ଭୁବନେଶ୍ୱର : ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ(ଏନ୍ଏସ୍ଡି) ପକ୍ଷରୁ ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ୍ ନାଟ୍ୟ ମହାକୁମ୍ଭ ‘ଥିଏଟର ଅଲିମ୍ପିକ୍ସ’ ଆଜି ଓଡ଼ିଶାରେ ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବରେ ପ୍ରଥମ ଦିନରେ ବଙ୍ଗଳା ନାଟକ ‘ଗଲ୍ପୋ ହକିମ ସାହେବ’ ଦେଖିବାକୁ ମିଳିଥିଲା। ରାଜାରାଜୁଡ଼ାଙ୍କ ମଧ୍ୟରେ ସଂଘର୍ଷ ପାଇଁ ବଙ୍ଗଳାରେ ପ୍ରଜାମାନଙ୍କ ଜୀବନ କିପରି ଦୁର୍ବିସହ ହୋଇପଡ଼ିଥିଲା ମଞ୍ଚରେ କଳାକାରମାନେ ତାର ନିଖୁଣ ପ୍ରଦର୍ଶନ କରିଥିଲେ।
ମନୋଜ ମିତ୍ରଙ୍କ ରଚିତ ତଥା ନିର୍ଦେଶିତ ଏହି ନାଟକକୁ ସୁନ୍ଦରମ, କୋଲକାତା ଅନୁଷ୍ଠାନ ପରିବେଷଣ କରିଥିଲା। ଦେବବ୍ରତ ଦାସ, ଦୀପକ ଦାସ, ମୟୁରୀ ମିତ୍ର, ମାନବେନ୍ଦ୍ର ପାଲ, ସଂଜୟ ମିତ୍ର, ମନୋଜ ମିତ୍ର, ସୂର୍ଯ୍ୟ ଚକ୍ରବର୍ତୀ, ଅମିତ ଚକ୍ରବର୍ତୀ, ଇନ୍ଦ୍ରଜିତ କୁମାର, ପ୍ରୀତମ ସେନ୍ଗୁପ୍ତ, ଦେବଲୀନା ଚକ୍ରବର୍ତୀ, ମାୟା ରାୟ, ସୁବ୍ରତ ଚୌଧୁରୀ, ରବିପ୍ରସାଦ ଚକ୍ରବର୍ତୀ, ବାଂଶରୀମୋହନ, ଗୌତମ ଗାୟେନ, ଶଂକର ପ୍ରସାଦ କର ପ୍ରମୁଖ ଏଥିରେ ଅଭିନୟ କରିଥିଲେ।
ଆଜି ସନ୍ଧ୍ୟାରେ ଅତିଥି ଭାବେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ପଦ୍ମଲୋଚନ ସାହୁ, ଏନ୍ଏସ୍ଡିର ପୂର୍ବତନ ଛାତ୍ର ତଥା ଅଭିନେତା ଅଜିତ ଦାସ, ଏନ୍ଏସ୍ଡିର ରେଜିଷ୍ଟ୍ରାର ପିକେ ମହାନ୍ତି, ଥିଏଟର ଅଲିମ୍ପିକ୍ସର ରାଜ୍ୟ ସଂଯୋଜକ ଧୀର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।