ଥିଏଟର ଅଲିମ୍ପିକ୍ସର ଦ୍ୱିତୀୟ ସନ୍ଧ୍ୟା : ଦର୍ଶକଙ୍କୁ ନିରାଶ କଲା ନାଟ୍ୟ ମହାକୁମ୍ଭ

ଚୟନକୁ ନେଇ ପ୍ରଶ୍ନ ଉଠିଲା

ଭୁବନେଶ୍ୱର : ନାଁ ‘ଥିଏଟର ଅଲିମ୍ପିକ୍ସ’। ଅନ୍ତର୍ଜାତୀୟସ୍ତରର ନାଟ୍ୟ ମହାକୁମ୍ଭ ବୋଲି ଉତ୍ସାହ କାହିଁରେ କ’ଣ। ୫୧ ଦିନରେ ସାରା ଦେଶର ୧୭ଟି ରାଜ୍ୟରେ ୪୬୨ଟି ନାଟକ ମଞ୍ଚସ୍ଥ ହେବ ବୋଲି ଖବର ମିଳିବା ପରେ ସାରା ଦେଶର ନାଟ୍ୟ ରସିକ ଖୁସିରେ ଗଦଗଦ ହୋଇପଡ଼ିଥିଲେ। ଓଡ଼ିଶାକୁ ବି ଏଥିରେ ଭାଗ ମିଳିଥିଲା। ଅଥଚ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଥିବା ଏହି ନାଟ୍ୟ ପର୍ବକୁ ଆରମ୍ଭରୁ ବଦ୍‌ନାମ ହେବାକୁ ପଡ଼ିଛି। ଗତକାଲିର ନାଟକରେ ମେଲୋ ଡ୍ରାମା ଏବଂ ଆଜିର ନାଟକ ‘ଆଦି ବିଦ୍ରୋହୀ ତିଲ୍‌କା’ ଦେଖିବା ପରେ ଦର୍ଶକଙ୍କ ଉତ୍ସାହ ପାଣି ଫୋଟକା ପରି ମିଳେଇ ଯାଇଛି।

ନାଟକ ‘ଆଦି ବିଦ୍ରୋହୀ ତିଲ୍‌କା’ରେ କିଛି ଅଭିନେତା ନିଜର ସଂଳାପ ଭୁଲି ଯାଉଥିବା ବେଳେ କିଛି ଆଦିବାସୀ ନୃତ୍ୟକୁ ନାଟକରେ ଏମିତି ଖଞ୍ଜା ଯାଇଥିଲା ଯେ ଯାହା ନାଟକର କାହାଣୀ ସହିତ ବିଲ୍କୁଲ୍‌ ମେଳ ଖାଉନଥିଲା। ବିଡ଼ମ୍ବନା ଏହି ଯେ ମଞ୍ଚରେ ଆଲୁଅ ଲିଭିବା ପୂର୍ବରୁ ଚରିତ୍ରମାନେ ମଞ୍ଚରୁ ଚାଲି ଯାଉଥିଲେ। ପୁଣି କୌଣସି ଚରିତ୍ର ଏକ ଦୃଶ୍ୟର ମଧ୍ୟ ଭାଗରେ ପ୍ରବେଶ କରିବା ବେଳେ ଦର୍ଶକଙ୍କୁ କିଛି ସମୟ ପାଇଁ ଅପେକ୍ଷା କରିବାକୁ ପଡ଼ୁଥିଲା। ଲାଗୁଥିଲା ଯେମିତି ପ୍ରଥମ ମଞ୍ଚ ଅଭ୍ୟାସ ହେଉଛି। ତେଣୁ ଥିଏଟର ଅଲିମ୍ପିକ୍ସରେ ଅନ୍ତର୍ଜାତୀୟ ମାନର ନାଟକ ଦେଖିବେ ବୋଲି ଭାବି ଆସିଥିବା ବହୁ ବଡ଼ବଡ଼ ନାଟ୍ୟ ବ୍ୟକ୍ତିତ୍ୱମାନେ ମଧ୍ୟ ନାଟକକୁ ଦେଖି ମୁହଁ ମୋଡ଼ିଥିଲେ। ନାଟକରେ ଏଭଳି ତ୍ରୁଟି ଦେଖି ଆରମ୍ଭର ମାତ୍ର କେଇ ମିନିଟ୍‌ ମଧ୍ୟରେ ଉଠି ଚାଲି ଯାଇଥିଲେ। ନାଟକଟି ନୂଆଦିଲ୍ଲୀର ଲିଭିଂ ଥିଏଟର ସଂସ୍ଥା ମଞ୍ଚସ୍ଥ କରୁଥିଲା।

ଆମେ ଏହାଠୁ ବହୁ ଗୁଣରେ ଭଲ ନାଟକ କରିପାରିଥାଆନ୍ତୁ
ଦୁଇ ଦିନ ହେଲା ନାଟକ ଦେଖୁଛି। ପ୍ରଥମ ଦିନର ନାଟକରେ ମେଲୋ ଡ୍ରାମା ଦେଖିଲି। ଆଜି ପୁଣି ନାଟକର ପରିବେଷଣ ଶୈଳୀଠୁ ଆରମ୍ଭ କରି ପ୍ରତିଟି କ୍ଷେତ୍ରରେ ତ୍ରୁଟି ଦେଖିବା ପରେ ଅନ୍ତର୍ଜାତୀୟ ମାନର ଏକ ଥିଏଟର ଅଲିମ୍ପିକ୍ସ ପାଇଁ କିଭଳି ଏମିତି ନାଟକ ଚୟନ କରାଗଲା, ତାହା ଜାଣି କଷ୍ଟ ଲାଗୁଛି। ଆଜି ଏ ନାଟକ ଦେଖିବା ପରେ ଲାଗୁଛି ଆମେ ଏହାଠୁ ବହୁ ଗୁଣରେ ଭଲ ନାଟକ କରି ପାରିଥାଆନ୍ତୁ।
ଅଜିତ ଦାସ (ବିଶିଷ୍ଟ ଅଭିନେତା ତଥା ନାଟ୍ୟ ନିର୍ଦେଶକ)

ମନରେ ବହୁତ କ୍ଷୋଭ ଆସୁଛି
ଯେବେ ଆମ ନାଟକ ଚୟନ ପାଇଁ ଯାଇଥିଲା, ଭାବିଥିଲୁ ଆମ ନାଟକଠୁ ଆହୁରି ଉନ୍ନତ ଧରଣର ନାଟକ ଥିଏଟର ଅଲିମ୍ପିକ୍ସରେ ପ୍ରଦର୍ଶିତ ହେବ। ବୋଧେ ସେଇଥିପାଇଁ ଆମେ ନାଟକ ପରିବେଷଣର ସୁଯୋଗ ପାଇ ପାରିଲୁନି। ଏହାକୁ ଗ୍ରହଣ ବି କରିଥିଲୁ। କିନ୍ତୁ ଆଜିର ନାଟକ ଦେଖିବା ପରେ ମନରେ ବହୁତ କ୍ଷୋଭ ଆସୁଛି।
ଅଭିନ୍ନ ରାଉତରାୟ (ନାଟ୍ୟ ନିର୍ଦେଶକ)

ଏଭଳି ନାଟକ କିଭଳି ଚୟନ କରାଗଲା?
ଦୁଇ ଦିନ ହେଲା ନାଟକ ଦେଖୁଛୁ। କିନ୍ତୁ ଆଜିର ନାଟକ ପରିବେଷଣ ପରେ ମଞ୍ଚ ସାମ୍ନାରେ ବସି ପାରିଲିନି। ୨ ଘଣ୍ଟାର ନାଟକ। କିନ୍ତୁ ୧୫ ମିନିଟ୍‌ ବି ମତେ ମଞ୍ଚ ସାମ୍ନାରେ ବାନ୍ଧିକି ରଖି ପାରିଲାନି। ଦର୍ଶକ ବି ଅଗ୍ରାହ୍ୟ କରି ଚାଲିଗଲେ। ଯଦି ଏଭଳି ନାଟକ ରିପିଟ୍‌ ହୁଏ ତେବେ ଥିଏଟର ଅଲିମ୍ପିକ୍ସକୁ ନେଇ ଯେଉଁ ଉତ୍ସାହ ଥିଲା ତାହା ଫିକା ପଡ଼ିବା ନିଶ୍ଚିତ।
ଅଶୋକ କର (ନାଟ୍ୟ ନିର୍ଦେଶକ)

ସମ୍ବନ୍ଧିତ ଖବର