ଥମୁନି ମୋ’ ବସ୍‌ରୁ ଚୋରି: ଦିନକରେ ୪୦ ମୋବାଇଲ୍ ଲୁଟିଲେ

ଭୁବନେଶ୍ବର: ମୋ’ ବସ୍ ଯାତ୍ରୀମାନଙ୍କଠାରୁ ଚୋରି ଥମିବା ନାଁ ଧରୁନି। ଗତ ପ୍ରାୟ ମାସେ ହେଲା ଲୁଟେରାମାନେ ମୋ’ବସ୍‌ରେ ଭିଡ଼କୁ ଦେଖି ଲୁଟେରାମାନେ ଟାର୍ଗେଟ୍‌ କରୁଛନ୍ତି। ଆଜି ଗୋଟିଏ ଦିନରେ ମୋ’ବସ୍‌ର ୪୦ ଯାତ୍ରୀଙ୍କ ମୋବାଇଲ୍‌ ଫୋନ୍‌ ଲୁଟ୍‌ ହୋଇଥିବା ଜଣାପଡ଼ିଛି। ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ତେଣୁ ଆଜି କମିସନରେଟ୍‌ ପୁଲିସ ୨ ଜଣ ଲୁଟେରାଙ୍କୁ ଗିରଫ କରି ୧୫ ମୋବାଇଲ୍‌ ଫୋନ୍ ଉଦ୍ଧାର କରିଥିଲେ ବି ପୁଣି ୪୦ ମୋବାଇଲ୍‌ ଫୋନ୍‌ ଚୋରି ପୁଲିସ ପାଇଁ ଚ୍ୟାଲେଞ୍ଜ୍‌ ହୋଇଛି ବୋଲି ଚର୍ଚ୍ଚା ହେଉଛି।

ଆଜି ସଂଧ୍ୟାରେ ମୁନା ସେଠୀ ବାଣୀବିହାର ଛକରୁ ଭିଏସ୍‌ଏସ୍‌ନଗର ଯାଉଥିଲେ। ସେ ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ ନିକଟରେ ଓହ୍ଲାଇବା ବେଳକୁ ତାଙ୍କ ମୋବାଇଲ୍ ଫୋନ୍ ନଥିଲା। ପକେଟ୍‌ମାର ତାଙ୍କ ଫୋନ୍‌ ଚୋରି କରି ନେଇଯାଇଥିଲା। ଏ ନେଇ ମୁନା ସହିଦନଗର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଚିରାଚରିତ ଢଙ୍ଗରେ ଏକ ମିସିଂ କେସ୍ ରୁଜୁ କରିଥିଲା। ତେବେ ସେ ଥାନାରେ ପହଞ୍ଚି ଦେଖିବାକୁ ପାଇଥିଲେ ମାତ୍ର ୧୦ ମିନିଟ୍‌ ଭିତରେ ତାଙ୍କ ଭଳି ଆହୁରି ୫ରୁ ଅଧିକ ଅଭିଯୋଗକାରୀ ଥାନାକୁ ଆସିଥିଲେ। କାହାର ମୋବାଇଲ୍ ଫୋନ୍ ତ କାହାର ପର୍ସ ଚୋରି ହୋଇଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଆଜି ଗୋଟିଏ ଦିନରେ ପାଖାପାଖି ୪୦ ଜଣଙ୍କ ମୋବାଇଲ୍ ଫୋନ୍‌ ମୋ’ ବସ୍ ଭିତରୁ ଚୋରି ହୋଇଛି।

ସୂଚନାଯୋଗ୍ୟ ଯେ ଆଜି ସହିଦନଗର ଥାନା ପୁଲିସ ଦୁଇ ଅଭିଯୁକ୍ତ ସଂଜୟ ସିଂହ ଓ ଗଣେଶ ପ୍ରଧାନ ମୋ’ବସ୍‌ ଯାତ୍ରୀଙ୍କୁ ଲୁଟୁଥିବା ଅଭିଯୋଗରେ ଗିରଫ କରିଛି। ସେମାନଙ୍କ ନିକଟରୁ ୧୫ଟି ମୋବାଇଲ, ଦୁଇଟି ଲାପଟପ୍, ସୁନା କାନଫୁଲ, ୫.୫ହଜାର ଟଙ୍କା ଜବତ କରାଯାଇଛି। ମୋ’ ବସ୍‌ରୁ ଚୋରି ବଢ଼ୁଥିବାରୁ କମିସନରେଟ୍‌ ପୁଲିସ ପ୍ରତି ଅଙ୍ଗୁଳି ଉଠିଥିଲା। ତେଣୁ ଏହି ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ପୁଲିସ କିଛିଟା ଆଶ୍ବସ୍ତ ହୋଇଥିଲା। ମାତ୍ର ପୁଣି ୪୦ ମୋବାଇଲ୍ ଚୋରି ଅଭିଯୋଗ ପୁଲିସ ପାଇଁ ଅଡ଼ୁଆ ସୃଷ୍ଟି କରିଛି।

ଦୁଇ ଲୁଟେରା ଗିରଫ

ଭୁବନେଶ୍ବର: ମୋ’ ବସ୍‌ରୁ ଲୁଟପାଟ୍‌ କରୁଥିବା ଦୁଇ ଲୁଟେରାଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲା ବଳରାମପୁରର ସଂଜୟ ସିଂହ ଓ ଯାଜପୁର ଜିଲ୍ଲା ଯଖପୁରା ଥାନା ଅଧୀନ ମନତୀରା ଗ୍ରାମର ଗଣେଶ ପ୍ରଧାନ। ଦୁହିଁଙ୍କୁ ପୁଲିସ ଆଜି ଯାଜପୁର ଜିଲ୍ଲା ଧାନମଣ୍ଡଳରୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ୧୫ଟି ମୋବାଇଲ୍‌, ଦୁଇଟି ଲାପଟପ୍, ୫ ହଜାର ୫ଶହ ଟଙ୍କା, ଗୋଟିଏ କାନଫୁଲ, ଦୁଇଟି ଲେଡିଜ୍ ମନି ପର୍ସ ଜବତ କରିଛି। ଆଜି ଦୁହିଁଙ୍କୁ କୋର୍ଟଚାଲାଣ କରାଯାଇଛି।

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ଏହି ଗ୍ୟାଙ୍ଗରେ ଆହୁରି ଅନେକ ମହିଳା ଓ ଛୋଟ ଛୁଆ ଅଛନ୍ତି। ସେମା​ନେ ମୋ’ ବସ୍‌ଠାରୁ ଆରମ୍ଭ କରି ରାଜଧାନୀର ବିଭିନ୍ନ ମାଛ ମାର୍କେଟ୍‌, ମଲ୍‌ ଓ ହସ୍ପିଟାଲ ଆଦିରେ ବୁଲାବୁଲି କରିଥା’ନ୍ତି। ଗହଳିର ସୁଯୋଗ ନେଇ ମୋବାଇଲ ଫୋନ୍, ପର୍ସ ଆଦି ଚୋରାଇବା ସହ ପକେଟମାର୍‌ କରିଥା’ନ୍ତି। ସେହିପରି ସକାଳୁ ସକାଳୁ ପାଣି ପିଇବା ବାହାନାରେ ଘରକୁ ଭିତରକୁ ପଶି ଲୁଟପାଟ୍‌ କରିଥା’ନ୍ତି। ଏହି ଗ୍ୟାଙ୍ଗର କୌଣସି ନିର୍ଦ୍ଦିଷ୍ଟ ଠିକଣା ନଥାଏ। ସେମାନେ ଷ୍ଟେସନ୍‌, ପରିତ୍ୟକ୍ତ ଘର, ସ୍କୁଲ କ୍ୟାମ୍ପସ, ରାସ୍ତାକଡ଼ରେ ରହିଥା’ନ୍ତି।
ଡିସିପି ପ୍ରତୀକ ସିଂହ କହିଛନ୍ତି, ମୋ’ ବସ୍‌ରେ ଯାତ୍ରା କରିବା ବେଳେ ଯଦି କୌଣସି ଏଭଳି ସନ୍ଦିଗ୍ଧ ମହିଳା, ପିଲା ଛୁଆଙ୍କ ସହିତ ଯାତ୍ରା କରୁଥାନ୍ତି, ତୁରନ୍ତ ଏ ନେଇ ପୁଲିସକୁ ଖବର ଦିଅନ୍ତୁ। ସେହିପରି ବଡ଼ି ଭୋରରୁ ସକାଳୁ ଉଠି କବାଟ ଖୋଲନ୍ତୁ ନାହିଁ ଓ ପୂଜା ସମୟରେ ଭିଡ଼ ଭିତରକୁ ମଧ୍ୟ ଯାଆନ୍ତୁ ନାହିଁ ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର