ଚନ୍ଦ୍ରଶେଖରପୁର: ରାଜଧାନୀରୁ ବାଇକ୍ ଲୁଟେରାମାନଙ୍କଠାରୁ କମ୍ ଦାମରେ ଗାଡ଼ି କିଣି ନୟାଗଡ଼ରେ ବିକ୍ରି କରୁଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଦଲାଲକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଡମଣାରେ ରହୁଥିବା ନୟାଗଡ଼ ମହୀପୁର ନୂଆଗାଁ ଅଞ୍ଚଳର କାହ୍ନା ପ୍ରଧାନ(୨୦)। ପୁଲିସ ତା’ର ଗାଁରେ ଚଢ଼ଉ କରି ୯ଟି ଚୋରା ବାଇକ୍ ଜବତ କରିଛି। ପୁଲିସ ତା’ଠାରୁ ବାଇକ୍ ଲୁଟେରାମାନଙ୍କ ବାବଦରେ ବହୁ ତଥ୍ୟ ହାସଲ କରିଥିବା ଜଣାପଡ଼ିଛି। ମାତ୍ର ଏହି ମାମଲାରେ ପୁଲିସ କୌଣସି ଲୁଟେରାଙ୍କୁ ଗିରଫ କରିପାରିନଥିବା ବେଳେ ଆଜି କେବଳ କାହ୍ନାକୁ କୋର୍ଟ ଚାଲାଣ କରାଯାଇଛି।
କାହ୍ନା ଗତ କିଛି ବର୍ଷ ହେଲା ଡମଣା ଅଞ୍ଚଳର ଏକ ବାଇକ୍ ଗ୍ୟାରେଜ୍ରେ କାମ କରୁଛି। ଭଲ ମିସ୍ତ୍ରି ଭାବେ ସେ ଜଣାଶୁଣା। ଗତକାଲି ରାତିରେ ସେ ଏକ ବାଇକ୍ ଧରି ଭଡ଼ାଘରକୁ ଫେରୁଥିବା ବେଳେ ପାଟ୍ରୋଲିଂ ଟିମ୍ ହାବୁଡ଼ରେ ପଡ଼ିଥିଲା। ସବୁଥର ଭଳି ନିଜକୁ ଗ୍ୟାରେଜ୍ ବାଲା ଓ ବାଇକ୍ ମିସ୍ତ୍ରି କହି ପୁଲିସକୁ ଚକ୍ମା ଦେବାକୁ ଉଦ୍ୟମ କରିଥିଲା। କିନ୍ତୁ ପୁଲିସ ଯାଞ୍ଚ କରିବା ପାଇଁ ସେ ଚଳାଉଥିବା ବାଇକ୍ର କାଗଜପତ୍ର ମାଗିଥିଲା। ଫଳରେ ଫସିଗଲା କାହ୍ନା।
ଉକ୍ତ ବାଇକ୍ର ରେଜିଷ୍ଟ୍ରେସନ୍ ନମ୍ବର ଠାରୁ ଆରମ୍ଭ କରି ସବୁ ନମ୍ବର ନକଲି ବୋଲି ଜଣାପଡ଼ିଥିଲା। ପରେ କାହ୍ନା ସବୁ ସତ ମାନିଯାଇଥିଲା। ପୁଲିସ ଟିମ୍ ନୟାଗଡ଼ ମହୀପୁର ନୂଆଗାଁରେ ଚଢ଼ଉ କରି ୯ଟି ବାଇକ୍ ଜବତ କରିଥିଲା। ସବୁ ଗାଡ଼ିରେ ନକଲି ନମ୍ବର ପ୍ଲେଟ୍ ଲାଗିଥିବା ବେଳେ କିଛି ବାଇକ୍ର ବିଭିନ୍ନ ପାର୍ଟସ୍ ବଦଳ କରାଯାଇଥିବା ମଧ୍ୟ ଜଣାପଡ଼ିଥିଲା। ରାଜଧାନୀରେ ବାଇକ୍ ଚୋରି କରୁଥିବା କିଛି ଲୁଟେରାଙ୍କଠାରୁ କାହ୍ନା ଗାଡ଼ି କିଣି ନେଇ ନୟାଗଡ଼ର ଅପହଞ୍ଚ ଗ୍ରାମାଞ୍ଚଳରେ ବିକୁଥିଲା