ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକଙ୍କ ଘରୁ ହୋଇଥିବା ଚୋରି ମାମଲାରେ କମିସନରେଟ୍‌ ପୁଲିସକୁ ସଫଳତା ମିଳିଛି। ପ୍ରାୟ ସପ୍ତାହେ କାଳ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଡେରା ପକାଇବା ପରେ ଗତକାଲି ରାତିରେ ସ୍ଥାନୀୟ ପୁଲିସ ସହାୟତାରେ କମିସନରେଟ୍‌ ପୁଲିସ ସେହି ଧୁରନ୍ଧର ସିନ୍ଧିଚୋରକୁ ବାନ୍ଧିଛି। ଆଜି ସେମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ବର ଅଣାଯାଉଛି। ଆସନ୍ତାକାଲି ତାକୁ ଭୁବନେଶ୍ବର କୋର୍ଟରେ ହାଜର କରାଯିବ ବୋଲି ନୂଆପଲ୍ଲୀ ଥାନା ସୂତ୍ରରୁ ଜଣାପଡ଼ିଛି।

Advertisment

ଘଟଣା ପରଠୁ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ପରେ ଚୋରକୁ ଚିହ୍ନଟ କରିଥିଲା। ଏକ ବଡ଼ ଜାଗାରେ ହାତ ମାରିଥିବାରୁ ଗିରଫ ହେବା ନିଶ୍ଚୟ ଜାଣି ସିନ୍ଧିଚୋର ଭୁବନେଶ୍ବର ଛାଡ଼ି ବିଜୟୱାଡ଼ା ପଳାଇଥିଲା। ମାତ୍ର ପୁଲିସ ତାକୁ ପିଛା କରିକରି ବିଜୟୱାଡ଼ାରେ ପହଞ୍ଚି ସେଠାରେ ଡେରା ପକାଇଲା। ସ୍ଥାନୀୟ ପୁଲିସ ସହଯୋଗରେ ସିନ୍ଧିଚୋରର ଆଡ଼ା ଠାବ କରାଯାଇଥିଲା। ଗତକାଲି ରାତିରେ ତାକୁ ପୁଲିସ ଗିରଫ କରିଥିଲା। ପୁଲିସ ତା’ଠାରୁ କ’ଣ କ’ଣ ଜବତ କରିଛି, ସ୍ପଷ୍ଟ କରିନାହିଁ। ଶ୍ରୀ ପଟ୍ଟନାୟକଙ୍କ ଘରୁ ଯାହା ସବୁ ଚୋରି ହୋଇଥିଲା, ସେଥିରୁ କ’ଣ ଜବତ ହୋଇଛି, ସେନେଇ ସୂଚନା ମିଳିନାହିଁ। ଆସନ୍ତାକାଲି ପୁଲିସ ଏହି ଚୋରର ଗୁମର ଖୋଲିବ। ଭିଭିଆଇପି କଲୋନିରେ କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଘରେ କେମିତି ପଶିଲା ଏବଂ ଅତ୍ୟାଧୁନିକ ତାଲା କାଟି ସୁନାଗହଣା ଓ ଟଙ୍କା କେମିତି ଲୁଟିଲା, ତାହା ଉପରୁ ପୁଲିସ ପରଦା ହଟାଇବ। 

ଜାନୁଆରି ୨୫ ତାରିଖ ବିଳମ୍ବିତ ରାତିରେ ଶ୍ରୀ ପଟ୍ଟନାୟକଙ୍କ ନୂଆପଲ୍ଲୀସ୍ଥିତ ବାସଭବନରୁ ଏହି ସିନ୍ଧିଚୋରି ହୋଇଥିଲା। ଦୁର୍ବୃତ୍ତଜଣକ ମାଷ୍ଟର ବେଡ୍‌ ରୁମ୍‌ରେ ପଶି ଟଙ୍କା ଓ ସୁନା ଅଳଙ୍କାର ଲୁଟ୍‌ କରିଥିଲା। ପରେ ସୁରକ୍ଷାକର୍ମୀଙ୍କୁ ମାତ୍‌ ଦେଇ ଦ୍ବିତୀୟ ମହଲାର ଝରକା ଡେଇଁ ଫେରାର ହୋଇଯାଇଥିଲା। ଚୋରି ଘଟଣାର ସମସ୍ତ ଦୃଶ୍ୟ ଭିଡିଓ ସିସିଟିଭିରେ କଏଦ ହୋଇଥିଲା। ଖୋଦ ରାଜଧାନୀରୁ ଭିଭିଆଇପି କଲୋନିରୁ ହୋଇଥିବା ଏହି ଚୋରି ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍ ଥିଲା। ସିନ୍ଧିଚୋରକୁ ତୁରନ୍ତ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଚୋର ଧରାପଡ଼ିବା ଯେତିକି ବିଳମ୍ବ ହେଉଥିଲା, ପୁଲିସକୁ ସେତିକି ବେଶି ବେଶି ସମାଲୋଚନାର ଶିକାର ହେବାକୁ ପଡ଼ୁଥିଲା।