ଭୁବନେଶ୍ବର: ରାଜଧାନୀରେ ବିଭିନ୍ନ କଲ୍ୟାଣମଣ୍ଡପରୁ ବରକନ୍ୟାଙ୍କ ଉପହାର ଲୁଟ୍ ହେବା ଘଟଣା କିଛି ନୂଆ କଥା ନୁହେଁ। ପୂର୍ବରୁ ଏମିତି ବହୁ ଚୋରି ଘଟଣା ଘଟିଛି ଏବଂ କିଛି ମାମଲାରେ ପୁଲିସ ମଧ୍ୟ ଅତିଥି ବେଶରେ ଥିବା ଧୂର୍ତ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଏଥର କିନ୍ତୁ ଅତିଥି ବେଶରେ ଦୁଇ ଧୂର୍ତ୍ତ ଏକ ବଡ଼ ଜାଗାରେ ହାତ ମାରି ଚମ୍ପଟ ମାରିଛନ୍ତି। ରାଜଧାନୀର ଏକ ଷ୍ଟାର୍ ହୋଟେଲ୍ ବିବାହମଣ୍ଡପରୁ ଡାକ୍ତର ଦମ୍ପତିଙ୍କୁ ଉପହାରରେ ମିଳିଥିବା ଲକ୍ଷାଧିକ ଟଙ୍କା ଓ ବହୁ ଗହଣା ଲୁଟି ନେଇଛନ୍ତି। ସେହିଭଳି ବାହାଘର ପରେ ଦେଣନେଣ ପାଇଁ ଥିବା ୨ ଲକ୍ଷ ଟଙ୍କା ଓ କନ୍ୟାର ୧୦ ଲକ୍ଷ ଟଙ୍କାର ହୀରା ଓ ସୁନା ଗହଣା ଲୁଟି ଦୁଇ ଧୂର୍ତ୍ତ ପାର୍ ହୋଇଯାଇଛନ୍ତି। ସିସିଟିଭିରେ ଏହି ଦୁଇ ଧୂର୍ତ୍ତଙ୍କର ସମସ୍ତ କଳା କାରନାମା କଏଦ ହୋଇଛି। ମାତ୍ର ୧୫ ମିନିଟ୍ ଭିତରେ ଚୋରଦ୍ବୟ ଘଟଣାସ୍ଥଳରୁ ଟଙ୍କା ଓ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଉଠାଇ କାର୍ ଯୋଗେ ଛୁ’ ମାରିଥିବା ସିସିଟିଭିରେ ରହିଛି। କିନ୍ତୁ ମୈତ୍ରୀବିହାର ଥାନା ପୁଲିସ ସେମାନଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ।
ଏକ କର୍ପୋରେଟ୍ ସଂସ୍ଥାର ଅବସରପ୍ରାପ୍ତ ଏଚ୍ଆର୍ ସରୋଜ କୁମାର ମିଶ୍ରଙ୍କ ଡାକ୍ତର ଝିଅ ସଂଜନିକା ମିଶ୍ରଙ୍କ ସହ ଝାଡ଼ଖଣ୍ଡ ଚକ୍ରଧରପୁରର ଡାକ୍ତର ଅଭିଷେକ ଷଡ଼ଙ୍ଗୀଙ୍କ ବିବାହ ହେଉଥିଲା। ରବିବାର ସନ୍ଧ୍ୟାରେ ମୈତ୍ରୀବିହାର ଥାନା ଅଞ୍ଚଳର ଏକ ଷ୍ଟାର୍ ହୋଟେଲ୍ରେ ଏହି ବିବାହ ଅନୁଷ୍ଠିତ ହେଉଥିଲା। ସିସିଟିଭି ଫୁଟେଜ୍ ଅନୁସାରେ ଲୁଟେରାଦ୍ବୟ ବରଯାତ୍ରୀଙ୍କ ମେଳରେ ଆସିଥିଲେ। ହୋଟେଲ୍ ବାହାରେ ପାର୍କିଂରେ କାର୍ ରଖିଥିଲେ। ବରଯାତ୍ରୀ ପହଞ୍ଚିବା ପରେ କନ୍ୟା ମଣ୍ଡପରେ ଗହଳି ଆହୁରି ବଢ଼ି ଯାଇଥିଲା। କନ୍ୟା ସଂଜନିକାଙ୍କ ମଣ୍ଡପରେ ଉପହାର ସବୁ ଏକ ବ୍ୟାଗ୍ରେ ରହିଥିଲା। ସଂଜନିକାଙ୍କ ମା’ ଉପହାର ସବୁକୁ ସଂଗ୍ରହ କରି ବ୍ୟାଗ୍ରେ ରଖୁଥିଲେ। ବରଯାତ୍ରୀ ମେଳରେ ଥିବା ଲୁଟେରାଦ୍ବୟ ବେଶ୍ କିଛି ସମୟ କନ୍ୟାଙ୍କ ମଣ୍ଡପ ନିକଟରେ ଏପଟସେପଟ ହେଲେ। ମଣ୍ଡପ ଉପରେ ଅତିଥିମାନେ ସଂଜନିକାଙ୍କ ସହ ଫଟୋ ସୁଟ୍ କରୁଥିଲେ। ଏତିକିବେଳେ ମଣ୍ଡପରେ ଫଟୋ ଉଠାଇବାକୁ ଭିଡ଼ ହୋଇଗଲା। ଏହି ମଉକାରେ ଜଣେ ଧୂର୍ତ୍ତ ସ୍ବାଭାବିକ ଭାବେ ମଣ୍ଡପ ଉପରକୁ ଯାଇ ସଂଜନିକାଙ୍କ ମା’ ରଖିଥିବା ବ୍ୟାଗ୍କୁ ଉଠାଇଥିଲା ଏବଂ ମଣ୍ଡପ ତଳକୁ ଆସିଥିଲା। ମଣ୍ଡପ ତଳେ ଥିବା ଅନ୍ୟ ଲୁଟେରାଜଣକ ତା’ ଉପରେ ନଜର ରଖିଥାଏ। ନାଚଗୀତ ଓ ଫଟୋ ଉଠାରେ ଅତିଥିମାନେ ଏମିତି ବ୍ୟସ୍ତ ଥିଲେ ଯେ ବ୍ୟାଗ୍ ଧରି ବେଶ୍ ଆରାମରେ ତଳକୁ ଆସୁଥିବା ଲୁଟେରାକୁ ଦେଖିପାରି ନଥିଲେ। ଏହାପରେ ଲୁଟେରାଦ୍ବୟ ହୋଟେଲ୍ ବାହାରକୁ ଆସି କାର୍ ଯୋଗେ ପଳାଇଥିଲେ।
ସରୋଜଙ୍କ ସୂଚନାନୁସାରେ ବ୍ୟାଗ୍ରେ ୧୦ ଭରିରୁ ଅଧିକ ଓଜନର ସୁନାଗହଣା ସହିତ ୨.୫ ଲକ୍ଷ ଟଙ୍କା ଥିଲା। ବର ପାଇଁ ଡାଇମଣ୍ଡ୍ କୋଟିଂ ବ୍ରେସ୍ଲେଟ୍, କନ୍ୟାର ଡାଇମଣ୍ଡ୍ କୋଟିଂ ଚୁଡ଼ି, ଇୟର୍ ରିଙ୍ଗ୍, ନଣନ୍ଦ ମୁଦି ଓ ଶଶୁରଘର ପକ୍ଷରୁ ମିଳିଥିବା କନ୍ୟାଙ୍କ ସୁନା ଗହଣା ବ୍ୟାଗ୍ରେ ଥିଲା। ଉପହାର ବାବଦରେ ସଂଜନିକାଙ୍କୁ ପ୍ରାୟ ୨ ଲକ୍ଷ ଟଙ୍କା ମିଳିଥିଲା ବୋଲି କୁହାଯାଉଛି। ଏହାବାଦ ହୋଟେଲ୍ର ବକେୟା ୫୦ ହଜାର ଟଙ୍କା ମଧ୍ୟ ବ୍ୟାଗ୍ରେ ଥିଲା ବୋଲି ସରୋଜ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/03/flpFdUqa8rP1AGxxVtKY.jpg)