ଚନ୍ଦ୍ରଶେଖରପୁର: ପଟିଆ ବିଗ୍‌ ବଜାର ଛକ ନିକଟ ଏକ ଗଳିରେ ଥିବା ଓୟୋ ହୋଟେଲର ତୃତୀୟ ମହଲାରୁ ପଡ଼ି ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ଯୁବତୀଙ୍କ ସହ ସେହି ହୋଟେଲରେ ରହୁଥିବା କିଛି ଯୁବକ ଓ ହୋଟେଲ କର୍ତ୍ତୃପକ୍ଷ ତାଙ୍କୁ ପଟିଆ ନିକଟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ତାଙ୍କ ଅବସ୍ଥା ସଂକପଟାପନ୍ନ ଥିବା ଜଣାଯାଇଛି। ମୁଣ୍ଡ ଫାଟି ଯାଇଥିବା ବେଳେ ଛାତିରେ ଗଭୀର ଆଘାତ ଲାଗିଛି। ଆଜି ସଂଧ୍ୟା ପ୍ରାୟ ସାଢ଼େ ୬ଟା‌ରେ ଏହି ଅଘଟଣ ଘଟିଛି। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଇନ୍‌ଫୋସିଟି ଥାନା ପୁଲିସ୍‌ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ତେବେ ଯୁବତୀଜଣକ ୩ ମହଲା ଉପରୁ କେମିତି ଖସି ପଡ଼ିଲେ ନା କେହି ତାଙ୍କୁ ଠେଲି ହତ୍ୟା କରିବାକୁ ଉଦ୍ୟମ କରିଛି, ସେନେଇ ପୁଲିସ୍‌ ଅଧିକ ତଦନ୍ତ ଚଳାଇଛି। କିଛି ଯୁବକଙ୍କୁ ଥାନାରେ ରଖି ପଚରାଉଚରା କରୁଛି। ତେବେ ଯୁବତୀଙ୍କ ଚେତା ଫେରିବା ପରେ ଘଟଣା ଅଧିକ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ୍‌ କହିଛି। ହୋଟେଲ ଓ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପାଇଁ ପୁଲିସ୍‌ ଉଦ୍ୟମ ଚଳାଇଛି। ହୋଟେଲ୍ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ହୋଟେଲ୍ ଭିତରେ ଯୁବତୀଜଣଙ୍କ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଥିଲେ। ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହେ‌ବାରୁ ଯୁବତୀଜଣଙ୍କ ତଳକୁ ଡ଼େଇଁ ପଡ଼ି ଥାଇପାରନ୍ତି। ମାତ୍ର ଯୁବତୀଙ୍କ ସହ ଥିବା ଯୁବକ କହିଛନ୍ତି ଯେ ସେ ବାଲକୋନିରେ ବୁଲୁଥିବା ବ‌ଳେ ଗୋଡ଼ ଖସି ଯିବାରୁ ଏହି ଅଘଟଣ ଘଟିଛି।