ଭୁବନେଶ୍ବର: ଗାଁ ଦାଣ୍ଡରେ ନିଜ ଘର ଆଗରେ ସର୍ବସମକ୍ଷରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ। ପରିବାର ଲୋକେ ଓ ପଡ଼ୋଶୀମାନେ ଅଟକାଇବା ପୂର୍ବରୁ ଯୁବକଙ୍କ ପେଟ୍ରୋଲ୍‌ ଭିଜା ଶରୀରରେ ନିଆଁ ବିସ୍ଫୋରଣ ହେଲା ଭଳି ଖେଳିଯାଇଥିଲା। ପ୍ରଚଣ୍ଡ ପ୍ର କୋପରେ ହୁତୁହୁତୁ ହୋଇ ଜଳୁଥିବା ଯୁବକଙ୍କ ପାଖକୁ ଯିବାକୁ କାହାର ଜୁ’ ନଥିଲା। ତଥାପି କିଛି କ୍ଷଣ ଭିତରେ ଲୋକେ ସାହସ କରି ଯୁବକଙ୍କ ଦେହରେ କମ୍ବଳ ପକାଇ ଉଦ୍ଧାର କରିଥିଲେ ବି ପରେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ବଡ଼ଗଡ଼ ଥାନା କେସୁରା ଗାଁ ଦାଣ୍ଡରେ ଗତ ମଙ୍ଗଳବାର ଅପରାହ୍ଣରେ ଘଟିଥିଲା ଏଭଳି ଛାତିଥରା ଅଘଟଣ। ମୃତ ଯୁବକ ହେଲେ ଲକ୍ଷ୍ମଣ ପ୍ରଧାନ(୩୫)। ନିଶା ଓ କରଜର କରୁଣ ପରିଣତି କେତେ ଭୟଙ୍କର ହୋଇପାରେ, ତାହା ଲକ୍ଷ୍ମଣଙ୍କ ଚରମ ପଦ‌କ୍ଷେପରୁ ଜଳଜଳ ହୋଇ ଦିଶିଯାଉଛି। ବଡ଼ଗଡ଼ ଥାନା ପୁଲିସ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ମାମଲାର ଅଧିକ ଛାନ୍‌ଭିନ ଚଳାଇଛି ଏବଂ ପରିବାର ଲୋକଙ୍କ ସମେତ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଛି।

Advertisment

ସିସିଟିଭି ଫୁଟେଜ୍ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଗତକାଲି ଲକ୍ଷ୍ମଣ ଗାଁ ଭିତରକୁ ଆସି ନିଜ ଘର ସମ୍ମୁଖ ଦାଣ୍ଡରେ ସ୍କୁଟି ରଖିଥିଲେ। ସ୍କୁଟି ଡିକିରୁ ଏକ ପେଟ୍ରୋଲ୍‌ ବୋତଲ ବାହାର କରି ନିଜ ଦେହରେ ଢାଳିଲେ। ସେତେବେଳେ ସେଠାରେ ଜଣେ ବୃଦ୍ଧା ଓ ଦୁଇ ଜଣ ଯୁବକ ଥିଲେ। ତାଙ୍କ ପରିବାର କେହି ଜଣେ ମହିଳା ମଧ୍ୟ ଦୁଆରବନ୍ଧ ନିକଟରେ ଠିଆ ହୋଇଥିଲେ। ସେମାନେ ସମସ୍ତେ ଲକ୍ଷ୍ମଣଙ୍କ ଏଭଳି ଆଚରଣ ଦେଖି ଚିତ୍କାର କରିଥିଲେ ଏବଂ ଜଣେ ଯୁବକ ଲକ୍ଷ୍ମଣଙ୍କ ପାଖକୁ ଧାଇଁ ଆସିଥିଲେ। ମାତ୍ର ଠିକ୍‌ ସେତିକିବେଳକୁ ଲକ୍ଷ୍ମଣ ଲାଇଟର୍‌ ଜଳାଇଦେଇଥିଲେ। ପେଟ୍ରୋଲ୍ ଭିଜା ତାଙ୍କ ଶରୀର ହୁତୁହୁତୁ ହୋଇ ଜଳିଉଠିଥିଲା।

ନିଆଁ ଏମିତି ବିସ୍ଫୋରଣ ହୋଇଥିଲା ଯେ ପାଖକୁ ଧାଇଁ ଆସିଥିବା ଯୁବକ ପଛକୁ ଛିଟିକି ପଡ଼ି ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। କ୍ଷଣିକ ଉତ୍ତେଜନାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଲକ୍ଷ୍ମଣ ଜଳୁଥିବା ଅବସ୍ଥାରେ ‘ବଞ୍ଚାଅ’ ‘ବଞ୍ଚାଅ’ ବୋଲି ପାଟି କରି ବିକଳରେ ତଳେ ଗଡ଼ିଯାଇଥିଲେ। ପୁଣି ପ୍ରାଣ ବିକଳରେ କଂକ୍ରିଟ୍‌ ଦାଣ୍ଡରୁ ନିଜେ ଉଠି ନିକଟସ୍ଥ ନଳକୂଅ ପାଖ ଘାସ ଉପରେ ଗଡ଼ିଯାଇଥିଲେ। କିନ୍ତୁ ପେଟ୍ରୋଲ୍‌ ନିଆଁ ଲିଭିବା ନାଁ ନେଇନଥିଲା। ସମସ୍ତେ ଦେଖୁଥିଲେ ବି ଅତର୍କିତ ଭାବେ ଘଟିଥିବା ଏଭଳି ଭୟଙ୍କର ଦୃଶ୍ୟ ସମସ୍ତଙ୍କୁ କିଛି କ୍ଷଣ ପାଇଁ ସ୍ତବ୍ଦ ଓ ନିଶ୍ଚଳ କରିଦେଇଥିଲା। ତେବେ ଏତିକିବେଳେ ଜଣେ ଯୁବକ ଘରୁ କମ୍ବଳ ଆଣି ଜଳୁଥିବା ଲକ୍ଷ୍ମଣଙ୍କୁ ମାଡ଼ି ବସିଥିଲେ। କିନ୍ତୁ ସେତେବେଳକୁ ଲକ୍ଷ୍ମଣଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଥିଲା। ତୁରନ୍ତ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ପରେ ଭୁବନେଶ୍ବର ଏମ୍‌ସକୁ ପଠାଯାଇଥିଲା। ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବଡ଼ଗଡ଼ ଥାନା ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଲକ୍ଷ୍ମଣଙ୍କ ଭାଇ ରାମଚନ୍ଦ୍ର ପ୍ରଧାନଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଲକ୍ଷ୍ମଣ ତାଙ୍କ ଦୁଇ ପିଲା ଓ ପତ୍ନୀଙ୍କୁ ନେଇ ପରିବାରଠାରୁ ଅଲଗା ରହୁଥିଲେ। ଅଟୋ ଚଳାଇ ପରିବାରର ଭରଣପୋଷଣ କରୁଥିଲେ। କିନ୍ତୁ ଅତ୍ୟଧିକ ନିଶା ସେବନ କରିବା ଯୋଗୁଁ ତାଙ୍କ ରୋଜଗାର ଗୁଜୁରାଣ ମେଣ୍ଟାଇବାକୁ ଯଥେଷ୍ଟ ହେଉନଥିଲା। ଏମିତିକି ସେ ଶ୍ବଶୁର ଘର ଜମି ବିକାରୁ ମିଳିଥିବା ଲକ୍ଷ ଲକ୍ଷ ଟଙ୍କାକୁ ବି ନିଶାରେ ଉଡ଼ାଇଦେଇଥିଲେ। ତେଣୁ ସେ କିଛି ଟଙ୍କା କରଜ ମଧ୍ୟ କରିଥିଲେ। ଏସବୁକୁ ନେଇ ତାଙ୍କ ପରିବାରରେ ଅଶାନ୍ତିର ଝଡ଼ ଉଠିଥିଲା। ଫଳରେ ସେ ଅଧିକାଂଶ ସମୟ ମାନସିକ ଚାପରେ ରହୁଥିଲେ।