ଭୁବନେଶ୍ବର: ମାଲିକାଣୀଙ୍କ ଘରୁ ଗହଣା ଚୋରି କରିଥିବା ଅଭିଯୋଗରେ ଆଜି ଖାରବେଳନଗର ଥାନା ପୁଲିସ ଜଣେ ମହିଳାଙ୍କ ସମତେ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର ମଇନା ମୁଖି(୨୨), ପ୍ରଦୀପ୍ତ କୁମାର ଦାସ(୪୦) ଓ ଫତେଗଡ଼ ଅଞ୍ଚଳର ଗୁରୁ ନାୟକ ଓରଫ ଟିନୁ(୨୭)। ପୁଲିସ ସେମାନଙ୍କଠାରୁ ଚୋରି ହୋଇଥିବା ଦୁଇଟି ସୁନା ମୁଦି ଓ ଗୋଟିଏ ହୀରା ମୁଦି ଜବତ କରିଛି।
ପୁଲିସ ସୂଚନା ମୁତାବକ, ଖାରବେଳନଗରରେ ରହୁଥିବା ଆରତୀ ପାଣିଙ୍କ ଘରେ ମଇନା ସହାୟିକା ଭାବେ କାମ କରୁଥିଲା। ୩ ମାସ ହେଲା କାମ କରୁଥିବାରୁ ଶ୍ରୀମତୀ ପାଣି ମଇନାକୁ ବିଶ୍ବାସ କରୁଥିଲେ ଓ ବହୁ ସମୟରେ ମଇନାକୁ ଏକାକୀ ଘରେ ଛାଡ଼ି ସେ ବିଭିନ୍ନ କାମରେ ବାହାରକୁ ଯାଉଥିଲେ। ଗତ ୪ ତାରିଖରେ ଶ୍ରୀମତୀ ପାଣି ଘରୁ ବାହାରକୁ ଯାଇଥିବା ବେଳେ ସୁଯୋଗକୁ ଉଣ୍ଡି ବସିଥିବା ମଇନା ୨ଟି ସୁନା ମୁଦି ଓ ଗୋଟିଏ ହୀରା ମୁଦି ନେଇଯାଇଥିଲା। ଚୋରି କରିବା ପରେ ବି ମଇନା ଭଲ ଲୋକ ଭଳି ଘରେ ରହିଥିଲା।
ଏନେଇ ଶ୍ରୀମତୀ ପାଣି ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଖାରବେଳନଗର ଥାନା ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ସହ ଅଚାନକ ସତ୍ୟନଗର ଦୁର୍ଗାମଣ୍ଡପ ବସ୍ତିରେ ମଇନା ଘରେ ଚଢ଼ଉ କରିଥିଲା। ପଚରାଉଚରା ସମୟରେ ସେ ଚୋରି କରିଥିବା ମାନିଯାଇଥିଲା ଓ ଗହଣାଗୁଡ଼ିକୁ ସମ୍ପର୍କୀୟ ଭାଇ ଗୁରୁକୁ ବିକ୍ରୟ ପାଇଁ ଦେଇଥିବା ମାନିଥିଲା। ପୁଲିସ ଚକେଇସିହାଣିରେ ରହୁଥିବା ଗୁରୁ ଘରେ ଚଢ଼ଉ କରିବା ପରେ ସେ ପ୍ରଭାତି ଫର୍ଣ୍ଣିଚରରେ କାମ କରୁଥିବା ପ୍ରଦୀପ୍ତଙ୍କୁ ମୁଦିତକ ବିକ୍ରି କରିଥିବା ସ୍ବୀକାର କରିଥିଲା। ପୁଲିସ ପ୍ରଦୀପ୍ତକୁ ଗିରଫ କରିବା ସହ ତା’ଠାରୁ ସମସ୍ତ ଚୋରି ଜିନିଷ ଜବତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/arrest1.jpg)