ଆଲୁରୁବାଲୁରୁ ପ୍ରେକ୍ଷାଳୟ: ଶୁଖୁଛି ଲୁଗାପଟା, ମାଡ଼ିଗଲାଣି ଗଛଲଟା

ଭୁବନେଶ୍ବର: ନୃତ୍ୟ, ଗୀତ ଓ ସଂଳାପରେ ଗୁଞ୍ଜରି ଉଠୁଥିବା ପ୍ରେକ୍ଷାଳୟ ଏବେ ନିରବ। ତାଳି ଓ ହୋ-ହାଲାରେ ଫାଟି ପଡ଼ୁଥିବା ରଙ୍ଗମଞ୍ଚ ଶୂନ୍‌ଶାନ। କରୋନା କଟକଣା ଯୋଗୁଁ ପ୍ରେକ୍ଷାଳୟରେ ୭ ମାସ ହେଲା ତାଲା ଝୁଲୁଥିବା ବ‌େଳେ ଏକ ବିଡ଼ମ୍ବିତ ଚିତ୍ର ସାମ୍ନାକୁ ଆସିଛି। ପ୍ରେକ୍ଷାଳୟ କିଛି ମାସ ପାଇଁ ଅଲୋଡ଼ା ହୋଇଯିବା ପରେ ଏହା ଯେମିତି ଗୁରୁତ୍ବ ହରାଇ ବସିଛି। ତେଣୁ ସଞ୍ଜ ନଇଁଲେ ଯେଉଁ ପ୍ରେକ୍ଷାଳୟ ମାୟା ଲଗାଉଥିଲା, ଆଜି ସେଇ ରଙ୍ଗମଞ୍ଚ ରାସ୍ତାରେ ସବାର ହୋଇଛି ଅନାବନା ଗଛ। ବାହା ମେଲେଇ ଏଣେତେଣେ ମାଡ଼ି ଯାଇଛି ଲଟା। ପ୍ରେକ୍ଷାଳୟ ଏବେ ରୋଜଗାର ଦେଇପାରୁନି ବୋଲି ତାକୁ ଅଣ ବାପୁଆ ଭଳି ଅଣଦେଖା କରିଚାଲିଛି ପ୍ରଶାସନ। ଫଳରେ ଆଲୁରୁବାଲୁରୁ ‌ହୋଇ ପଡ଼ି ରହି ଆକର୍ଷଣ ହରାଇଛି ପ୍ରେକ୍ଷାଳୟ ପରିସର।

ଭଂଜ କଳାମଣ୍ଡପ ରାଜଧାନୀର ପ୍ରବେଶ ପଥରେ ଦଣ୍ଡାୟମାନ। ଏହା ମଧ୍ୟକୁ ପ୍ରବେଶ ମାତ୍ରେ ଦୃଷ୍ଟି ପଡ଼େ ୩ ମହାପୁରୁଷଙ୍କ ପ୍ରତିମୂର୍ତି ଉପରେ। ପ୍ରେକ୍ଷାଳୟରେ ପହଞ୍ଚିବା ପୂର୍ବରୁ ଏହି ମହାପୁରୁଷଙ୍କ ଦର୍ଶନରେ ମୁଣ୍ଡ ନଇଁଯାଏ। ମାତ୍ର ମହାପୁରୁଷଙ୍କୁ ଘେରି ରହିଥିବା ଲୁହା ବାଡ଼ ଏବେ ଧୋବାତୁଠ ସଦୃଶ ପାଲଟିଛି। ସେଠାରେ ବିନା ସଙ୍କୋଚରେ ଓଦା ଲୁଗାପଟା ଶୁଖାଯାଉଛି। ପ୍ରେକ୍ଷାଳୟକୁ ପ୍ରବେଶ ପୂର୍ବରୁ ଏପରି ଦୃଶ୍ୟ ନିଶ୍ଚୟ ଯେକୌଣସି ବ୍ୟକ୍ତିର ମନକୁ ଆଘାତ ପହଞ୍ଚାଇବ ଏଥିରେ ଦ୍ବିରୁକ୍ତି ନାହିଁ। ଏହାବ୍ୟତୀତ ପ୍ରେକ୍ଷାଳୟ ଉପରେ ଲାଗିଥିବା ନାମଫଳକ ସମ୍ମୁଖରେ ଗଛ ଉଠି ଗଲାଣି। ଚତୁଃପାର୍ଶ୍ବରେ ବି ଗଛ ସବାର ହୋଇ ଗଲାଣି। ମହାପୁରୁଷମାନେ ବସିଥିବା ପରିସରସ୍ଥ କ୍ଷୁଦ୍ର ଘାସ ଗାଲିଚା ବୁଦାରେ ପରିଣତ ହେଲାଣି। ମାତ୍ର ଏଥିପ୍ରତି କାହାର ଯେମିତି ନିଘା ନାହିଁ।
ଉତ୍କଳ ମଣ୍ଡପର ଅବସ୍ଥା ତଦ୍ରୂପ। ସହରର ସବୁଠୁ ବୃହତ୍‌ ଖୋଲା ପ୍ରେକ୍ଷାଳୟ ଭାବେ ପରିଗଣିତ ଉତ୍କଳ ମଣ୍ଡପ ପ୍ରବେଶ ପଥ ବନ୍ଦ ହେବା ପରେ ଏହା ଉପରେ ଗଛ ଲଟା ମାଡ଼ିଗଲାଣି। ଦୀର୍ଘ ଦିନ ଧରି ବନ୍ଦ ହୋଇ ପଡ଼ିବା ପରେ ଏବଂ ଯତ୍ନ ନିଆଯାଉ ନଥିବାରୁ ଦର୍ଶକ ଗ୍ୟାଲେରିରେ ବି ଗଛ ଉଠିଗଲାଣି। ଏହାବ୍ୟତୀତ ପରିସର‌ରେ ଲାଗିଥିବା ଲାଇଟ୍‌ ଭାଙ୍ଗିରୁଜି ଯାଇଛି। ଚତୁଃପାର୍ଶ୍ବ ଅବସ୍ଥା କଥା ନକହିବା ହିଁ ଭଲ। ସହରର କେନ୍ଦ୍ରଭାଗରେ ଛିଡ଼ା ହୋଇଥିବା ସବୁଠୁ ଲୋକପ୍ରିୟ ପ୍ରେକ୍ଷାଳୟ ରବୀନ୍ଦ୍ର ମଣ୍ଡପର ସ୍ଥିତି ବି ବିଗିଡ଼ି ଗଲାଣି। ଏହି ପ୍ରେକ୍ଷାଳୟର ୩ ପାର୍ଶ୍ବରେ ପ୍ରବେଶ ପଥ ରହିଛି। ତେବେ ମୁଖ୍ୟ ପ୍ରବେଶ ପଥରେ ଲାଗିଥିବା ଲୁହା ବାଡ଼ ଓ ପିଣ୍ଡି ଭାଙ୍ଗିରୁଜି ଗଲାଣି। ପ୍ରେକ୍ଷାଳୟ ଉଦ୍ଦେଶ୍ୟରେ ଲେଖାଯାଇଥିବା ନିର୍ଦେଶନାମାରେ ଗଛଲଟା ବଢ଼ି ଲୁଚି ଗଲାଣି। ପ୍ରବେଶ ପଥ ଆଡ଼କୁ ଗଛଲତା ମାଡ଼ି ଆସିଲେଣି।

କହିବା ବାହୂଲ୍ୟ, ରାଜଧାନୀର ୩ ପ୍ରମୁଖ ପ୍ରେକ୍ଷାଳୟ ସହରର ପ୍ରମୁଖ ଲ୍ୟାଣ୍ଡମାର୍କ। ମାତ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯେମିତି ଏହାର ରକ୍ଷଣାବେକ୍ଷଣ କଥା ପାସୋରି ଯାଇଛି। କରୋନା ଯୋଗୁଁ କଟକଣା ଲାଗିନାହିଁ ଯେ ରୋଜଗାର ହରେଇଥିବା ପ୍ରେକ୍ଷାଳୟ ବିଭାଗ ପାଇଁ ବୋଝ ପାଲଟି ଯାଇଛି। ସରକାର ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପ୍ରେକ୍ଷାଳୟ ବନ୍ଦ ରହିବ ବୋଲି ନିର୍ଦେଶ ଦେଇଛନ୍ତି। ସମ୍ଭବତଃ ନଭେମ୍ବର ମାସରୁ ପ୍ରେକ୍ଷାଳୟ ଖୋଲିବା ନେଇ ଘୋଷଣା ହୋଇପାରେ। ତେଣୁ ଅନ୍ତତଃ ଏହି ଅବଧି ପୂରିବା ପୂର୍ବରୁ ଏବଂ କେହି ଦର୍ଶକ ଯାଇ ପ୍ରେକ୍ଷାଳୟରେ ପାଦ ଥାପିବା ଆଗରୁରୁ ଏହାର ସୌନ୍ଦର୍ଯ୍ୟ ଫେରାଇ ଆଣାଯାଉ ବୋଲି ସଂସ୍କୃତି ପ୍ରେମୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର