ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ୫ ଶହ ଗ୍ରାମ୍‌ର ଗହଣା ଲୁଟିନେଲେ

ଭୁବନେଶ୍ୱର : ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୈରାଗୀନଗର ଅଞ୍ଚଳରେ ରହୁଥିବା ହରୀଶ ଜେନାଙ୍କ ଘରେ ଦୁର୍ବୃତ୍ତ କଳାକନା ବୁଲାଇ ଦେଇଛନ୍ତି। ଘରେ କେହି ନଥିବା ସୁଯୋଗରେ ଗତକାଲି ଝରକା ଗ୍ରିଲ୍‌ ତାଡ଼ି ଘରୁ ପାଖାପାଖି ୫ଶହ ଗ୍ରାମ୍‌ର ସୁନା ଅଳଙ୍କାର ଓ ନଗଦ ୨୮ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ସଂପର୍କରେ ଅଭିଯୋଗ ହେବାରୁ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଆଖପାଖରେ ଥିବା ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରିଛି।

ସୂଚନା ମୁତାବକ, ବୈରାଗୀନଗର ପ୍ଲଟ୍‌ ନମ୍ବର-୨୩୩/୩ର ଉପର ମହଲାରେ ହରୀଶ ଓ ତଳ ମହଲାରେ ତାଙ୍କ ବଡ଼ଭାଇ ରୁହନ୍ତି। କିଛି ଦିନ ତଳେ ହରୀଶ ପତ୍ନୀଙ୍କୁ ଭେଟିବା ପାଇଁ ଗୁଜରାଟ ଯାଇଥିଲେ। ପୂର୍ବରୁ ହରୀଶଙ୍କ ଘର ଉପରେ ନଜର ରଖିଥିବା ଦୁର୍ବୃତ୍ତମାନେ ଏହି ମୌକାରେ ତାଙ୍କ ଘରୁ ଲୁଟ୍‌ ପାଇଁ ଯୋଜନା କରିଥିଲେ। ଶନିବାର ରାତି ପାଖାପାଖି ସାଢ଼େ ୩ଟା ବେଳେ ଦୁର୍ବୃତ୍ତମାନେ ବାଲ୍‌କୋନି ବାଟେ ଉପର ମହଲାକୁ ଯିବା ପରେ ଝରକା ଗ୍ରିଲ୍‌ ଭାଙ୍ଗି ଭିତରେ ପଶିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଗୁପ୍ତସ୍ଥାନ ଖୋଜି ପାଖାପାଖି ୫ଶହ ଗ୍ରାମର ସୁନା ଗହଣା ଓ ନଗଦ୨୮ ହଜାର ଟଙ୍କା ଲୁଟି ନେଇଥି‌ଲେ। ତେବେ ଭଙ୍ଗାରୁଜା ଶବ୍ଦ ଶୁଣି ପଡ଼ୋଶୀ ‌ଲୋକ ଉଠିପଡ଼ିବା ସହ ହରୀଶଙ୍କ ବଡ଼ଭାଇଙ୍କୁ ଜଣାଇଥିଲେ। ପରିବାରଲୋକ ଉପରମହଲାକୁ ଆସିବା ପୂର୍ବରୁ ଦୁର୍ବୃତ୍ତମାନେ ଚତୁରତାର ସହ ଗହଣା ଓ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏନେଇ ଆଜି ଅଭିଯୋଗ ହେବାରୁ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର