ନିକୁଞ୍ଜବିହାରୀ ମନ୍ଦିରରେ କଳାକନା ବୁଲାଇଲେ

ରୁପା ବଂଶୀ, ବାଜୁ, ଚେନ୍‌, ବାହୁଟି, ନୂପୁର ଲୁଟ୍‌

ବାଲିଅନ୍ତା/ ବାଲିଅନ୍ତା ବଜାର: ଗତକାଲି ରାତିରେ ଦୁର୍ବୃତ୍ତମାନେ ପ୍ରଭୁ ନିକୁଞ୍ଜ ବିହାରୀ ଦେବଙ୍କ ମନ୍ଦିରରେ କଳାକନା ବୁଲାଇ ଦେଇଛନ୍ତି। ଗ୍ରିଲ୍‌ ତାଲା କାଟି ମନ୍ଦିରରୁ ପ୍ରଭୁ ନିକୁଞ୍ଜ ବିହାରୀ ଦେବ ଏବଂ ମା’ ରାଧାଙ୍କ ମୂର୍ତ୍ତିରୁ ବିଭିନ୍ନ ସୁନା, ରୂପା ଅଳଙ୍କାର ଲୁଟି ନେବା ସହ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିନେଇଛନ୍ତି। ଲୁଟ୍‌ ଅଳଙ୍କାର ମଧ୍ୟରେ ରହିଛି ନିକୁଞ୍ଜ ବିହାରୀଙ୍କ ୪୦୦ ଗ୍ରାମ୍‌ ଓଜନର ଦୁଇଟି ବଡ଼ ବଂଶୀ, ଦୁଇଟି ମୋଟା ବାହୁଟି ବା ବାଜୁ , ୪ଟି ରୁପା ଚେନ୍‌, ଏବଂ ରାଧାଙ୍କର ପ୍ରାୟ ୧୨ ଗ୍ରାମ୍‌ ଓଜନର ସୁନା ବାହୁଟି। ତେବେ ଦୁର୍ବୃତ୍ତମାନେ ଛୋଟ ରୁପା ବଂଶୀ ଏବଂ ଦୁଇ ଠାକୁର ୨ଟି ମୁକୁଟି ଛାଡ଼ି ପଳାଇଛନ୍ତି। ଲୁଟ୍‌ ଅଳଙ୍କାରର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ତେବେ ହୁଣ୍ଡିରୁ କେତେ ଟଙ୍କା ଚୋରି ହୋଇଛି, ତାହା ଜଣାପଡ଼ିନଥିଲେ ମଧ୍ୟ ୧୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଟ୍ରଷ୍ଟି ଦିଲ୍ଲୀପ କୁମାର ସାହୁଙ୍କ ଅଭିଯୋଗ ପରେ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ୍‌, ଏସିପି ଶୁଭ ନାରାୟଣ ମୁଦୁଲି ଓ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ପ୍ରମୁଖ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। କିନ୍ତୁ ମନ୍ଦିର ଲୁଟେରାମାନଙ୍କ ଟେର୍ ମିଳିନାହିଁ।

ପୂଜକ ଶ୍ରୀଧର କୁମାର ଦାଶଙ୍କ କହିବାନୁସାରେ ଗତକାଲି ସେ ରାତି ୯ଟା ବେଳେ ସବୁ ନୀତିକାନ୍ତି ସାରି ମନ୍ଦିରରେ ତାଲା ପକାଇ ଘରକୁ ଚାଲି ଯାଇଥିଲେ। ଆଜି ଭୋର୍‌ ୫ଟାରେ ସେ ଆସି ଦେଖିଲେ ସବୁ ଗ୍ରିଲ୍‌ ତାଲା କଟା ଯାଇଛି ଏବଂ ଠାକୁରଙ୍କ ପୂଜା ଉପକରଣ ବିକ୍ଷିପ୍ତ ଅବସ୍ଥାରେ ପଡ଼ିରହିଛି। ତେଣୁ ଚୋରି ହୋଇଥିବା ନିଶ୍ଚିତ ହୋଇ ସେ ପ୍ରଥମେ ଟ୍ରଷ୍ଟି ଶ୍ରୀ ସାହୁ ଓ ପରେ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଫୋନ୍‌ କରି ଜଣାଇଥିଲେ। ଏହା ପରେ ବାଲିଅନ୍ତା ଥାନା ପୁଲିସ ପହଞ୍ଚିଥିଲା। ମନ୍ଦିରରେ ସିସିଟିଭି ନଥିବାରୁ ପୁଲିସ ପାଇଁ ଏହି ଲୁଟ୍‌ ଏକ ଚ୍ୟାଲେଞ୍ଜ୍‌ ହୋଇଛି। ପୁଲିସ ବାଲିଅନ୍ତା ବଜାର ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌ରୁ କିଛି ସୁରାକ୍ ପାଇବା ଆଶାରେ ଯାଞ୍ଚ ଆରମ୍ଭ କରିଛି। ଏଣେ ଆଜି ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିରର ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଯାଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ମନ୍ଦିରରୁ ଦୁଇ ଥର ଲୁଟ୍‌ ହୋଇଥିଲା। କିଛି ବର୍ଷ ପୂର୍ବେ ଦୁର୍ବୃତ୍ତମାନେ ନିକୁଞ୍ଜ ବିହାରୀ ଦେବଙ୍କ ରୁପା ମୁକୁଟ ନେଇଯାଇଥିଲେ।

ସମ୍ବନ୍ଧିତ ଖବର