ୟୁ-ଟ୍ୟୁବ୍‌ ଚ୍ୟାନେଲ ‘ଟିମ୍‌ ଓଡ଼ିଶା’ ଲୋକାର୍ପିତ

ଭୁବନେଶ୍ବର: ଟିମ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଆଣ୍ଡ୍ ମିଡିଆ ପକ୍ଷରୁ ଏକ ନୂଆ ମନୋରଞ୍ଜନଭିତ୍ତିକ ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌ ‘ଟିମ୍‌ ଓଡ଼ିଆ’ ଆଜି ଲୋକାର୍ପିତ ହୋଇଯାଇଛି। ଓଡ଼ିଶାର ମହାନ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ପାଥେୟ କରି ଲୋକଙ୍କୁ ନିଆରା ଢଙ୍ଗରେ ଭିନ୍ନ ସ୍ବାଦର ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବା ଏହି ଚ୍ୟାନେଲର ଲକ୍ଷ୍ୟ। ଆଜି ରବୀନ୍ଦ୍ର ମଣ୍ଡପଠାରେ ଟିମ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର ଚ୍ୟାନେଲର ଶୁଭାରମ୍ଭ କରିଛନ୍ତି। ଚ୍ୟାନେଲରେ ଆଧୁନିକତା ସହ ତାଳ ଦେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବା ସହ ନିଜ ମାଟିର ଛାପ ରଖିବାକୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଏହି ଅବସରରେ ଶ୍ରୀ ମିଶ୍ର କହିଥିଲେ। ‌କାର୍ଯ୍ୟକ୍ରମରେ ଟିମ୍‌ ଏଣ୍ଟରଟେନ୍‌ମେଣ୍ଟ ଆଣ୍ଡ ମିଡିଆର ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର, ଲକ୍ଷ୍ମୀକାନ୍ତ ପାଲିତ୍‌ ଓ ଶିବାଶିଷ ମିଶ୍ର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଆଦ୍ୟାଶ୍ରୀ। ଧନ୍ୟବାଦ ଅର୍ପଣ କରିଥିଲେ ରଞ୍ଜିତ ମହାପାତ୍ର। ଲୋକାର୍ପଣ ଅବସରରେ ଚ୍ୟାନେଲର ଥିମ୍‌ ସଙ୍ଗୀତ ପ୍ରଦର୍ଶିତ ହୋ‌ଇଥିଲା। କରୋନା ମହାମାରୀ କବଳରୁ ଉଦ୍ଧାର ପାଇଁ ଏକ ନୂଆ ସୁନେଲି ଭବିଷ୍ୟତ ଗଠନର ବାର୍ତା ଏଥିରେ ଦିଆଯାଇଥିଲା।

ଏହି ଅବସରରେ ଦିବଂଗତ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଙ୍ଗୀତ ଆସର ଆୟୋଜିତ ହୋଇଥିଲା। ଏଥିରେ ଲୋକପ୍ରିୟ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର, ଲୋପିତା ମିଶ୍ର, ଲକ୍ଷ୍ମୀକାନ୍ତ ପାଲିତ, ସ୍ବରୂପା ଚକ୍ରବର୍ତୀ, ବାବୁ ପାଣିଗ୍ରାହୀ, ସଙ୍ଗୀତା ଗୋସାଇଁ, ସୋହିନୀ ମିଶ୍ର, ଅଦ୍ୟାଶା ଦାସ, ରଣଦୀପ ପାଲିତ, ବନ୍ଦୀଶ ପାଲିତ, ସୁଶାନ୍ତ ପଣ୍ଡା, ଶୁଭାନନ୍ଦା, ଋତିକ ମିଶ୍ର ଓ ବ୍ରଜବଲ୍ଲଭ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଶାନ୍ତନୁ ମହାପାତ୍ରଙ୍କ ଦୁଇ ପୁଅ ‌କୌଶିକ ଓ ସମ୍ବିତ ମଧ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଶାନ୍ତନୁ ମହାପାତ୍ରଙ୍କ ଦ୍ବାରା ବିଭିନ୍ନ ସମୟରେ ସୃଷ୍ଟି କରାଯାଇଥିବା କାଳଜୟୀ ଗୀତଗୁଡ଼ିକୁ କଣ୍ଠଶିଳ୍ପୀମାନେ ପରିବେଷଣ କରି ଦୀର୍ଘ ସମୟ ଧରି ଶ୍ରୋତାମାନଙ୍କୁ ବାନ୍ଧି ରଖିଥିଲେ। ଅଧ୍ୟକ୍ଷ ଶ୍ରୀ ମିଶ୍ର କଣ୍ଠଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୃତ୍ୟୁଞ୍ଜୟ ରଥ ସଙ୍ଗୀତ ଆସରକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର