ଚନ୍ଦ୍ରଶେଖରପୁର: ଆତ୍ମହତ୍ୟା ଧମକରେ ସ୍ତ୍ରୀଙ୍କୁ ଡରାଇ ହୋଟେଲ୍ରେ ଅୟସ କରୁଥିଲା ସ୍ବାମୀ। ଯୁବତୀମାନଙ୍କ ସହ ହୋଟେଲରେ ରାତି ବିତାଉଥିଲା। କିନ୍ତୁ ଗୁମର ଖୋଲିଦେଲା ସ୍ତ୍ରୀଙ୍କ ମୋବାଇଲ୍ ଫୋନ୍ର ଜମାଟୋ ଲଗ୍ଇନ୍। ବିଳମ୍ବିତ ରାତିରେ ସ୍ବାମୀ ଜମାଟୋରୁ ଖାଇବା ବରାଦ କରୁଥିବା ଜାଣିପାରି ସ୍ତ୍ରୀ ପୁଲିସ ନେଇ ପହଞ୍ଚିଯାଇଥିଲେ ହୋଟେଲ୍ରେ। ଫଳରେ ସ୍ବାମୀର ଗୋପନ ମଉଜ ମଜଲିସ ଧରାପଡ଼ିଗଲା। ରାଗରେ ସ୍ବାମୀ ଓ ତା’ର ସହଯୋଗୀମାନେ ପୁଲିସ ଉପସ୍ଥିତିରେ ବି ସ୍ତ୍ରୀଙ୍କୁ ଆକ୍ରମଣ କଲେ। ଏମିତି ଏକ ମାମଲାରେ ଆଜି ଇନ୍ଫୋସିଟି ଥାନା ପୁଲିସ ଅଭିଯୁକ୍ତ ସ୍ବାମୀ ଅଭିନବ ସିଂହଙ୍କୁ ଗିରଫ କରିଛି। ଏଥିସହିତ ଅଭିନବର ୨ ବନ୍ଧୁ ସିଲୁ ନାୟକ, ରାକେଶ ବେହେରାଙ୍କ ସହ ୩ ଯୁବତୀ ଅନିନ୍ଦିତା ନାୟକ, ତନୁଶ୍ରୀ ଦାସ ଓ ରୂପା ପାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ତନୁଶ୍ରୀ ଓ ରୂପା ବଙ୍ଗୀୟ ଯୁବତୀ। ଜଗତସିଂହପୁରର ଅନିନ୍ଦିତା ସହ ଏହି ବଙ୍ଗୀୟ ଯୁବତୀମାନେ ଭୁବନେଶ୍ବର କେସୁରା ଅଞ୍ଚଳରେ ରହୁଥିଲେ।
ପୁଲିସ ସୂଚନାନୁସାରେ କଟକ ଲାଲ୍ବାଗ ଥାନା କାଳିଗଳିରେ ରହୁଥିବା ଅଭିନବ ୨୦୨୨ ମସିହାରେ ଉତ୍କଳ ଦୀପିକା ରାଉତଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରଠାରୁ ଅଭିନବ ପତ୍ନୀ ଦୀପିକାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଥିଲେ। ଏମିତିକି ସେ ମଦ ପିଇ ଦୀପିକାଙ୍କ ଉପରକୁ ହାତ ଉଠାଉଥିଲେ ଏବଂ ଛାଡ଼ପତ୍ର ଦେବାକୁ ଧମକ ଦେଉଥିଲେ। ଗତକାଲି ରାତିରେ ଦୀପିକା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ କି ତାଙ୍କ ସ୍ବାମୀ ଅଭିନବ ତା’ର ଦୁଇ ବନ୍ଧୁ ଓ ୩ ଯୁବତୀଙ୍କ ସହ ହୋଟେଲ୍ ‘ସେ ହେଲୋ’ରେ ରହିଛନ୍ତି। ଦୀପିକାଙ୍କ ଅଭିଯୋଗ ପାଇ ପୁଲିସ ଟିମ୍ ତାଙ୍କୁ ସାଙ୍ଗରେ ନେଇ ପଟିଆ ଶିଶୁବିହାରସ୍ଥିତ ହୋଟେଲ ‘ସେ ହେଲୋ’ରେ ପହଞ୍ଚିଥିଲା। ଅଭିନବକୁ ଜଣେ ଯୁବତୀଙ୍କ ସହ ଏକ ରୁମ୍ରୁ ଠାବ କରାଯାଇଥିଲା। ଏହା ଜାଣିବା ପରେ ଅନ୍ୟ ୨ ରୁମ୍ରୁ ସିଲୁ, ରାକେଶ ଓ ଯୁବତୀମାନେ ବାହାରି ଆସି ଦୀପିକାଙ୍କୁ ଗାଳିମନ୍ଦ କରିବା ସହ ମାଡ଼ ମାରିଥିଲେ। ଏମିତିକି ସେମାନେ ଦୀପିକାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପୁଲିସ ଦୀପିକାଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିବାକୁ ଚେଷ୍ଟା କଲାବେଳେ ସେମାନେ ପୁଲିସକୁ ମଧ୍ୟ ଆକ୍ରମଣ କରିଥିଲେ। କିନ୍ତୁ ପୁଲିସ ସମସ୍ତଙ୍କୁ କାବୁ କରିଥିଲା। ଏହାପରେ ଦୀପିକାଙ୍କ ଅଭିଯୋଗ ଆଧାରରେ ପୁଲିସ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି।
ଗୁମର ଖୋଲିଦେଲା ଜମାଟୋ ଲଗ୍ଇନ୍
ଦୀପିକାଙ୍କ ସୂଚନାନୁସାରେ ଗତକାଲି ମଧ୍ୟାହ୍ନରେ ଅଭିନବ ତାଙ୍କୁ ଫୋନ୍ କରିଥିଲା। ଆତ୍ମହତ୍ୟା କରିବ ବୋଲି ଧମକ ଦେଇଥିଲା। ସେତେବେଳେ ଦୀପିକା ତାଙ୍କ କାର୍ଯ୍ୟାଳୟରେ ଥିଲେ। ସେ ତୁରନ୍ତ ତାଙ୍କ ଶ୍ବଶୁରଙ୍କୁ ଏହା ଜଣାଇଥିଲେ ଏବଂ ଘରକୁ ଯାଇ ଅଭିନବକୁ ବୁଝାଇବାକୁ କହିଥିଲେ। କିଛି ସମୟ ପରେ ଶ୍ବଶୁର ଫୋନ୍ କରି ସବୁ ଠିକ୍ ଅଛି ବୋଲି ବୋହୂ ଦୀପିକାଙ୍କୁ କହିଥିଲେ। ସନ୍ଧ୍ୟାରେ କାର୍ଯ୍ୟାଳୟରୁ ଫେରି ଦୀପିକା ବାରମ୍ବାର ଅଭିନବକୁ ଫୋନ୍ କଲେ। କିନ୍ତୁ ସେ କଲ୍ ରିସିଭ୍ କଲା ନାହିଁ। ଏଥିରେ ଦୀପିକା ବିବ୍ରତ ହୋଇପଡ଼ିଥିଲେ। କିନ୍ତୁ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ସେ ମୋବାଇଲ୍ରୁ ଜାଣିବାକୁ ପାଇଲେ ଯେ ଅଭିନବ ହୋଟେଲ୍ରୁ ଖାଇବା ଅର୍ଡର କରିଛି। ପଟିଆ ଶିଶୁବିହାରସ୍ଥିତ ହୋଟେଲ ‘ସେ ହେଲୋ’ରୁ ଏହି ଖାଇବା ଅର୍ଡର ଯାଇଛି। ଦୀପିକାଙ୍କ ମୋବାଇଲ୍ରେ ଅଭିନବର ଜମାଟୋ ଲଗ୍ଇନ୍ ଥିବାରୁ ସେ ଏହା ଜାଣିପାରିଥିଲେ। ତେଣୁ ତାଙ୍କର ସନ୍ଦେହ ହୋଇଥିଲା। ଅଭିନବର ଅସଲ ଖେଳ ଓ ଚରିତ୍ର ଜାଣିବା ପାଇଁ ସେ ତୁରନ୍ତ ଇନ୍ଫୋସିଟି ଥାନାରେ ପହଞ୍ଚି ପୁଲିସ ସହାୟତା ନେଇଥିଲେ। ପୂର୍ବରୁ ଅଭିନବ ଏକ ଆଇଟି କମ୍ପାନିରେ ଚାକିରି କରୁଥିଲା। କିନ୍ତୁ ପରେ ଚାକିରି ଛାଡ଼ି ଦେଇଥିଲା। ସାମାଜିକ ଗଣମାଧ୍ୟମରେ ସେ ମ୍ୟୁଜିକ୍ ଭିଡିଓ କରୁଥିଲା ବୋଲି ଦୀପିକାଙ୍କୁ କହୁଥିଲା। ସବୁବେଳେ ଗାଳିମନ୍ଦ କରିବା ସହ ମାଡ଼ ମାରି ଛାଡ଼ପତ୍ର ଧମକ ଦେଉଥିବାରୁ ଅଭିନବର ଚରିତ୍ର ଉପରେ ଦୀପିକାଙ୍କର ସନ୍ଦେହ ହୋଇଥିଲା। ଶେଷକୁ ତାହା ସତ ପ୍ରମାଣିତ ହୋଇଛି ବୋଲି ଦୀପିକା କହିଛନ୍ତି।