କରୋନା ଲକ୍‌ଡାଉନ୍‌ ସହାୟତା ଭେଳିକି, ଖୋଲା ବଜାରରେ ଅଯୋଗ୍ୟ ହିତାଧିକାରୀଙ୍କ ପିଡିଏସ୍ ଚାଉଳ

ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମରେ ୭୯୦ ଜଣ ନୂଆ ହିତାଧିକାରୀ

ବାଲିଅନ୍ତା: କରୋନା ଲକ୍‌ଡାଉନ୍‌ ବେଳେ ପଞ୍ଚାୟତରେ ସମସ୍ୟା ସମାଧାନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ କ୍ଷମତା ପାଇବା ପରେ କିଛି ସରପଞ୍ଚ ମନମାନି ଚଳାଇଥିବା ନେଇ ଚର୍ଚ୍ଚା ହେଉଛି। ବାଲିଅନ୍ତା ବ୍ଲକର କିଛି ପଞ୍ଚାୟତରେ ଏହାର ଦୁରୁପଯୋଗ ହେଉଥିବା ନେଇ ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି। ତେଣୁ ଯେଉଁ ମହତ୍‌ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କଲେ, ତାହା ଏଠାରେ ସଫଳ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।୧୬ଟି ଯାକ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନେକ ପ୍ରକୃତ ହିତାଧିକାରୀ କରୋନା ଲକ୍‌ଡାଉନ୍‌ ସହାୟତା ପାଇବାରୁ ବଞ୍ଚିତ ହେବା ପରେ ଅସନ୍ତୋଷର ସ୍ବର ତୀବ୍ର ହୋଇଛି। ପିଡିଏସ୍‌ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ବାଲିଅନ୍ତା ବ୍ଲକରେ ସଦ୍ୟ ପ୍ରକାଶିତ ରାସନକାର୍ଡ ତାଲିକାରେ ୭୯୦ଜଣ ଲୋକଙ୍କ ନାମ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଲକ୍‌ଡାଉନ୍‌ ଭଳି ଦୁର୍ଦ୍ଦିନରେ ସରକାଙ୍କ ଏଭଳି ସହାୟତା ଅସଲ ହିତାଧିକାରୀଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି। କିନ୍ତୁ ଏହି ମଉକାରେ ବିଭିନ୍ନ ପଞ୍ଚାୟତରୁ ବହୁ ଅଯୋଗ୍ୟ ହିତାଧିକାରୀ ମଧ୍ୟ ରାସନକାର୍ଡ ହାତେଇ ନେଇଛନ୍ତି। ସେହିପରି ପୁରୁଣା ତାଲିକାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ଅଯୋଗ୍ୟ ହିତାଧିକାରୀମାନଙ୍କ ସଂଖ୍ୟା ବି ଢେର୍‌ ଅଧିକ।

ବଡ଼ କଥା ହେଉଛି, ଗରିବ ଲୋକଙ୍କ ଲାଗି ଉଦ୍ଦିଷ୍ଟ ପିଡିଏସ୍‌ ସାମଗ୍ରୀ ଯଥା ଚାଉଳ ଓ ଗହମ ଖୋଲା ବଜାରରେ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ବିକ୍ରି ହେଉଛି। ଏ ସଂପର୍କରେ ସ୍ଥାନୀୟ ଲୋକମାନେ ସରପଞ୍ଚଙ୍କୁ ଫୋନ୍‌ କରି ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ସରକଣା ଓ ବାଳକାଟି ବଜାରରେ ଏନେଇ ନିକଟ ଅତୀତରେ ଅପ୍ରୀତିକର ପରସ୍ଥିତି ସୃଷ୍ଟି ହୋଇଥିଲା। ତେଜରାତି ଦୋକାନୀ ଚଢ଼ା ଦରରେ ଚାଉଳ ବିକ୍ରି କରିବାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ବ୍ଲକ ଓ ତହସିଲ ପ୍ରଶାସନ ଘଟଣାର ତଦନ୍ତ କରି ପିଡିଏସ୍‌ ସାମଗ୍ରୀ ରଖୁଥିବା ଦୋକାନୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏଭଳି ଖୋଲା ବଜାରରେ ଅଯୋଗ୍ୟ ହିତାଧିକାରୀଙ୍କ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଚାଉଳ ବିକ୍ରି ହେଉଥିବା ଜଣାଯାଇଛି। ପ୍ରତାପରୁଦ୍ରପୁର ପଞ୍ଚାୟତ ଅଧୀନ ନୂଆସାହି ଗ୍ରାମର କରୁଣାକର ପରିଡ଼ା ଓ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ସୂଚନାନୁଯାୟୀ, ଉକ୍ତ ପଞ୍ଚାୟତରେ ସେବା ସମବାୟ ସମିତି ମଣ୍ଡିରେ ଶହେ ଦୁଇ ଶହ କୁଇଣ୍ଟାଲ ଧାନ ବିକ୍ରି କରୁଥିବା ଲୋକ ବି ରାସନ୍‌କାର୍ଡ ପାଇଛନ୍ତି। ଦୁଇ ତିନି ମହଲା ମାର୍ବଲ କୋଠାଘର ଥିବା ଅନେକ ମଧ୍ୟ ପିଡିଏସ୍‌ ସାମଗ୍ରୀ ହଡ଼ପ କରୁଛନ୍ତି। ଚାରିଚକିଆ କାର୍‌ ଚଢ଼ୁଥିବା ଲୋକ ବି ଅଛନ୍ତି। ଅନ୍ୟପକ୍ଷରେ ନୂଆସାହିର ପଞ୍ଚାନନ ମଲ୍ଲିକ ଭିନ୍ନକ୍ଷମ ହୋଇଥିଲେ ହେଁ ତାଙ୍କର କାର୍ଡ ନାହିଁ। ତାଙ୍କୁ ଲକ୍‌ଡାଉନ୍ ଚାଉଳ ସହାୟତା ମଧ୍ୟ ମିଳିନାହିଁ।

କାକରୁଦ୍ରପୁର ପଞ୍ଚାୟତର ବିଷ୍ଣୁପ୍ରିୟା ଦେଠୀ ନାମକ ଜଣେ ସାମାଜିକ କର୍ମୀଙ୍କ ମଧ୍ୟ ତାଙ୍କ ପଞ୍ଚାୟତ ସଂପର୍କରେ ସମାନ ପ୍ରତିକ୍ରିୟା ରଖିଛନ୍ତି। ସ୍ବେଚ୍ଛାସେବୀ ସନ୍ତୋଷ ବେହେରାଙ୍କ ସୂଚନାନୁଯାୟୀ, ପ୍ରତାପଶାସନ ପଞ୍ଚାୟତ ଅଧୀନ ମାହାଲ ସାହିର ଦୀନବନ୍ଧୁ ସାହୁ, ପ୍ରକାଶ ବେହେରା, କା‌ର୍ତ୍ତିକେଶ୍ବର ସାହୁ ଓ ମୋହନ ସାହୁଙ୍କ ନାମ ବାଦ୍ ପଡ଼ିଯିବା ପଞ୍ଚାୟତର ଦୁର୍ନୀତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସରକଣା ସରପଞ୍ଚ ସୂର୍ଯ୍ୟନାରାୟଣ ଦାସଙ୍କ କହିବାନୁଯାୟୀ, କିଛି ସ୍ଥାନରେ ଭୂତ କାର୍ଡଧାରୀଙ୍କୁ ରାସନ୍‌ ମିଳୁଥିବା ବେଳେ ନବବିବାହିତ ମହିଳା ଓ ତାଙ୍କ ପିଲାଙ୍କୁ ସାମିଲ କରାଯାଇନାହିଁ। ଅନ୍ୟ ସବୁ ପଞ୍ଚାୟତରେ ମଧ୍ୟ ସମାନ ଅବସ୍ଥା। ବାଟିକିଆ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ପିଡିଏସ୍‌ ସାମଗ୍ରୀ ନେଇଥିବା ଜଣାଯାଇଛି। ବ୍ଲକ୍‌ ଯୋଗାଣ ନିରୀକ୍ଷକ ଧୀରଜ କୁମାର ଭୂୟାଁଙ୍କ କହିବାନୁଯାୟୀ, ପୂର୍ବରୁ ‌ରାଜ୍ୟ ଯୋଜନାରେ ୧୧୬ଜଣ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ୨୩ହଜାର ୮୨୯ ଓ ୨୦୦୦ ହିତାଧିକାରୀଙ୍କୁ ଅନ୍ତୋଦୟ ଅନ୍ନ ଯୋଜନାରେ ପିଡିଏସ୍ ସାମଗ୍ରୀ ବଣ୍ଟନ କରାଯାଉଛି।

ସମ୍ବନ୍ଧିତ ଖବର