ରାଜଧାନୀ ଓ ଉପକଣ୍ଠରେ ଆଉ ୨ କୋଭିଡ୍‌ ହସ୍ପିଟାଲ, ୬୨୬ ଶଯ୍ୟା ସହ ୪୩ ଆଇସିୟୁ ରହିବ

ଭୁବନେଶ୍ବର/ଖୋର୍ଧା ରାଜଧାନୀରେ ଉପରମୁହାଁ କରୋନା। ଏବେ ପ୍ରତିଦିନ ୩୦ରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି। ଦିନେ ଦିନେ ୬୦ ବି ଡେଇଁ ଯାଉଛି। ସ୍ଥିତି ଅଣାୟତ୍ତ ହେଉଥିବାରୁ ପ୍ରଶାସନର ନିଦ ହଜି ଗଲାଣି। କିଭଳି ଭାବେ ଏହାର ମୁକାବିଲା କରାଯିବ, ଏତେ ସଂଖ୍ୟକ ରୋଗୀଙ୍କୁ କିଭଳି ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ, ତାହା ଚିନ୍ତା ବଢ଼ାଇଛି। ଯେତିକି ରୋଗୀ ବାହାରୁଛନ୍ତି, ସେତିକି ସୁସ୍ଥ ହେଉଛନ୍ତି। ତା’ପରେ ବି ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହିସାବରେ ବଢ଼ି ଚାଲିଛି ଆଗାମୀ ଦିନରେ ହସ୍ପିଟାଲରେ ଚିକିତ୍ସା ପାଇଁ ଶଯ୍ୟା ଅଭାବ ହେବାର ଆଶଙ୍କା ପ୍ରକାଶ ପାଇଛି। ତାହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଆଉ ଏକ କୋ‌ଭିଡ୍‌ ହସ୍ପିଟାଲ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ସେହିପରି ଉପକଣ୍ଠ ବାଲିଅନ୍ତାରେ ମଧ୍ୟ ଆଉ ଏକ କୋଭିଡ୍‌ ହସ୍ପିଟାଲ ପାଇଁ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିବା ଜଣାଯାଇଛି। ଏହି ଦୁଇଟି ହସ୍ପିଟାଲରେ ମୋଟ ୬୨୬ ସାଧାରଣ ଶଯ୍ୟା ସହ ୪୩ଟି ଆଇସିୟୁ ୱାର୍ଡ ରହିବ ବୋଲି ଜଣାଯାଇଛି।

ଭୁବନେଶ୍ବରସ୍ଥିତ ହାଇଟେକ୍‌ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ସହିତ ବିଏମ୍‌ସିର ଚୁକ୍ତି ସ୍ବାକ୍ଷର ହୋଇଛି। ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ଓ ହାଇଟେକ୍ ମେଡିକାଲ କଲେଜର ମୁଖ୍ୟ ପରିଚାଳନା ଅଧିକାରୀ ଡା. ଜ୍ୟୋତିର୍ମୟୀ ପଣ୍ଡାଙ୍କ ଉପସ୍ଥିତିରେ ଏହା ସ୍ବାକ୍ଷରିତ ହୋଇଛି। ଚୁକ୍ତି ଅନୁଯାୟୀ, ୫ଶହ ଶଯ୍ୟା ସହ ୨୮ଟି ଆଇସିୟୁ ଶଯ୍ୟା ରହିବ ବୋଲି ପ୍ରାରମ୍ଭିକ ସୂଚନା ମିଳିଛି।
ଅପରପକ୍ଷେ ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ସଂକ୍ରମିତଙ୍କ ତ୍ବରାନ୍ବିତ ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ସ୍ବତନ୍ତ୍ର କୋଭିଡ୍ ହସ୍‌ପିଟାଲ୍ ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ବାଳକାଟିଠାରେ କୋଭିଡ୍‌ ହସ୍‌ପିଟାଲ୍ ସ୍ଥାପନ ଓ ପରିଚାଳନା ପାଇଁ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଓ ନୀଳାଚଳ ହସ୍‌ପିଟାଲ୍‌ର ସିଇଓଙ୍କ ମଧ୍ୟରେ ଭୁବନେଶ୍ବର ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଚୁକ୍ତି ଅନୁସାରେ ବାଳକାଟିଠାରେ ସ୍ଥାପିତ ହେବାକୁ ଥିବା ହସ୍ପିଟାଲ୍‌ରେ ୧୨୬ଟି ସାଧାରଣ ଶଯ୍ୟା ଓ ୧୫ଟି ଆଇସିୟୁ ରହିବ। ଏହି ବୁଝାମଣା ସ୍ବାକ୍ଷର ହେବା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ବରଞ୍ଜନ ପତି, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର