ଥିଏଟର୍‌ ଅଲିମ୍ପିକ୍ସର ତୃତୀୟ ସନ୍ଧ୍ୟା : ‘ମହାଜନେର୍‌ ନାଓ’ରେ କବିଙ୍କ କଥା

ଭୁବନେଶ୍ୱର : ଦୁଇଦିନ ନିରାଶ ହେବା ପରେ ଆଜିର ନାଟକ ‘ଥିଏଟର ଅଲିମ୍ପିକ୍ସ’ ରେ ଚମକ ଭରିଛି। ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ(ଏନ୍‍ଏସ୍‌ଡି) ପକ୍ଷରୁ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଚାଲିଥବା ନାଟ୍ୟ ମହାକୁମ୍ଭର ଆଜି ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ନାଟକ ‘ମହାଜନେର୍‌ ନାଓ’ ବେଶ୍‌ ଦର୍ଶକୀୟ ଆଦୃତି ସାଉଁଟିଛି। ଆଜିର ନାଟକକୁ ଦର୍ଶକ ଶେଷଯାଏଁ ପୂର୍ଣ୍ଣ ପ୍ରେକ୍ଷାଳୟରେ ଉପଭୋଗ କରିଛନ୍ତି। ବାଂଲାଦେଶର ସୁବଚନ ନାଟ୍ୟ ସଂସଦ ଦ୍ୱାରା ବଙ୍ଗଳା ଭାଷାରେ ମଞ୍ଚସ୍ଥ ‘ମହାଜନେର୍‌ ନାଓ’ ଏକ ପାରମ୍ପରିକ ବାଂଲାଦେଶୀ ସଂଗୀତଧର୍ମୀ ନାଟକ ହୋଇଥିଲେ ହେଁ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବିଶେଷକରି ରହସ୍ୟବାଦୀ କବି ଶାହା ଅବଦୁଲ୍‌ କରିମ୍‌ଙ୍କ ଜୀବନ ଉପରେ ଆଧାରିତ ଏହି ନାଟକରେ ରହସ୍ୟକୁ ବେଶ୍‌ ରୋଚକ ଢଙ୍ଗରେ ଉପସ୍ଥାପନ କରାଯାଇଥିଲଶ। କବିଙ୍କ ସଂର୍ଘଷମୟ ଜୀବନରେ ସତ୍ୟର ଅନୁସନ୍ଧାନ ଏବଂ ନିଜ ଶରୀରକୁ କବି କିଭଳି ଡଙ୍ଗା ସହିତ ତୁଳନା କରିଥିଲେ, ତାହାର ପ୍ରଦର୍ଶନ ନାଟକରେ ଦେଖିବାକୁ ମିଳିଥିଲା। ଆନୁଷ୍ଠାନିକ ଶିକ୍ଷା ଗ୍ରହଣ ନ କରି ମଧ୍ୟ ମାଟି, ପାଣି, ପବନ, ଡଙ୍ଗା ଓ ଦିଗବଳୟ ଆଦିରୁ ନିଜର ଅଭିଜ୍ଞତା ସାଉଁଟିବା ଆଦି କଥାବସ୍ତୁକୁ ମଞ୍ଚରେ ଅତି ସୁନ୍ଦର ଭାବେ ପରିବେଷଣ କରିଥିଲେ। ବାଂଲାଦେଶର ଜଣାଶୁଣା ଲେଖକ, ଫିଲ୍ମ ନିର୍ମାତା ଶକୁର୍‌ ମାଜାଦି ଏବଂ ବାଂଲାଦେଶର ପେସାଦାର ନାଟ୍ୟ ବ୍ୟକ୍ତିତ୍ୱ ରୂପେ ପରିଚିତ ସୁଦୀପ ଚକ୍ରବର୍ତୀଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ନାଟକରେ ଗିୟାସ୍‌ ଉଦ୍ଦିନ, ମହମ୍ମଦ୍‌ ଇମ୍‌ତିଆଦ, ଶାଓନ୍‌ସ୍‌ ରେଜା, ଲିତୁ ରାଣୀ ମଣ୍ଡଳ, ମହମ୍ମଦ୍‌ ଫଜ୍‌ଲୁଲ, ମହମ୍ମଦ୍‌ ଇମାନ୍‌ ହୋସେନ୍‌, ମହମ୍ମଦ ସୋହେଲ୍‌ ଖାନ୍‌, ଶାହା ସଲାଉଦ୍ଦିନ୍‌, ତନ୍‌ବୀର ଅହମ୍ମଦ ଭୂୟାଁ, ଏ ଏସ୍‌ ଏମ୍‌ ଅସ୍‌କୁଲ ଇସ୍‌ଲାମ୍‌ ମହମ୍ମଦ ମେହେଦୀ ହାସନ ପ୍ରମୁଖ ଅଭିନୟ କରିଥିଲେ। ନାଟକ ପୂର୍ବରୁ ଭବାନୀପାଟଣା ପ୍ରତିଭା ଅନୁଷ୍ଠାନ ପକ୍ଷରୁ ସିଂହାରୀ ନୃତ୍ୟ ପରିବେଷଣ କରାଯାଇଥିଲା। କଳାହାଣ୍ଡିର ୫ଟି ଲୋକନୃତ୍ୟକୁ ମିଶାଇ ୧୩ଜଣ କଳାକାର ଏହି ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନୋରଂଜନ କରିଥିଲେ।

ସମ୍ବନ୍ଧିତ ଖବର