ଚୋରଣୀ ଚାକରାଣୀ : ମାଲିକାଣୀ ଘରୁ ଗହଣା ଚୋରିର ପର୍ଦ୍ଦାଫାସ୍, ସହ‌େଯାଗୀ ସହ ବନ୍ଧା ହେଲା

ଚୋରି ଗହଣା ବନ୍ଧା ପକାଇ କିଣିଥିଲା ସ୍କୁଟି

ଭୁବନେଶ୍ବର : ଚୋରଣୀ ପାଲଟିଲା ଚାକରାଣୀ। ମାଲିକାଣୀ ଘରେ ବୁଲାଇଲା କଳାକନା। ଘରେ କେହି ନ ଥିବାର ସୁଯୋଗ ନେଇ ଆଲମିରା ଖାଲି କରିଦେଲା । ଲୁଟ୍ ସୁନା ଅଳଙ୍କାରକୁ ବନ୍ଧକ ରଖି ମଉଜ କରୁଥିଲା। କିନ୍ତୁ ଏହି ମଉଜ ବେଶି ଦିନ ତିଷ୍ଠିଲାନି। ଶେଷରେ ପୁଲିସ ହାତରେ ଧରାପଡ଼ି ଜେଲ୍ ଯାଇଛି ଚାକରାଣୀ ଓ ତା’ର ସହଯୋଗୀ। ଚୋରି ଗହଣାକୁ ଉଦ୍ଧାର କରିବା ସହ କିଣା ଯାଇଥିବା ସ୍କୁଟି ଓ ସୁନା ଗହଣା ସବୁକୁ ମଧ୍ୟ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ଡୁମୁଡୁମା ରଘୁନାଥନଗରରେ ରହୁଥିବା ଚାକରାଣୀ ବି.ଇନ୍ଦୁ ରାଓ ଏବଂ ତା’ ପଡ଼ୋଶୀ ଲକ୍ଷ୍ମୀଧର ତ୍ରିପାଠୀ।

ପୁଲିସ ସୂଚନା ଅନୁସାରେ, ଡୁମୁଡୁମାରେ ଥିବା ଡିଏନ୍‌ ଅକ୍ସି ଆପାର୍ଟମେଣ୍ଟରେ ନିବେଦିତା ରାୟ ଓ ତାଙ୍କ ପରିବାର ରହନ୍ତି। ନିବେଦିତା ଓ ତାଙ୍କ ସ୍ବାମୀ ଆଇଟି ଇଞ୍ଜିନିୟର ଭାବେ କାମ କରନ୍ତି। ଇନ୍ଦୁ ତାଙ୍କ ଘରେ କାମ କରେ। ସବୁଦିନ ଭଳି ଗତ ୧୬ ତାରିଖରେ ନିବେଦିତା ଓ ତାଙ୍କ ସ୍ବାମୀ ଅଫିସକୁ ଯାଇଥିଲେ। ୧୭ ତାରିଖରେ ଆଲମିରା ଦେଖିବା ପରେ ତାଙ୍କର ପ୍ରାୟ ୫୦ ଗ୍ରାମ ଓଜନର ସୁନା ଅଳଙ୍କାର ନ ଥିଲା। ଏଥିରେ ହାର, ଚୁଡ଼ି, ମୁଦି ଆଦି ଅଳଙ୍କାର ଥିଲା। ନିବେଦିତା ଗତକାଲି ଏ ସମ୍ପର୍କରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଇନ୍ଦୁଙ୍କ ଉପରେ ସନ୍ଦେହ ଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ଇନ୍ଦୁଙ୍କୁ ଗିରଫ କରିବା ପରେ ପୂରା ଘଟଣାର ପର୍ଦ୍ଦାଫାସ୍ ହୋଇଥିଲା। ଇନ୍ଦୁ ସୁନା ଚୋରି କରିଥିବା ପୁଲିସ ଜେରା ବେଳେ ମାନିଥିଲା। ପୋଖରୀପୁଟସ୍ଥିତ ଥିବା ବନ୍ଧନ ବ୍ୟାଙ୍କରେ ସୁନା ବନ୍ଧକ ରଖି ଋଣ ଆଣିଥିଲା। ସେହି ଟଙ୍କାରେ ଏକ ପୁରୁଣା ସ୍କୁଟି କିଣିଥିଲା। ବାକି ସୁନାକୁ ଜାଗମରାରେ ଥିବା ଏକ ସୁନା ଦୋକାନରେ ବଦଳାଇ ନିଜ ପାଇଁ ନୂଆ ଅଳଙ୍କାର ବି କିଣିଥିଲା। ଏଥିରେ ଇନ୍ଦୁକୁ ତା’ ପଡ଼ୋଶୀ ଲକ୍ଷ୍ମୀଧର ତ୍ରିପାଠୀ ସବୁ ପ୍ରକାର ସହଯୋଗ କରିଥିଲା। ଏଥିପାଇଁ ସେ ଇନ୍ଦୁଠାରୁ ପ୍ରାୟ ୨୦ ହଜାର ଟଙ୍କା ମଧ୍ୟ ନେଇଥିବା ଜଣାପଡ଼ିଛି। ପୁଲିସ ସମସ୍ତ ସୁନା ଅଳଙ୍କାର ଓ ସ୍କୁଟି ଜବତ କରିଛି।

ନିବେଦିତାଙ୍କ ଘରେ ଦୀର୍ଘ ଦିନ ଧରି କାମ କରୁଥିବାରୁ କେଉଁଠି କଣ ରହୁଛି, ଇନ୍ଦୁକୁ ସେସବୁ ଜଣାଥିଲା। ଆଲମିରା ଚାବି କେଉଁଠି ରଖାଯାଉଛି, ତାହା ମଧ୍ୟ ଇନ୍ଦୁ ଜାଣିଥିଲା। ତେଣୁ ସୁଯୋଗ ଦେଖି ସେ ସବୁ ଚୋରି କରି ନେଇଥିଲା।

ଦୁଇ ମାସ ତଳେ ସୁନାମୁଦି ଚୋରି କରିଥିଲା
ଏହି ଘଟଣା ନୂଆ ନୁହେଁ, ଦୁଇ ମାସ ତଳେ ଚୋରି କରି ଧରାପଡ଼ିଥିଲା ଇନ୍ଦୁ। ନିବେଦିତାଙ୍କ ଘରୁ ଦୁଇଟି ସୁନାମୁଦି ଚୋରାଇ ନେଇଥିଲା। ନିବେଦିତା ଏ ସମ୍ପର୍କରେ ତାଙ୍କୁ ପଚାରିବା ପରେ ସେ ସତ ମାନି ଯାଇଥିଲା ଓ ମୁଦି ଦୁଇଟି ଫେରାଇ ଦେଇଥିଲା। ଭବିଷ୍ୟତରେ ଆଉ ଏପରି ଭୁଲ୍ କରିବ ନାହିଁ ବୋଲି କହିବା ପରେ ନିବେଦିତା ତାକୁ ପୁଣି କାମ କରିବାକୁ ସୁଯୋଗ ଦେଇଥିଲେ। କିନ୍ତୁ ନିବେଦିତାଙ୍କ ସୁନା ଅଳଙ୍କାର ଉପରେ ଇନ୍ଦୁର ନଜର ଥିଲା। ଲୋଭରେ ପଡ଼ି ପୁଣି ସେ ଚୋରି କଲା ଓ ଧରା ବି ପଡ଼ିଲା। ପୂର୍ବରୁ ଚୋରି କରିଥିବାରୁ ପୁଲିସ ତାକୁ ଧରିବାକୁ ସହଜ ହୋଇଥିଲା।

ଗ୍ରାହକଙ୍କ ବିବରଣୀ ସହ ଗହଣା ବନ୍ଧକ ରଖିବା ପାଇଁ ପୁଣି ପୁଲିସର ପରାମର୍ଶ
ଚୋର ଓ ଲୁଟେରାମାନେ ଲୁଟ୍ ସୁନାକୁ ବନ୍ଧକ ରଖି ଋଣ ଆଣିବା ଘଟଣା ବଢ଼ିବଢ଼ି ଚାଲିଛି। ଲୁଟେରା ଗ୍ୟାଙ୍ଗ୍‌ ବିଭିନ୍ନ ବ୍ୟାଙ୍କରେ ଚୋରି ଗହଣା ବନ୍ଧକ ରଖି ଟଙ୍କା ଆଣୁଛନ୍ତି। ଏହି ମାମଲାରେ ଚାକରାଣୀ ଇନ୍ଦୁ ମଧ୍ୟ ସେହି ତରିକା ଆପଣାଇଥିଲା। ତେଣୁ ସୁନା ବନ୍ଧକ ରଖିବା ପୂର୍ବରୁ ବନ୍ଧକ ରଖୁଥିବା ବ୍ୟକ୍ତିର ସବିଶେଷ ତଥ୍ୟ ହାସଲ କରିବା ପାଇଁ କମିସନରେଟ ପୁଲିସ ପୁଣି ବ୍ୟାଙ୍କ ବା ବନ୍ଧକ ରଖୁଥିବା ସଂସ୍ଥାମାନଙ୍କୁ ପରାମର୍ଶ ଦେଇଛି। ସନ୍ଦେହ ଆସିଲେ ସ୍ଥାନୀୟ ଥାନାକୁ ଖବର ଦେବା ପାଇଁ କୁହାଯାଇଛି। ଫଳରେ ଲୁଟେରାମାନେ ସହଜରେ ଧରାପଡ଼ିବେ।

ଚୋରି ପାଇଁ ପ୍ରାଣ ନେଇଥିଲା ଚାକରାଣୀ
ରାଜଧାନୀରେ ଚୋରି କରିବା ପାଇଁ ଚାକରାଣୀ ମାଲିକାଣୀଙ୍କ ପ୍ରାଣ ନେଇଥିବାର ନଜିର ରହିଛି। ୨୦୧୧ ଫେବ୍ରୁଆରି ୧ ତାରିଖରେ ବରମୁଣ୍ଡାରେ ବୃଦ୍ଧା ପୁଷ୍ପଲତା ଜେନାଙ୍କୁ ହତ୍ୟା କରି ଅଳଙ୍କାର ଲୁଟ୍ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରିବା ପରେ ତାଙ୍କ ଘରେ କାମ କରୁଥିବା ଚାକରାଣୀ ହତ୍ୟା କରି ସୁନା ଅଳଙ୍କାର ଲୁଟ୍ କରିଥିବା ଜଣା ପଡ଼ିଥିଲା। ସେହିପରି ୨୦୧୫ ନଭେମ୍ବର ୧୫ରେ ଶୈଳଶ୍ରୀବିହାରରେ ଡାକ୍ତର ଦମ୍ପତି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ଓ ତାଙ୍କ ପତ୍ନୀ ସୁଷମା ମିଶ୍ରଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ତାଙ୍କ ଘରେ କାମ କରୁଥିବା ଚାକରାଣୀ ଟିକିନା ବେହେରା ଓ ସ୍ବାମୀ ଯବାନ ନାୟକ ଅନ୍ୟ ସହଯୋଗୀମାନଙ୍କ ସହ ମିଶି ହତ୍ୟା କରିବା ପରେ ସୁନା ଅଳଙ୍କାର ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର