ଯୁବକଙ୍କୁ ହତ୍ୟା କରି ଫିଙ୍ଗି‌ଦେଲେ! ନଦୀପଠାରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଧଉଳି: ସରଦେଇପୁର ଡାକବଙ୍ଗଳା ପଛପଟ ଭାର୍ଗବୀ ଓ ଦୟାନଦୀ ସଂଲଗ୍ନ ନଦୀପଠାରୁ ଆଜି ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହକୁ ଧଉଳି ଥାନା ପୁଲିସ୍‌ ଉଦ୍ଧାର କରାଯାଇଛି। ମୃତକ ହେଲେ, ଗଞ୍ଜାମ ଜିଲ୍ଲା ଅଧୀନ କୋଦଳା ଥାନା ଅଞ୍ଚଳର ଜଗନ୍ନାଥ ମହାରଣା (୩୫)। ସେ ଜଣେ କାଠ କାରିଗର। ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଏନେଇ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପାରିପାର୍ଶ୍ବିକ ସ୍ଥିତି ଓ ଜଗନ୍ନାଥଙ୍କ ପେଟ, ନାକ, କାନମୁଣ୍ଡା, ଗୋଡ଼, ହାତରେ ଥିବା କ୍ଷତଚିହ୍ନରୁ ଏହା କୌଣସି ଅଘଟଣଜନିତ ମୃତ୍ୟୁ ନୁହେଁ ବୋଲି ଅନୁମାନ କରାଯାଉଛି। ଶବ ପଡ଼ିଥିବା ସ୍ଥାନର କିଛି ଦୂରରୁ ଏକ ସ୍କୁଟି, ହେଲମେଟ୍‌, ପର୍ସ, ରୁପା ମୁଦି, ମଦ ବୋତଲ ଓ ଗ୍ଲାସ୍‌ ଜବତ ହୋଇଛି। ତେଣୁ ଗତରାତିରେ କେହି ଦୁର୍ବୃତ୍ତ ଜଗନ୍ନାଥଙ୍କୁ ଏଠାରେ ମଦ ପିଆଇବା ପରେ କୌଣସି ଧାରୁଆ ଅସ୍ତ୍ର କିମ୍ବା ପଥରରେ ଛେଚି ତାଙ୍କୁ ହତ୍ୟା କରିଛି ବୋଲି ସାଧାରଣ‌ରେ ଚର୍ଚ୍ଚା ହେଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ ବୋଲି ପୁଲିସ୍‌ କହିଛି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ବେଳେ ନଦୀପଠାରେ ଶବ ପଡ଼ିଥିବା ନେଇ ସ୍ଥାନୀୟ ଲୋକ ଧଉଳି ଥାନାକୁ ସୂଚନା ଦେଇଥିଲେ। ଥାନା ଅଧିକାରୀ ଦୟାନିଧି ନାୟକ ଏବଂ ଜୋନ୍‌-୨ ଏସିପି ବିଷ୍ଣୁ ପ୍ରସାଦ ପାତ୍ର ପ୍ରମୁଖ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଶବ ପଡ଼ିଥିବା ସ୍ଥାନରୁ ୧୦୦ ମିଟର ଦୂରରେ ଥିବା ସ୍କୁଟି (ଓଡି ୧୩ସି ୧୪୮୧) ଆଧାରରେ ପୁଲିସ୍‌ ଗାଡ଼ି ମାଲିକ ସୁଶାନ୍ତ କୁମାର ସାହୁଙ୍କୁ ଚିହ୍ନଟ କରିଥିଲା। ସୁଶାନ୍ତଙ୍କ ଘର ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଖଣ୍ଡିଆବନ୍ଧ ଗ୍ରାମରେ ହୋଇଥିବା ବେଳେ ଶ୍ବଶୁର ଘର ଭୁବନେଶ୍ବର ବରଗଡ଼ ଥାନା ଅଞ୍ଚଳରେ। ଶ୍ବଶୁରଙ୍କ ଘରକୁ ଭଡ଼ାରେ ନେଇ ଜଗନ୍ନାଥ ସେଠାରେ କାଠ କାମ କରୁଥିଲେ। ତେଣୁ ପୁଲିସ୍‌ ସୁଶାନ୍ତ ଓ ତାଙ୍କ ଶ୍ବଶୁର ଘର ଲୋକଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର