ଚଳଚ୍ଚିତ୍ର ସୁଟିଂ ପାଇଁ ଓଡ଼ିଶାରେ ବ୍ୟାପକ ସୁଯୋଗ ଅଛି: କିରଣ କୁମାର

କନକ ନ୍ୟୁଜ୍‌ ପକ୍ଷରୁ ଓଡ଼ିଶା ଆଞ୍ଚଳିକ ବ୍ୟବସାୟ ସପ୍ତାହ-୨୦୨୨

ଭୁବନେଶ୍ବର: ‌ଯେ କୌଣସି ବଡ଼ ଚଳଚ୍ଚିତ୍ର ସୁଟିଂ ପାଇଁ ଯାହା ଆବଶ୍ୟକ, ଓଡ଼ିଶାରେ ସେ ସବୁ ଅଛି। ଉତ୍କୃଷ୍ଟ ସ୍ଥାନ, ଭଲ ମଣିଷ, ବଡ଼ ହୋଟେଲ ସହ ସବୁପ୍ରକାର ଭିତ୍ତିଭୂମି ରହିଛି। ଖାଲି ଯାହା ମାର୍କେଟିଂର ଆବଶ୍ୟକତା ରହିଛି। ବିଶିଷ୍ଟ ବଲିଉଡ୍‌ ଅଭିନେତା କିରଣ କୁମାର ଏପରି ମତ ରଖିଛନ୍ତି। କନକ ନ୍ୟୁଜ୍‌ ପକ୍ଷରୁ ଆୟୋଜିତ ଓଡ଼ିଶା ଆଞ୍ଚଳିକ ବ୍ୟବସାୟ ସପ୍ତାହ-୨୦୨୨ର ତୃତୀୟ ଅଧିବେଶନରେ କନକ ନ୍ୟୁଜ୍‌ ପ୍ରଡ୍ୟୁସର ସ୍ବସ୍ତିକା ପଣ୍ଡାଙ୍କ ସହ ଆଲୋଚନାରେ ସେ ଏହା କହିଛନ୍ତି।

ଶ୍ରୀ କୁମାର କହିଥିଲେ, ଜଗନ୍ନାଥଙ୍କୁ ଦର୍ଶନ କରିବା ଇଚ୍ଛା ହିଁ ମୋତେ ଓଡ଼ିଶାକୁ ଟାଣି ଆଣିଛି। ପୂର୍ବରୁ ଏଠାରେ ଅଳ୍ପ ସୁଟିଂ କରିଛି। କିନ୍ତୁ ଅଧିକରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ର ଓଡ଼ିଶାରେ ସୁଟିଂ ହେଲେ ହୋଟେଲ, ପରିବହନ, ଖାଦ୍ୟ ବ୍ୟବସାୟୀଙ୍କୁ ବ୍ୟବସାୟ ମିଳିବା ସହ ସ୍ଥାନୀୟ କଳାକାରମାନଙ୍କୁ କାର୍ଯ୍ୟ କରିବାର ସୁଯୋଗ ମିଳିବ। ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଓଡ଼ିଶା ପାଇଁ ସରକାର ମାର୍କେଟିଂ କରନ୍ତୁ ବୋଲି ସେ କହିଥିଲେ। ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସଂପର୍କରେ ସେ କହିଥିଲେ ଯେ ଦମ୍‌ଦାର ଭୂମିକା ପାଇଁ ପ୍ରସ୍ତାବ ଆସିଲେ, ସେ ନିଶ୍ଚୟ ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବେ ବୋଲି କହିଥିଲେ।

ଏଥିପାଇଁ ପ୍ରାପ୍ୟ କୋହଳ କରିବା ସହିତ ଓଡ଼ିଆ ଭାଷା ଶିଖିବେ। ସେ ଆହୁରି କହିଥିଲେ, ମୋ ବାପା ‘ଜୀବନ’ ୬୧ଟି ଚଳଚ୍ଚିତ୍ରରେ ନାରଦ ମୁନି ଭୂମିକାରେ ଅଭିନୟ କରି ରେକର୍ଡ କରିଛନ୍ତି। ତାଙ୍କ ସହ ସୁଟିଂ ସ୍ଥଳକୁ ଯାଇ ଅଭିନୟ ପ୍ରତି ମୋ ଭଲ ପାଇବା ବଢ଼ିଥିଲା। ଆଜି ମୋର ଅଭିନୟ ନିଶା ମତେ କୋଣ-ଅନୁକୋଣ ବୁଲିବାର ସୁଯୋଗ ସହିତ ଅର୍ଥ ମଧ୍ୟ ଦେଉଛି। ମୁଁ ଜଣେ ବ୍ୟବସାୟୀ ନୁହେଁ, କିନ୍ତୁ ଦେଶର ସବୁ ଜନତା ମୋର ଗ୍ରାହକ। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଇଂରାଜୀରେ କାର୍ଯ୍ୟ କରିଛି। ଏତିକି କହିବି, ଓଟିଟି ଅଭିନୟକୁ ପ୍ରକୃତ ସୁଯୋଗ ଦେଇଛି। ଯେଉଁ ସୋ’ ନିଜ ଝିଅ ସହ ଦେଖି ହେବନାହିଁ, ସେ ପ୍ରକୃତ ଚଳଚ୍ଚିତ୍ର ନୁହେଁ। ଆଜି କେବଳ ୧୮ ବର୍ଷୀୟ ନୁହେଁ, ୭୦ ବର୍ଷୀୟ ବ୍ୟକ୍ତିଙ୍କୁ କେନ୍ଦ୍ର କରି କାହାଣୀ ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର