ଚିଡ଼ିଆଖାନାକୁ ଘାରିଲାଣି କରୋନା ଭୟ, ରାଜ୍ୟକୁ ସତର୍କ କରାଇଲା ଏନ୍‌ଜେଡ୍‌ଏ

ପଦକ୍ଷେପ ନେବାକୁ ପିସିସିଏଫ୍‌ଙ୍କୁ ଚିଠି, ଲକ୍ଷଣ ଦେଖାଦେଲେ କର୍ମଚାରୀଙ୍କୁ ମନା

ଭୁବ‌ନେଶ୍ବର: କରୋନାର ଦ୍ବିତୀୟ ଲହର ଅଧିକ ମାରାତ୍ମକ ହେବାରେ ଲାଗିଛି। ପ୍ରତିଦିନ ଦେଶରେ ଲକ୍ଷାଧିକ ଲୋକେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ଉପରେ ରହୁଛି। ଏଭଳି ସମୟରେ ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କରେ ୮ଟି ଏସିଆନ୍‌ ସିଂହ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଛି। ତାହାକୁ ଦୃଷ୍ଟିରେ ରଖି ଜାତୀୟ ଚିଡ଼ିଆଖାନା କର୍ତୃପକ୍ଷ(ଏନ୍‌ଜେଡ୍‌ଏ) ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌)ଙ୍କୁ ଚିଠି ଲେଖି ଚିଡ଼ିଆଖାନାରେ ଥିବା ବନ୍ୟପ୍ରାଣୀଙ୍କ ଉପରେ ନଜର ରଖିବାକୁ କହିଛନ୍ତି। କୌଣସି ବି ପରିସ୍ଥିତିରେ ଯେପରି ଜୀବଜନ୍ତୁ ଆକ୍ରାନ୍ତ ନ ହୁଅନ୍ତି ସେଥିପ୍ରତି ପ୍ରାଥମିକତା ‌ଦେବାକୁ କୁହାଯାଇଛି।

ଚିଡ଼ିଆଖାନାରେ ପ୍ରାଣୀଙ୍କ ଦେଖାରଖା କରୁଥିବା କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା, କେବଳ ଅତ୍ୟାବଶ୍ୟକ କର୍ମଚାରୀଙ୍କୁ ନିୟୋଜିତ, ପ୍ରାଣୀଙ୍କ ନିକଟକୁ ଯେପରି କେହି ନ ଯାଆନ୍ତି ଏବଂ ପର୍ଯ୍ୟଟକଙ୍କ ଗତିବିଧି ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରାଣୀଙ୍କୁ ସେବା ଯୋଗାଇ ଦେଉଥିବା କର୍ମଚାରୀଙ୍କୁ ଉନ୍ନତମାନର ବ୍ୟକ୍ତିଗତ ସଂରକ୍ଷଣ ଉପକରଣ(ପିପିଇ) ଯଥା ଡବଲ୍ ମାସ୍କ, ଏନ୍‌୯୫ ମାସ୍କ, ଫେସ୍‌ସିଲ୍ଡର ନିୟମିତ ବ୍ୟବହାର, ଗ୍ଲୋଭସ୍ ଆଦି ଯୋଗାଇ ଦେବା ଆବଶ୍ୟକ। ଜୀବଜନ୍ତୁଙ୍କ ନିକଟକୁ ଯାଉଥିବା କର୍ମଚାରୀ, ଏନକ୍ଲୋଜର୍‌ କିମ୍ବା ଖାଦ୍ୟ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ଆରଟି-ପିସିଆର ଟେଷ୍ଟ କରାଯିବା ଦରକାର। ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ପରିଚାଳନା ଓ ପିପିଇ ପିନ୍ଧିବା ପାଇଁ ଉପଯୁକ୍ତ ତାଲିମ ଦିଆଯିବାର ଆବଶ୍ୟକ ରହିଛି।

ପ୍ରାଣୀ ଉଦ୍ୟାନ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ରହିବା ନିତ୍ୟାନ୍ତ ଆବଶ୍ୟକ। ପ୍ରାଣୀ ଉଦ୍ୟାନରୁ ଆବର୍ଜନା ଉଠାଇ ଉପଯୁକ୍ତ ଭାବେ ନିଷ୍କାସନ କରିବା, ଏନକ୍ଲୋଜରଗୁଡ଼ିକରେ କୋଭିଡ୍‌-୧୯ ଜୀବାଣୁ ବିରୁଦ୍ଧରେ ପ୍ରଭାବଶାଳୀ ଆଣ୍ଟି-ଭାଇରାଲ୍ ସ୍ପ୍ରେ କରିବା, ପ୍ରାଣୀମାନଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ଖାଦ୍ୟକୁ ଭଲ ଭାବରେ ସଫା କରି ନଷ୍ଟ କରିବା ଆବଶ୍ୟକ, ସମସ୍ତ ଆସବାବପତ୍ର ସଫା କରିବା, ଯଥା ସମ୍ଭବ ପ୍ରାଣୀଙ୍କ ସ୍ବାସ୍ଥ୍ୟ ନିରୀକ୍ଷଣ କୌଶଳ ଅବଲମ୍ବନ କରିବା, ପ୍ରାଣୀଙ୍କ ମଧ୍ୟରେ ଅସାଧାରଣ ଲକ୍ଷଣ ବା ଆଚରଣ ଦେଖାଦେଲେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ‌କର୍ମଚାରୀଙ୍କ ମଧ୍ୟରେ କୌଣସି ପ୍ରକାର କୋଭିଡ୍‌-୧୯ ଲକ୍ଷଣ ଦେଖାଦେଲେ ସେମାନଙ୍କୁ ପ୍ରାଣୀଙ୍କ ରକ୍ଷଣାବେକ୍ଷଣଠାରୁ ଦୂରେଇ ରଖିବାକୁ ନିର୍ନେଶ ଦିଆଯାଇଛି। ଯଦି କୌଣସି ପ୍ରାଣୀଙ୍କ ମୃତ୍ୟୁ ହେଉଛି ତେବେ ଯତ୍ନ ସହକାରେ ପୋଷ୍ଟମର୍ଟମ କରାଯିବା ସହ କୋଭିଡ୍‌-୧୯ ପାଇଁ ଉପଯୁକ୍ତ ନମୁନା ପଠାଯିବା ଉଚିତ। ଜାତୀୟ ଚିଡ଼ିଆଖାନା କର୍ତୃପକ୍ଷଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସମସ୍ତ ସ୍ବୀକୃତିପ୍ରାପ୍ତ ପ୍ରାଣୀ ଉଦ୍ୟାନଗୁଡ଼ିକ ଉପଯୁକ୍ତ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର