ରାଜଧାନୀମୁହାଁ ହାତୀ ପଲ, ହାତୀଙ୍କ ଉପରେ ନଜର ରଖିଛି ୪ଟି ସ୍କ୍ବାଡ୍‌

ଭରତପୁରରେ ପଶିଲେ ୧୦, ଆଗରୁ ଅଛନ୍ତି ୫ ହାତୀ

ଭୁବନେଶ୍ବର/ମେଣ୍ଡାଶାଳ: ରାଜଧାନୀମୁହାଁ ହାତୀ ପଲ। ୩ କି ୪ଟି ନୁହେଁ, ଏକାଥରେ ୧୦ଟି ହାତୀ ରାଜଧାନୀ ଉପକଣ୍ଠରେ ଚକ୍କର କାଟୁଛନ୍ତି। ଗୋଟିଏ ପରେ ଗୋଟିଏ ଗାଁକୁ ପଶୁଛନ୍ତି। କାହା ବାଡ଼ିରେ ପରିବା ଖାଉଛନ୍ତି ତ ଆଉ କାହା କଦଳୀ ବଗିଚାକୁ ଦଳି ଚକଟି ନଷ୍ଟ କରି ଦେଉଛନ୍ତି। ୨୪ ଘଣ୍ଟା ହେଲା ସେମାନେ ସହର ଉପକଣ୍ଠରେ ଉତ୍ପାତ କରୁଥିଲେ ମଧ୍ୟ ବନବିଭାଗ ‌ସେମାନଙ୍କୁ ଚନ୍ଦକା ଜଙ୍ଗଲ ଭିତରକୁ ଘଉଡ଼ାବାକୁ ସକ୍ଷମ ହୋଇପାରିନାହିଁ। ସମ୍ପୃକ୍ତ ୧୦ ଟିକିଆ ହାତୀପଲ ଏବେ ଭରତପୁର ଜଙ୍ଗଲ ଭିତରେ ପଶିଛନ୍ତି। ପୂର୍ବରୁ ଏଠାରେ ୫ଟି ହାତୀ ରହିଛନ୍ତି। ତାଙ୍କ ସହ ଏହି ୧୦ଟିକିଆ ହାତୀ ପଲ ମିଶି ଯାଇଥିବାରୁ ଭରତପୁର ସଂରକ୍ଷିତ ଜଙ୍ଗଲରେ ଏବେ ୧୫ଟି ହାତୀ ରହିଛନ୍ତି। ଦୀର୍ଘ ବର୍ଷ ପରେ ଭରତପୁର ଜଙ୍ଗଲରେ ଏତେ ସଂଖ୍ୟକ ହାତୀଙ୍କୁ ଦେଖିବାକୁ ମିଳିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଠଗଡ଼ ଓ ଖୋର୍ଧା ଆଡ଼ୁ ୩ ମାସ ତଳେ ଦୁଇଟି ହାତୀପଲ ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ୧୫ ଟିକିଆ ଗୋଟିଏ ଓ ଆଉ ଗୋଟିଏ ୯ ଟିକିଆ ହାତୀପଲ ରହିଥିଲେ। ମୋଟ ୨୪ଟି ହାତୀ ରହିଥିବା ବେଳେ ସେଥିମଧ୍ୟରୁ ଦୁଇଟି ହାତୀ ଗୋଠଛଡ଼ା ହୋଇ ମାସେ ତଳେ ରାଜଧାନୀ ଉପକଣ୍ଠରେ ଉତ୍ପାତ କରିବା ପରେ ସେମାନଙ୍କୁ ଭରତପୁର ଜଙ୍ଗଲରେ ଛଡ଼ା ଯାଇଥିଲା। ଚନ୍ଦକା ଅଭୟାରଣ୍ୟରେ ଥିବା ବାକି ୨୨ଟି ହାତୀଙ୍କ ମଧ୍ୟରୁ ୧୦ ଟିକିଆ ହାତୀ ପଲ ମଙ୍ଗଳବାର ରାତିରେ ଚନ୍ଦକା ଜଙ୍ଗଲ ବାହାରକୁ ଆସିଥିଲେ। ଚନ୍ଦକାରୁ ଗୋଡ଼ିବାରି ବାଟ ଦେଇ ଦାଶପୁରକୁ ଆସିଥିଲେ। ଏହାପରେ ଅନ୍ଧାରୁଆର ସଉରାବାଙ୍କ ଦେଇ ଆଜି ସକାଳେ ଭରତପୁରରେ ପହଞ୍ଚିଥିଲେ। ସକାଳୁ ସକାଳୁ ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ଏଣେତେଣେ ଦୌଡ଼ିଥିଲେ। ହାତୀ ପଲ ଲୋକଙ୍କ ବାଡ଼ିରେ ପଶି ବ୍ୟାପକ କ୍ଷତି କରିଛନ୍ତି। ହାତୀ ବୁଲୁଥିବା‌ ଦେଖିବା ପରେ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ତେବେ ସକାଳୁ ବନ ବିଭାଗର କୌଣସି ଅଧିକାରୀ ପହଞ୍ଚି ନଥିଲେ। ଦୀର୍ଘ ସମୟ ବାଟବଣା ହୋଇ ବୁଲିବା ପରେ ପୂର୍ବାହ୍ନରେ ଏହି ହାତୀ ପଲ ଭରତପୁର ଜଙ୍ଗଲ ଭିତରକୁ ପ୍ରବେଶ କରିଥିଲେ।

ଚନ୍ଦକା ଡିଏଫ୍‌ଓ କେଦାରନାଥ ସ୍ବାଇଁଙ୍କ ସୂଚନା ଅନୁଯାୟୀ, ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଏହି ୧୦ ଟିକିଆ ହାତୀ ପଲରେ ୩ଟି ଛୁଆ ହାତୀ ରହିଛନ୍ତି। ଆଗରୁ ଭରତପୁରରେ ୫ଟି ହାତୀ ରହିଥିବା ବେଳେ ଏବେ ୧୦ଟି ଟିକିଆ ହାତୀ ପଲ ଆସିଥିବାରୁ ସେମାନଙ୍କୁ ଜଗିବା ଆମ ପାଇଁ ଆହ୍ବାନ ହୋଇଛି। ବରିଷ୍ଠ ଅଧିକ‌ାରୀଙ୍କୁ ନେଇ ୪ଟି ସ୍କ୍ବାଡ୍‌ ଗଠନ ହୋଇଛି। ହାତୀଙ୍କ ଉପରେ ନଜର ରଖିଛନ୍ତି। ଶୁକ୍ରବାର ସେମାନଙ୍କ ଗତିବିଧି ସମ୍ପର୍କରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର