ଧଉଳି: ଧଉଳି ଥାନା ଅଞ୍ଚଳସ୍ଥିତ ନିଶା ନିବାରଣ କେନ୍ଦ୍ର ‘ଶ୍ରଦ୍ଧା’ରେ ଆଜି ଅପରାହ୍ନରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଲକ୍ଷ୍ମୀସାଗର ଥାନା ଲକ୍ଷ୍ମୀନାରାୟଣସାହିର ବିଜୟ ଲେଙ୍କାଙ୍କ ବଡ଼ପୁଅ ପୁଅ ବିକ୍ରମ ଓରଫ୍ ବଣ୍ଟି(୨୭)। ନିଶା ନିବାରଣ କେନ୍ଦ୍ରର କର୍ମଚାରୀମାନେ ବଣ୍ଟିଙ୍କୁ ପିଟିପିଟି ମାରି ଦେଇଛନ୍ତି ବୋଲି ବାପା ବିଜୟ ଲେଙ୍କା ଥାନାରେ ଅଭିଯୋଗ କରିଛନ୍ତି। ବଣ୍ଟିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଲକ୍ଷ୍ମୀସାଗର ଅଞ୍ଚଳର ଶତାଧିକ ଲୋକ ଧଉଳି ଥାନାରେ ପହଞ୍ଚି ହତ୍ୟା ମାମଲା ରୁଜୁ କରି ନିଶା ନିବାରଣ କେନ୍ଦ୍ରର ମାଲିକ ଓ କର୍ମଚାରୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ତେବେ ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Advertisment

ସୂଚନାନୁସାରେ ବିକ୍ରମ ବର୍ଷକ ତଳେ ବିବାହ କରିଥିଲେ ଏବଂ ତାଙ୍କର ମାସକର ପୁଅଟିଏ ଅଛି। ସବୁବେଳେ ନିଶାସକ୍ତ ଅବସ୍ଥାରେ ଘରେ ଗଣ୍ଡଗୋଳ କରୁଥିବାରୁ ମାର୍ଚ୍ଚ ୧୪ ତାରିଖରେ ତାଙ୍କୁ ପରିବାର ଲୋକେ ଏହି ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ବଣ୍ଟିଙ୍କ ବାପା ବିଜୟଙ୍କ ଅଭିଯୋଗ ଅନୁସାରେ ଆଜି ଅପରାହ୍ନ ୪ଟା ବେଳେ କେନ୍ଦ୍ରର ଜଣେ କର୍ମଚାରୀ ତାଙ୍କୁ ଫୋନ୍‌ କରିଥିଲେ। ବାଥ୍‌ରୁମ୍‌ରେ ବଣ୍ଟି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ହାଇଟେକ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛି ବୋଲି ଜଣାଇଥିଲେ। ଖବର ପାଇ ବିଜୟ, ତାଙ୍କ ବଡ଼ଭାଇ ଓ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଥିଲେ। ମାତ୍ର ହସ୍ପିଟାଲ୍‌ରେ ସେମାନେ ବଣ୍ଟିର ମୃତଦେହ ଦେଖିଥିଲେ। ଗାଧୁଆ ଘର ସାୱାର୍‌ରେ ବଣ୍ଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାକୁ ପରିବାର ଲୋକେ ଗ୍ରହଣ କରିପାରୁ ନାହାନ୍ତି। ବଣ୍ଟିଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା ରୂପ ଦେବାକୁ କର୍ମଚାରୀମାନେ ଚେଷ୍ଟା ଚଳାଇଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ କେନ୍ଦ୍ରର ସମସ୍ତ କର୍ମଚାରୀ ଓ ଅନ୍ତେବାସୀମାନଙ୍କୁ ପଚରାଉଚରା କରୁଛି।