହାନ୍ତି; ଚନ୍ଦନ ଏଠାରେ ରହି ସେକ୍ସ ରୢାକେଟ୍‌ ଚଳା‌ଉଥିଲା ବୋଲି ଗୁରୁତର ଅଭିଯୋଗ କରିଛନ୍ତି। ପୀଡ଼ିତା‌ଙ୍କ କହିବା ଅନୁଯାୟୀ ସେ ନିଜ ଭଡ଼ା ଘରକୁ ବେଶ୍ୟାଳୟରେ ପରିଣତ କରିଥିଲା। ପ୍ରତି ଦିନ ଏଠାକୁ ନୂଆ ନୂଆ ଝିଅ, ନୂଆ ନୂଆ ଗ୍ରାହକ ଆସୁଥିଲେ। ମୁଁ ଏ ସବୁକୁ ପ୍ରତିବାଦ କରିବାରୁ ଚନ୍ଦନ ମୋତେ ମାଡ଼ ମାରୁଥିଲା। ଅଟୋ ଚଳାଇବା କେବଳ ଦେଖାଇବା ପାଇଁ ଥିଲା। କିନ୍ତୁ ପ୍ରକୃତ ରୋଜଗାର ସେକ୍ସ ରୢାକେଟ୍‌ରୁ ହିଁ ହେଉଥିଲା। ପୀଡ଼ିତା ଜଣକ ଆହୁରି କହିଛନ୍ତି ଯେ ଅନେକ ବଡ଼ବଡ଼ିଆଙ୍କ ସହ ଚନ୍ଦନର ସମ୍ପର୍କ ରହିଛି। କେତେକ ଘରକୁ ଆସୁଥିବା ବେଳେ କେତେକଙ୍କ ପାଖକୁ ସେ ଝିଅ ପଠାଉଥିଲା। ଏ ନେଇ ମଧ୍ୟ ପୁଲିସ ପାଖରେ ଖବର ରହିଥିଲା। ହେଲେ ପୁଲିସ ଚଢ଼ଉ କରୁନଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର