ଭୁବନେଶ୍ବର: ଭିଏସ୍ଏସ୍ ନଗର ଗଡ଼େଶ୍ବର ହାଟରେ ଅଛନ୍ତି ୬୨୬ ବ୍ୟବସାୟୀ। ସର୍ଭେକୁ ନେଇ ଚାଲିଥିବା ଖେଳର ସମାପ୍ତି ପରେ ବିଏମ୍ସି ବିଧିବଦ୍ଧ ଭାବରେ ଏହି ୬୨୬ ଜଣ ବ୍ୟବସାୟୀଙ୍କ ତାଲିକା ସର୍ବସାଧାରଣରେ ପ୍ରକାଶ କରିଛି। ଏହି ତାଲିକାକୁ ନେଇ କାହାର କିଛି ଆପତ୍ତି ଥିଲେ ଆସନ୍ତା ଶୁକ୍ରବାର ସୁଦ୍ଧା ବିଏମ୍ସିକୁ ଅବଗତ କରିବାକୁ କୁହାଯାଇଛି। ତେବେ ଏହି ମାର୍କେଟ୍ ଦେଢ଼ ଏକର ଜାଗାରେ ରହିଥିଲା। ଏବେ ମାର୍କେଟ୍ ଦାୟିତ୍ବରେ ଥିବା ଡେପୁଟି କମିସନର ପ୍ରମୋଦ ପୃଷ୍ଟି ଏହି ମାର୍କେଟ୍ ପାଇଁ ଆଉ ୧ଏକର ୩୦୦ ଡିସିମିଲ ଜାଗା ଅଧିଗ୍ରହଣ କରିବାକୁ ବିଏମ୍ସିକୁ ପ୍ରସ୍ତାବ ଦେଇଛନ୍ତି। ଏହା ଉପରେ ମୋହର ବାଜିବାକୁ ଯାଉଛି। ପୂର୍ବରୁ ବିଭିନ୍ନ ମାର୍କେଟ୍ରେ ବ୍ୟବସାୟୀଙ୍କ ସଂଖ୍ୟା ଖେଳକୁ ନେଇ ଶ୍ରୀ ପୃଷ୍ଟି ଚର୍ଚ୍ଚାରେ ରହିଥିବା ବେଳେ ଏବେ ୧ଏକର ୩୦୦ ଡିସିମିଲି ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବ ଦେବା ପରେ ସେ ବିବାଦକୁ ଆସିଛନ୍ତି।
ଦୁଇବର୍ଷ ତଳେ ଏହି ହାଟର ଉନ୍ନତୀକରଣ ନେଇ ଯୋଜନା ହୋଇଥିଲା। ଏଣୁ ଏଠାରେ କେତେ ବ୍ୟବସାୟୀ ଅଛନ୍ତି ତାହାର ସର୍ଭେ କରିବାକୁ ବିଏମ୍ସି ଯୋଜନା କରିଥିଲା। ଯୋଜନା ଅନୁସାରେ ଉତ୍ତର ଜୋନ୍ ଜେଡ୍ଡିସି ପୁରନ୍ଦର ନନ୍ଦ ଏହାର ସର୍ଭେ କରି ବ୍ୟବସାୟୀଙ୍କ ସଂଖ୍ୟା ଓ ମାର୍କେଟ୍ର ଭିତ୍ତିଭୂମି ବାବଦରେ ବିଏମ୍ସିକୁ ରିପୋର୍ଟ ଦେଇଥିଲେ। ଏଥିରେ ସେ ୩୬୬ ଜଣ ବ୍ୟବସାୟୀ ଅଛନ୍ତି ବୋଲି ତାଲିକା ଦେଇଥିଲେ। ଯାହାକୁ ନେଇ ଭୟଙ୍କର ପରିସ୍ଥିତି ଉପୁଜିଥିଲା। ଗଡ଼େଶ୍ବର ହାଟ ବ୍ୟବସାୟୀ ସଂଘ ଏହାର ଘୋର ବିରୋଧ କରିଥିଲା। ଅଧିକାରୀ ଘଟଣାସ୍ଥଳକୁ ନ ଆସି ଘରେ ବସି ସର୍ଭେ କରିଛନ୍ତି। ସେଥିପାଇଁ ଅଧିକ ବ୍ୟବସାୟୀ ଥିଲେ ମଧ୍ୟ ଅଧିକାରୀ ଏତେ କମ୍ ପରିମାଣର ବ୍ୟବସାୟୀ ଦର୍ଶାଇଥିବା ସଂଘ ଅଭିଯୋଗ କରିଥିଲା। ଏଣୁ ଜେଡ୍ଡିସି ଶ୍ରୀ ନନ୍ଦଙ୍କର ତାଲିକାକୁ ବାତିଲ୍ କରି ଶ୍ରୀ ପୃଷ୍ଟି ଆଉ ଏକ ଟିମ୍ ଜରିଆରେ ସର୍ଭେ କରିଥିଲେ। ସର୍ଭେ କରିବା ପରେ ୬୨୬ ଜଣ ବ୍ୟବସାୟୀ ଥିବା ଦର୍ଶାଇଥିଲେ।
ପ୍ରଥମେ ଶ୍ରୀ ନନ୍ଦ ଦର୍ଶାଇଥିବା ୩୬୬ ଓ ଶ୍ରୀ ପୃଷ୍ଟି ଦର୍ଶାଇଥିବା ୬୨୬ ବ୍ୟବସାୟୀଙ୍କ ସଂଖ୍ୟାରେ ରହିଥିବା ୨୬୦ ଫରକ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପୁରନ୍ଦର ନନ୍ଦ ଭୁଲ୍ କରିଥିଲେ ନା ପ୍ରମୋଦ ପୃଷ୍ଟି ଭୁଲ୍ କଲେ ସେ ନେଇ ବିଏମ୍ସି କର୍ତ୍ତୃପକ୍ଷ ମଧ୍ୟ ଜାଣିବାକୁ ଚାହିଁ ନଥିଲେ। ପୁରନ୍ଦର ନନ୍ଦ ଯଦି ଠିକ୍ କରିଥିଲେ ତେବେ ଏତେ ପରିମାଣର ବ୍ୟବସାୟୀ ଆସିଲେ କେଉଁଠୁ? ଯଦି ଭୁଲ୍ କରିଥିଲେ ବା ୨୬୦ ଜଣ ବ୍ୟବସାୟୀଙ୍କ ବ୍ୟବସାୟ ବୁଡ଼ାଇ ଦେବାକୁ ବସିଥିଲେ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ହେବନି? ଏହାକୁ ବିଏମ୍ସି କର୍ତ୍ତୃପକ୍ଷ କାହିଁକି ଜାଣିବାକୁ ଚାହିଁଲେନି? ଏବେ ବି ଶ୍ରୀ ନନ୍ଦ ସର୍ଭେ କରି ଏହି ୩୬୬ ସଂଖ୍ୟା ବାହାର କରିଥିବା କହିଛନ୍ତି। ଅର୍ଥାତ୍ ସେ ଯଦି ଠିକ୍ କରିଛନ୍ତି ତେବେ ଶ୍ରୀ ପୃଷ୍ଟି(ଡିସି-ମାର୍କେଟ୍) ଭୁଲ କରିଛନ୍ତି କି? ସେଠାରେ ମୂଳ ବ୍ୟବସାୟୀଙ୍କ ବ୍ୟତୀତ ଅନ୍ୟ ଆଡ଼ୁ କିଛି ବ୍ୟବସାୟୀଙ୍କୁ ଆଣି ଥଇଥାନ ଯୋଜନା କରିଛନ୍ତି କି? ଯେଉଁଥିପାଇଁ ଆଉ ୧.୩ ଏକର ଜମି ଅଧିଗ୍ରହଣର ଆବଶ୍ୟକତା ପଡ଼ିଛି?
ଶ୍ରୀ ପୃଷ୍ଟିଙ୍କ ନାମରେ ପୂର୍ବରୁ ଏଭଳି ମାର୍କେଟ୍ ଓ ଭେଣ୍ଡିଂ ଜୋନ୍କୁ ନେଇ ବିବାଦ ରହିଛି। ୟୁନିଟ୍-୧ ହାଟରେ ବେଆଇନ ଭାବରେ ୫୦୭ ଜଣଙ୍କ ନାମରେ ବେଆଇନ ଭାବରେ ପିଣ୍ଡି ଦେଇ ଦେଇଥିବା ଅଭିଯୋଗ ରହିଛି। କମିସନର ଏହାର ତଦନ୍ତ କରୁଛନ୍ତି। ଏଣୁ ଏଠାରେ ମଧ୍ୟ ସେ ଏଭଳି କାରବାର କରିଥିବା ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ସେ କିଛି କହିବାକୁ ଚାହିନାହାନ୍ତି। ଜେଡ୍ଡିସି ପୁରନ୍ଦର ନନ୍ଦଙ୍କ ଉପରେ ଚାପ ରହିଥିବାରୁ ସେ ମଧ୍ୟ କିଛି କହିବାକୁ ଚାହିନାହାନ୍ତି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଗଡ଼େଶ୍ବର ହାଟ ବ୍ୟବସାୟୀ ସଂଘ। ସଂଘର ଲକ୍ଷ୍ମଣ ସାହୁ କହିଛନ୍ତି, ପ୍ରଥମରୁ ଏଠାରେ ୬୨୬ ଜଣ ବ୍ୟବସାୟୀ ଅଛନ୍ତି। ଦେଢ଼ ଏକର ଜାଗା ଏମାନଙ୍କ ପାଇଁ ଯୋଗାଇ ଦିଆଯାଇଛି। କିନ୍ତୁ ସେମାନେ ପ୍ରାୟ ୩ ଏକର ଜାଗାରେ ବସୁଛନ୍ତି। ୩୬୬ ଜଣ ତାଲିକା ଦେବା ବେଳେ ଆମେ ଅଭିଯୋଗ କରିଥିଲୁ। ସର୍ଭେ କରିବାକୁ ନ ଆସି ଅଫିସ୍ରେ ବସି ତାଲିକା ପ୍ରକାଶ କରିଥିବାରୁ ଉଚିତ୍ ଢଙ୍ଗରେ ସର୍ଭେ କରିବାକୁ ଆମେ ଦାବି କରିଥିଲୁ। ଦାବି ମୁତାବକ ସର୍ଭେ ହୋଇଥିଲା। ପ୍ରତି ବ୍ୟବସାୟୀଙ୍କର ତଥ୍ୟ ସଂଗ୍ରହ ହୋଇଥିଲା। ଠିକଣା, ଫୋନ୍ ନମ୍ବର ସହ କଣ ଓ କିଭଳି ବ୍ୟବସାୟ କରୁଛନ୍ତି ତାହାର ତାଲିକା ପ୍ରକାଶ ପାଇଛି। ଏଥିରେ କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/bmc-f.jpg)