ବିଧାନସଭା ଅତିଥି ଭବନରୁ ଟଙ୍କା ଓ ମୋବାଇଲ୍ ଚୋରି

ଡ୍ରାଇଭର୍ ନାଁରେ ଏତଲା ଦେଲେ ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ

ଭୁବନେଶ୍ବର: ସମ୍ବଲପୁରର ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବିନୀ କୁମାର ଗୁରୁ ରହୁଥିବା ବିଧାନସଭା ଅତିଥି ଭବନରୁ ମୋବାଇଲ୍ ଓ ଟଙ୍କା ଚୋରି ହୋଇଛି। ଏନେଇ ଶ୍ରୀ ଗୁରୁ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ସେ ଏତଲାରେ ଦର୍ଶାଇଛନ୍ତି, ତାଙ୍କ ଅଜାଣତରେ ୨ଟି ମୋବାଇଲ୍, ନଗଦ ୮ହଜାର ୭ଶହ ଟଙ୍କା ଓ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍‌ର ଏଟିଏମ୍ ଚୋରି ହୋଇଥିଲା। ଏଟିଏମ୍ ଚୋରି ହେବାର କିଛିଦିନ ପରେ ୧୫୦୦ଟଙ୍କା ଉଠାଯାଇଥିଲା। ଚୋରି ହେବା ପରଠାରୁ ଡ୍ରାଇଭର୍ ବିଶାଲ ଶୁକ୍ଳାର ଦେଖାନାହିଁ। ଯେଉଁଥିପାଇଁ ଶ୍ରୀ ଗୁରୁ ବିଶାଲକୁ ଚୋରି ପାଇଁ ଅଭିଯୁକ୍ତ ବୋଲି ଏତଲାରେ ଦର୍ଶାଇଛନ୍ତି।

ପୂର୍ବ ସପ୍ତାହରେ ମଧ୍ୟ ତାଙ୍କ ରୁମ୍‌ରେ ଥିବା ପ୍ରାୟ ୧୫ହଜାର ଟଙ୍କା ଚୋରି ହୋଇଥିଲା। ତେଣୁ ଏହି ଘଟଣାରେ ମଧ୍ୟ ବିଶାଲର ହାତ ଥିବା ସେ ଉଲ୍ଲେଖ କରିଛନ୍ତି। ଏନେଇ ଶ୍ରୀ ଗୁରୁ କହିଛନ୍ତି, ଦୀର୍ଘ ଦିନ ଧରି ତାଙ୍କ ସହିତ କାର୍ଯ୍ୟ କରୁଥିବା ଚାଳକ ଛୁଟିରେ ରହିବାରୁ ସେ ଅସ୍ଥାୟୀ ଗାଡ଼ି ଚାଳକ ବିଶାଲଙ୍କ ସହିତ ଭୁବନେଶ୍ବର ଆସିଥିଲେ। ମାତ୍ର ସେ ତାଙ୍କ ଅଜାଣତରେ ଲୁଟ୍‌ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର