ଭୁବନେଶ୍ବର/ ମେଣ୍ଢାଶାଳ: ସ୍ଥାନୀୟ କଣ୍ଟାବାଡ଼ ନିକଟସ୍ଥ ଏକ ଅନ୍ଲାଇନ୍ ପାର୍ସଲସ୍ କମ୍ପାନିରୁ ଚୋରି କରିବା ଅଭିଯୋଗରେ ଆଜି ଚନ୍ଦକା ଥାନା ପୁଲିସ କମ୍ପାନିର ୫ କର୍ମଚାରୀଙ୍କୁ ଗିରଫ କରିଛି। ସେମାନେ କଟକ ସଦର ସବଳପୁରର ଦୀପକ ପରିଡ଼ା, ସାଇଁସୋ ନଖରାର ସରୋଜ ନନ୍ଦ ଦାସ, ପୁରୀ କଣାସର ପବିତ୍ର ମୋହନ ଦାସ, ବ୍ରହ୍ମଗିରିର ରାଜା ନାୟକ ଓ ଗୋପର ପ୍ରକାଶ ଚନ୍ଦ୍ର ନାୟକ। ସେମାନଙ୍କ ନିକଟରୁ କମ୍ପାନିରୁ ଲୁଟ୍ ହୋଇଥିବା ୧୪ ଦାମୀ ମୋବାଇଲ୍, ୨ ଲାପ୍ଟପ୍ ଓ ବିପୁଳ ପୋଷାକପତ୍ର ଜବତ କରାଯାଇଛି। ପୁଲିସ ସୂଚନାନୁସାରେ ଏସ୍ଏଲ୍ପି କ୍ୟୁଏ ବିଜି ବିସ୍ ଲଜିଷ୍ଟିକ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ନିର୍ବାହୀ ଅଧିକାରୀ ଏହି ଚୋରି ନେଇ ଲିଖିତ ଅଭିଯୋଗ କରିଥିଲେ।
କମ୍ପାନିକୁ ଆସୁଥିବା ପାର୍ସଲଗୁଡ଼ିକୁ ଡେଲିଭରି କରିବା ପୂର୍ବରୁ ଅଭିଯୁକ୍ତମାନେ ଲୁଟି ନେଉଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଗାଡ଼ିଚାଳକ ଥିବା ବେଳେ ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ ଅଛନ୍ତି। ସେହିଭଳି ଅନ୍ୟମାନେ କମ୍ପାନିର ଷ୍ଟୋର୍ ରୁମ୍ରେ କାମ କରୁଥିଲେ। ପାର୍ସଲଗୁଡ଼ିକରୁ ଦାମୀ ସାମଗ୍ରୀ ବାହାର କରିବା ପରେ ସେଥିରେ ଷ୍ଟିକର୍ ଲଗାଇ ଷ୍ଟୋର୍ରେ ରଖିଦିଅନ୍ତି। ସେମାନେ ପ୍ରାୟ ବର୍ଷକ ପୂର୍ବରୁ ଏଭଳି କାଣ୍ଡ କରିଆସୁଥିଲେ। ନିର୍ବାହୀ ଅଧିକାରୀ କମ୍ପାନିର କିଛି କର୍ମଚାରୀଙ୍କ ଉପରେ ସନ୍ଦେହ କରି ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଠାବ କରିଥିଲା।