ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ପିଜି ନାମଲେଖା ପାଇଁ ବଳକା ପଡ଼ିଛି ୩୮ ସିଟ୍। ଅର୍ଥାତ ଏଠାରେ ୭୯ରୁ ୪୧ ସିଟ୍ରେ ନାମଲେଖା ସରିଛି। ତୃତୀୟ ଏବଂ ସ୍ପଟ୍ କାଉନସେଲିଂ ବାକି ରହିଥିବାରୁ ଖୁବ୍ ଶୀଘ୍ର ବାକି ସିଟ୍ ମଧ୍ୟ ପୂରଣ ହୋଇଯିବ। ପିଜିରେ ଆଉ ଦୁଇଟି ପାଠ୍ୟକ୍ରମ ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ଅନୁମୋଦିତ ହେବା ନେଇ ଆଶା ରହିଛି। ଅନ୍ୟଦିଗରେ ଆସନ୍ତାମାସରୁ ୧୨୫ ସିଟ୍ ବିଶିଷ୍ଟ ଏମ୍ବିବିଏସ୍ ନାମଲେଖା ଆରମ୍ଭ ହୋଇ ଗୋଟିଏ ମାସରେ ସମାପ୍ତ ହୋଇଯିବ।
ସୂଚନା ଅନୁଯାୟୀ, ଏମ୍ସରେ ୨୦୧୨ ମସିହାରୁ ଏମ୍ବିବିଏସ୍ ଏବଂ ୨୦୧୬ ମସିହାରୁ ପିଜି ପାଠ୍ୟକ୍ରମ ଖୋଲିଛି। ଏଠାରେ ଥିବା ସମୁଦାୟ ୪୪ଟି ବିଭାଗ ମଧ୍ୟରୁ ୨୫ ବିଭାଗରେ ପିଜି, ୧୨ଟିରେ ସୁପରସ୍ପେସାଲିଟି ବିଭାଗର ପିଜି ରହିଛି। ଅର୍ଥାତ ୩ ବର୍ଷୀୟା ପିଜି ପାଠ୍ୟକ୍ରମ ସରିବା ପରେ ଆଉ ୩ ବର୍ଷ ସୁପରସ୍ପେସାଲିଟି ବିଭାଗରେ ପିଜି କରାଯାଇ ଥାଏ। ନେଫ୍ରୋଲୋଜି, ଗ୍ୟାଷ୍ଟ୍ରୋସର୍ଜରି, ଏଣ୍ଡୋକ୍ରିନୋଲୋଜି, ନ୍ୟୁକ୍ଲିୟର ମେଡିସିନ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଆଜି ପର୍ଯ୍ୟନ୍ତ ଏମ୍ସ ପିଜି ଖୋଲି ପାରିନାହିଁ। ଏହି ବିଭାଗରେ ଡାକ୍ତର ନିଯୁକ୍ତି ବିଳମ୍ବରେ ହୋଇଥିବାରୁ ଏହାର ପିଜି ପାଠ୍ୟକ୍ରମ ଖୋଲିବା ବିଳମ୍ବିତ ହେଉଛି।
ଏହାକୁ ବର୍ତ୍ତମାନର ଏମ୍ସ କର୍ତ୍ତୃପକ୍ଷ ଗୁରୁତ୍ବର ସହିତ ନେଇଛନ୍ତି। ଏହି ୪ଟି ବିଭାଗ ମଧ୍ୟରୁ ଅନ୍ୟୁନ ୨ଟି ବିଭାଗରେ ପିଜି ଖୋଲିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ପ୍ରତିବର୍ଷ ଏମ୍ସ ଦିଲ୍ଲୀ ବ୍ୟତୀତ ଅନ୍ୟ ଏମ୍ସମାନଙ୍କରେ ଅଣକ୍ଲିନିକାଲ ବିଭାଗରେ କିଛି ସିଟ୍ ଖାଲି ପଡ଼େ। ଜାନୁଆରି କାଉନସିଲିଂରେ ଏମ୍ସ ଭୁବନେଶ୍ବରରେ ପିଜି ସବୁ ସିଟ୍ ରେ ବିଦ୍ୟାର୍ଥୀ ନାମଲେଖାଇଥିଲେ। ଗତ କିଛି ବର୍ଷ ହେଲା ଏମ୍ସ ଦିଲ୍ଲୀ ପରେ ଭୁବନେଶ୍ବର ଉଭୟ ପିଜି ଏବଂ ଏମବିବିଏସରେ ବିଦ୍ୟାର୍ଥୀଙ୍କ ଦ୍ବିତୀୟ ପସନ୍ଦ ହେଉଥିବା ବରିଷ୍ଠ ଫାକଲଟିମାନେ ମତ ଦେଉଛନ୍ତି। ଚଳିତ ବର୍ଷ ମଧ୍ୟ ଏହି ଧାରା ବଜାୟ ରହିଛି। ନିୟମ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଉଭୟ ଏମବିବିଏସ ଏବଂ ପିଜି ପାଠ୍ୟକ୍ରମ ପାଇଁ ନାମଲେଖା ସମାପ୍ତ ହୋଇଯିବା ଉଚିତ। ମାତ୍ର ନିଟ୍ ପରୀକ୍ଷା ବିଳମ୍ବିତ ହୋଇଥିବାରୁ ଏହା ବିଳମ୍ବ ହେଉଛି। ପିଜି ପାଠ୍ୟକ୍ରମର ତୃତୀୟ ଏବଂ ସ୍ପଟ କାଉନସିଲିଂ ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ଆଦେଶକୁ ଅପେକ୍ଷା କରାଯାଇଛି।