ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ବିଏମ୍ସି ନିର୍ବାଚନ ହେବାକୁ ଯାଉଛି। କର୍ପୋରେଟର୍ ପଦ ପାଇଁ ମଇଦାନକୁ ଓହ୍ଲାଇଥିବା ୨୯୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୦ଜଣ ମହିଳା। ଅର୍ଥାତ୍ ସମୁଦାୟ ପ୍ରାର୍ଥୀଙ୍କ ସଂଖ୍ୟାର ଏହା ୫୬ ପ୍ରତିଶତ। ଏହି ଅଙ୍କ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ୨୦୦୮ମସିହାରେ ୩୮୩ ପ୍ରାର୍ଥୀଙ୍କ ମଧ୍ୟରେ ୧୮୭ମହିଳା ପ୍ରାର୍ଥୀ ରହିଥିଲେ। ଏହା ସମୁଦାୟ ପ୍ରାର୍ଥୀଙ୍କର ୪୯ପ୍ରତିଶତ ଥିଲା। ସେହିଭଳି ୨୦୧୪ ମସିହାରେ ୩୯୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୧୧ ଜଣ ମହିଳା ରହିଥିଲେ। ଏହି ସଂଖ୍ୟା ୫୩ ପ୍ରତିଶତ ରହିଥିଲା।
ମେୟର ପଦକୁ ହିସାବକୁ ନେଲେ ୬୮ ଆସନ ପାଇଁ ୧୭୨ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଥର ମେୟର ପଦ ସମେତ ୩୪ଟି କର୍ପୋରେଟର୍ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ୩୪ସଂରକ୍ଷିତ ଆସନରେ ୧୨୭ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେହିଭଳି ୧୩ଟି ୱାର୍ଡରେ ମହିଳା ପ୍ରାର୍ଥୀ ନଥିବା ବେଳେ ବାକି ୨୧ ୱାର୍ଡରୁ ୨୦ଟି ଅଣସଂରକ୍ଷିତ ଓ ଗୋଟିଏ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ୱାର୍ଡରୁ ମୋଟ ୩୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।
ଅଣସଂରକ୍ଷିତ ଥିବା ୧୬ ଓ ୨୦ ନମ୍ବର ୱାର୍ଡରେ ସର୍ବାଧିକ ୩ଜଣ ଲେଖାଏଁ ମହିଳା ପ୍ରାର୍ଥୀ ରହିଛନ୍ତି। ଉଭୟ ୱାର୍ଡରେ ବିଜେପି ଓ କଂଗ୍ରେସ ମହିଳା ପ୍ରାର୍ଥୀ ଦେଇଛନ୍ତି। ଅଣସଂରକ୍ଷିତ ଥିବା ୪ଟି ୱାର୍ଡରେ ବିଜେଡି ମହିଳା ପ୍ରାର୍ଥୀ ଦେଇଛି। ୨୫ରେ ମାନସୀରାଣୀ ସୁନ୍ଦରାୟ, ୫୬ରେ କେ. ଶାନ୍ତି, ୫୧ରେ ବିନୟିନୀ ଜେନା, ୬ରେ ପ୍ରୀତିନନ୍ଦା ରାଉତରାୟ ଲଢ଼େଇ କରୁଛନ୍ତି। ସେହିଭଳି ବିଜେପି ମଧ୍ୟ ବିଜେଡିର ଟାଣୁଆ ନେତାଙ୍କ ବିରୋଧରେ ମହିଳା ପ୍ରାର୍ଥୀ ଦେଇଛି। ୪୫ ନମ୍ବରରେ ଅମରେଶ ଜେନା ଓ ବିଜେପିର ଜ୍ୟୋତିରେଖା ନାୟକଙ୍କ ମଧ୍ୟରେ ଦ୍ବିମୁଖୀ ଲଢ଼େଇ ହେଉଛି। ୪୩ ନମ୍ବରରେ ବିଜେଡି ପ୍ରାର୍ଥୀ ଭରତ ଲେଙ୍କାଙ୍କ ସହ ବିଜେପିର ନିବେଦିତା ପ୍ରଧାନ ଲଢ଼େଇ କରୁଛନ୍ତି। ସେହିଭଳି ୫୪ନମ୍ବର ୱାର୍ଡରେ ତିନି ପ୍ରମୁଖ ଦଳ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି। ବିଜେଡି ଓ ବିଜେପିର ଏଠାରେ ପୁରୁଷ ପ୍ରାର୍ଥୀ ଥିବା ବେଳେ କଂଗ୍ରେସ ମହିଳା ପ୍ରାର୍ଥୀ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/bmc-election-a.jpg)