ଭୁବନେଶ୍ବର: ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଟିକା ନେଇ ଜଣେ ଯୁବତୀ ହଟହଟା ହୋଇଛନ୍ତି। ଯୁବତୀଜଣକ ଘରୋଇ ହସ୍ପିଟାଲରେ ସ୍ପୁଟନିକ-ଭି ଟିକା ନେଇଥିବା ବେଳେ କୋ-ୱିନ୍ ପୋର୍ଟାଲରେ ତଥ୍ୟ ଅପଲୋଡ୍ ନ ହେବା କାରଣରୁ ସେ ଦ୍ବିତୀୟ ଡୋଜ୍ ଟିକା ନେଇ ପାରୁନାହାନ୍ତି। ହସ୍ପିଟାଲ୍‌ କର୍ତ୍ତୃପକ୍ଷ ମଧ୍ୟ ଏଥିରେ ସହଯୋଗ କରୁ ନଥିବା ଅଭିଯୋଗ ହୋଇଛି। ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କ ଏହି ଅଭିଯୋଗ ଘୂରି ବୁଲୁଛି। ଜୁଲାଇ ୨୨ ତାରିଖରେ ଯୁବତୀ ଜଣକ ସ୍ପୁଟନିକ୍‌-ଭି ଟିକା ନେଇଥିଲେ। ଏବେ ତାଙ୍କର ଦ୍ବିତୀୟ ଡୋଜ୍ ଟିକା ‌ପାଇଁ ସମୟ ହୋଇଗଲାଣି। ହେଲେ କୋ-ୱିନ୍ ଆପ୍‌ରେ ପ୍ରଥମ ଡୋଜ୍ ଟିକା ସଂପର୍କରେ ତଥ୍ୟ ଅପଲୋଡ୍ ହୋଇ ନ ଥିବାରୁ ଦ୍ବିତୀୟ ଡୋଜ୍ ଟିକା ନେବାରେ ସମସ୍ୟା ସୃଷ୍ଟି ହୋଇଛି। ଏ ସଂପର୍କରେ ସେ ହସ୍ପିଟାଲ କର୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ହେଁ ଏଥିରେ କୌଣସି ପ୍ରକାର ସହଯୋଗ କରିପାରିବେ ନାହିଁ ବୋଲି କହିଥିଲେ। ଏଭଳି ପରିସ୍ଥିତିରେ ଯୁବତୀ ଜଣକ କିଭଳି ଦ୍ବିତୀୟ ଡୋଜ୍ ଟିକା ପାଇବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ କହୁଛି ଯେଉଁ ଘରୋଇ ହସ୍ପିଟାଲମାନେ କରୋନା ଟିକାକରଣରେ ସାମିଲ ହେବେ; ସେମାନଙ୍କୁ କୋ-ୱିନ୍ ପୋର୍ଟାଲରେ ପଞ୍ଜୀକୃତ କରିବାକୁ ହେବ। ଏହାସହ ପ୍ରତ୍ୟେକ ଦିନ ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କ ସଂପର୍କରେ ସବୁ ତଥ୍ୟ ପୋର୍ଟାଲରେ ଅପଲୋଡ୍ କରିବାକୁ ହେବ। ତେବେ କେଉଁ ପରିସ୍ଥିତିରେ ଯୁବକୀ ଜଣକ ଟିକା ନେବା ପରେ ତାଙ୍କ ସଂପର୍କିତ ତଥ୍ୟ କୋ-ୱିନ୍ ପୋର୍ଟାଲରେ ଅପଲୋଡ୍ କରାଗଲା ନାହିଁ ଏବଂ ଏଥିରେ ବୈଷୟିକ ତ୍ରୁଟି ରହିଛି ନା ହସ୍ପିଟାଲ କର୍ତୃପକ୍ଷଙ୍କ ଅବହେଳାରୁ ଏହା ଘଟଣା ଘଟିଛି; ତାହାର ତଦନ୍ତ କରାଯିବା ପରେ ହିଁ ସ୍ପଷ୍ଟ ହୋଇପାରିବ। ଏ ସଂପର୍କରେ ଟିକାକରଣ ଅଧିକାରୀଙ୍କ ମତାମତ ମିଳିପାରିନାହିଁ।