ଭୁବନେଶ୍ବର: ୦.୫୦୦ ହେକ୍ଟର ଜମିରେ ୧୦୦ ଚାରା ଲାଗିଛି। ଭାଗନେଇଛନ୍ତି ୫୦୦୦ ବୃକ୍ଷ‌ପ୍ରେମୀ। ଅର୍ଥାତ୍‌ ୫୦ଜଣ ବୃକ୍ଷପ୍ରେମୀ ଗୋଟିଏ ଚାରା ରୋପଣ କରିଛନ୍ତି। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଜୁନ୍‌ ୫ ତାରିଖରେ ଭୁବନେଶ୍ବର ସର୍କଲ ଅଧୀନ ସିଟି ଫରେଷ୍ଟ ଡିଭିଜନ୍‌ର ଭୁବନେଶ୍ବର ସିଟି ରେଞ୍ଜ୍‌ରେ ଏଭଳି ବୃକ୍ଷ‌ରୋପଣ ହୋଇଛି। କେବଳ ଏହି ଗୋଟିଏ ଦିନ ନୁହେଁ, ସପ୍ତାହ ଯାକ ଭୁବନେଶ୍ବର ସିଟିରେ ଡିଭିଜନ୍‌ରେ ଯେତିକି ଚାରା ପୋତାଯାଇଛି ତାହାର ପାଖାପାଖି ୩ଗୁଣା ବୃକ୍ଷପ୍ରେମୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଡିଭିଜନ୍‌ ଅଧୀନ ଭୁବନେଶ୍ବର ସିଟି, ମଞ୍ଚେଶ୍ବର, ଫୁଲନଖରା ଓ କଟକ ରେଞ୍ଜ୍‌ର ୧୬.୩୬୯ ହେକ୍ଟର ଜମିରେ ୪,୬୦୩ଟି ଚାରା ଲଗାଯାଇଛି। ଯେଉଁଥିରେ ୧୨ ହଜାର ୭୨୦ଜଣ ସାମିଲ ହୋଇଥିଲେ।

Advertisment

ବନ ମହୋତ୍ସବ ସପ୍ତାହରେ ଭୁବନେଶ୍ବର ସିଟି ରେଞ୍ଜ୍‌ରେ ୨୭୦ଟି ଚାରା ଲଗାଯାଇଛି। ଯେଉଁଥିରେ ୫ହଜାର ୩୨୦ଜଣ ବୃକ୍ଷପ୍ରେମୀ ଅଂଶଗ୍ରହଣ କରିଥିଲେ। ଜୁଲାଇ ପହିଲାରୁ ୪ ତାରିଖ ମଧ୍ୟରେ ଗୋଟିଏ ବି ବୃକ୍ଷ‌ ଲଗାଯାଇ ନ ଥିଲା। ତେବେ ୫ରୁ ୭ ତାରିଖ ମଧ୍ୟରେ ଚାରାଗୁଡ଼ିକ ୧ ହେକ୍ଟର ଜମିରେ ରୋପଣ କରାଯାଇଛି। ୫ ତାରିଖରେ ରାଜ୍ୟସ୍ତରୀୟ ବନ ମହୋତ୍ସବ ଅନୁଷ୍ଠିତ ହେଉଥିବାରୁ ଏହି ଦିନ ୫ହଜାରରୁ ଅଧିକ ଲୋକ ସାମିଲ ହୋଇ ୦.୫୦୦ ହେକ୍ଟର ଜମିରେ ମାତ୍ର ୧୦୦ ଚାରା ଲଗାଇଛନ୍ତି। ୬ ତାରିଖରେ ୦.୨୭୨ ହେକ୍ଟର ଜମିରେ ୨୫୦ ଜଣ ୧୦୦ଟି ଚାରା ଲଗାଇଥିବା ବେଳେ ୭ ତାରିଖରେ ୭୦ ଜଣ ୦.୨୮୦ ହେକ୍ଟରରେ ୭୦ ଚାରା ରୋପଣ କରିଛନ୍ତି। ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ଚାରା ପୋତିବାକୁ ବନ ବିଭାଗ ସମେତ ବିଭିନ୍ନ ସାମାଜିକ ସଙ୍ଗଠନ, ସ୍ବେଚ୍ଛାସେବୀ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ସହର ମଧ୍ୟରେ ସେଭଳି ଜାଗା ଉପଲବ୍ଧ ହେଉ ନ ଥିବାରୁ ଏବେ ଜାଗା ସମସ୍ୟା ଦେଖାଦେଇଛି। ଖୋଲା ପଡ଼ିଆ ମିଳୁନି କି ରାସ୍ତା ପାର୍ଶ୍ବରେ ବୃକ୍ଷରୋପଣ ହୋଇପାରୁ ନାହିଁ।

ଭୁବନେଶ୍ବର ସିଟି ‌ଫରେଷ୍ଟ ଡିଭିଜନ୍‌ର ମଞ୍ଚେଶ୍ବର ରେଞ୍ଜ୍‌ରେ କେବଳ ୬ ତାରିଖରେ ୦.୧୩୦ ହେକ୍ଟର ଜମିରେ ୩୬୦ଜଣ ୧୬୦ଟି ଚାରା ଲଗାଇଛନ୍ତି। ତେବେ ଫୁଲନଖରା ରେଞ୍ଜ୍‌ରେ ସବୁଠାରୁ ଅଧିକ ହେକ୍ଟର ଜମିରେ ୨୯୯୩ଟି ଚାରା ଲଗାଯାଇଛି। ୯ଟି କାର୍ଯ୍ୟକ୍ରମରେ ୪,୬୩୫ଜଣ ବୃକ୍ଷପ୍ରେମୀ ସାମିଲ ହୋଇଥିଲେ। ଜୁନ୍‌ ୧, ୨ ଓ ୭ ତାରିଖରେ ଗୋଟିଏ ଲେଖାଏଁ କାର୍ଯ୍ୟକ୍ରମ ହୋଇଥିବା ବେଳେ ବାକି ୬ଟି କାର୍ଯ୍ୟକ୍ରମ ଜୁନ୍‌ ୬ ତାରିଖରେ ଅନୁଷ୍ଠିତ ହୋଇଥିଲା। କଟକ ରେଞ୍ଜରେ ୧୪୯୫ଜଣ ବୃକ୍ଷପ୍ରେମୀ ଭାଗନେଇ ୧୨୩୦ଟି ଚାରା ରୋପଣ କରିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗୋଟିଏ ପଟେ ଭୁବନେଶ୍ବର ସିଟି ଫରେଷ୍ଟ ଡିଭିଜନ୍‌‌ରେ ଜାଗା ଅଭାବରୁ ବୃକ୍ଷରୋପଣ ହୋଇପାରୁ ନ ଥିବା ବେଳେ ଚନ୍ଦକା ଡିଭିଜନ୍‌ରେ ବ୍ୟାପକ ହୋଇଛି। ଆଜି ଗୋଟିଏ ଦିନରେ ଚନ୍ଦକା ରେଞ୍ଜ୍‌ର ୧୮.୩୭୫ ହେକ୍ଟର ଜମିରେ ୩୦ଜଣ ବୃକ୍ଷପ୍ରେମୀ ୪୫୦ ଚାରା ରୋପଣ କରିଛନ୍ତି। ୬ ତାରିଖରେ ୬ଜଣ ବୃକ୍ଷପ୍ରେମୀ ୧୦.୩୭୧ ହେକ୍ଟର ଜମିରେ ୫୦୦ ଚାରା ପୋତିଛନ୍ତି। ଅନ୍ୟ ଦିନଗୁଡ଼ିକରେ ଭୁବନେଶ୍ବର-ଚନ୍ଦକା, ହଳଦିଆ, ଡମପଡ଼ା ଓ ଚନ୍ଦକା ରେଞ୍ଜ୍‌ଗୁଡ଼ିକରେ ମଧ୍ୟ ବ୍ୟାପକ ବୃକ୍ଷରୋପଣ କରାଯାଇଛି। ଯଦି ଦେଖାଯାଏ ଜୁଲାଇ ୧ରୁ ୮ ତାରିଖ ମଧ୍ୟରେ ଏହି ଡିଭିଜନ୍‌ ଅଧୀନରେ ଅନୁଷ୍ଠିତ ୩୦ଟି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ୨,୦୮୧ଜଣ ବୃକ୍ଷପ୍ରେମୀ ସାମିଲ ହୋଇ ୧୭୪୦ ଚା‌ରା ଲଗାଇଛନ୍ତି।
ପ୍ରକୃତି ପ୍ରେମୀଙ୍କ କହିବା କଥା ହେଉଛି, ଭୁବନେଶ୍ବର ସହରର ବିଭିନ୍ନ ରାସ୍ତାପାର୍ଶ୍ବ ଓ ଡିଭାଇଡର୍‌ରେ ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ ହୋଇସାରିଛି। ସହରର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ଗଛ କଟାଯାଉଛି। ଯେଉଁଠି ବି ଆଜି ବୃକ୍ଷରୋପଣ କରିବୁ ତାହା ବର୍ଷେ କି ଦୁଇ ବର୍ଷ ପରେ ବିକାଶମୂଳକ କାର୍ଯ୍ୟ ପାଇଁ କାଟିବାକୁ ପଡ଼ିବ। ଗଛ ଲଗାଇବା ଦ୍ବାରା ତାହାର କୌଣସି ଲାଭ ହେବ ନାହିଁ। ତେଣୁ ସହରବାସୀଙ୍କ ମଧ୍ୟରେ ଚାରା ଲଗାଇବାକୁ ଉତ୍ସାହ ଥିଲେ ମଧ୍ୟ ସ୍ଥାନ ଅଭାବରୁ ଅଧିକ ସଂଖ୍ୟାରେ ଲଗାଇବା ସମ୍ଭବପର ହେଉ ନାହିଁ।