ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ସିଂହଭାଗ ରାଜସ୍ବ ଟିକସ ଓ ହୋର୍ଡିଂ ବିଜ୍ଞାପନରୁ ପାଉଛି। ହୋଲ୍ଡିଂ ଟିକସ ଓ ହୋର୍ଡିଂ ବିଜ୍ଞାପନରୁ ମାସିକ ପ୍ରାୟ ୧୦ କୋଟି ଟଙ୍କା ଆୟ କରୁଛି। କେବଳ ହୋର୍ଡିଂ ଆୟ ମାସିକ ପ୍ରାୟ ୨ କୋଟି ଟଙ୍କା। କିନ୍ତୁ ରାଜଧାନୀ ଭୁବନେଶ୍ବରରେ ହୋର୍ଡିଂ ଠକେଇ ନଜରକୁ ଆସିଛି। ଖୋଦ୍ ହୋର୍ଡିଂ ଲଗାଇବା ପାଇଁ ଅନୁମତି ପାଇଥିବା ଠିକା ସଂସ୍ଥାଙ୍କ ଅଭିଯୋଗର ତଦନ୍ତ ପରେ ଏହା ଜାଣିବାକୁ ପାଇଛି ବିଏମ୍‌ସି। ଖୋଳତାଡ଼ ଓ ପ୍ରତ୍ୟକ୍ଷ କ୍ଷେତ୍ର ଅନୁଧ୍ୟାନ ପରେ ୧୧୫୯ଟି ହୋର୍ଡିଂରୁ ୬୦୯ଟି ବେଆଇନ୍ ଭାବେ ଲାଗିଥିବା ଏବଂ ଏହାର କେହି ଦାବିଦାର ନ ଥିବା ଜଣାପଡ଼ିଛି। ଏହା ଜାଣିବା ପରେ ବିଏମ୍‌ସି ସ୍ବତନ୍ତ୍ର ସ୍କାଡ୍ ଗଠନ କରି ଏହାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି।

Advertisment

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଥିବା ସରକାରୀ ଜାଗାରେ ବିଜ୍ଞାପନ ହୋର୍ଡିଂ ଲଗାଇବା ପାଇଁ ଠିକାସଂସ୍ଥାକୁ ଟେଣ୍ଡର ଦିଆଯାଇଛି। ସେହିଭଳି ବେସରକାରୀ ଜାଗାରେ ହୋର୍ଡିଂ ଲଗାଇବା ପାଇଁ ବି ଭିନ୍ନ ଦର ଧାର୍ଯ୍ୟ ହୋଇଛି। ଏଥିପାଇଁ ଟେଣ୍ଡର ବି ହୋଇଛି। ହୋର୍ଡିଂ, କିଓସ୍କ, ବୁଲେଟିନ୍ ବିଜ୍ଞାପନ ପାଇଁ ଭିନ୍ନ ଦର ରହିଥିବା ବେଳେ ଏଲ୍ଇଡି ଡିସ୍‌ପ୍ଲେ ସ୍କ୍ରିନ୍ ବିଜ୍ଞାପନ ପାଇଁ ଭିନ୍ନ ଦର ଧାର୍ଯ୍ୟ ହୋଇଛି। ଜନପଥ ଅଞ୍ଚଳ ପାଇଁ ବିଜ୍ଞାପନ ଦର ଅଲଗା ରହିଛି। ସର୍ବାଧିକ ବିଜ୍ଞାପନ ଦର ଏଲ୍ଇଡି ଡିସ୍‌ପ୍ଲେ ସ୍କ୍ରିନ୍ ବାବଦରେ ନିଆଯାଉଛି। ନିକଟରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ବେସରକାରୀ ଜାଗାରେ ବିଜ୍ଞାପନ ଫଳକ ଲଗାଇବା ପାଇଁ ଅନୁମୋଦିତ ସଂସ୍ଥାମାନଙ୍କ ବକେୟା ଅର୍ଥ ପାଇଁ ହିସାବ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଜୁଲାଇ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ବସିଥିଲା। ବୈଠକରେ ବେସରକାରୀ ଜାଗାରେ ବିଜ୍ଞାପନ ଫଳକ ଲଗାଇବାକୁ ଟେଣ୍ଡର ନେଇଥିବା ଠିକାସଂସ୍ଥାମାନେ, ସେମାନଙ୍କ ଅନୁମୋଦନ ବିନା ବହୁ ଜାଗାରେ ହୋର୍ଡିଂ ଲାଗିଥିବା ଅଭିଯୋଗ ଆଣିଥିଲେ। ଏହାର ଯାଞ୍ଚ କରିବାକୁ ଦାବି କରିଥିଲେ। ଏହି ସଂସ୍ଥାମାନଙ୍କ ମତ ଅନୁସାରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସାଇବର୍ ସିଟି ରିପୋର୍ଟରେ ରହିଥିବା ହୋର୍ଡିଂ ସହ ଠିକା ସଂସ୍ଥାମାନଙ୍କର ପ୍ରଦତ୍ତ ହୋର୍ଡିଂର ମେଳକ କରାଯାଇଥିଲା। ମେଳକ ସହ ସଂପୂର୍ଣ୍ଣ ଯାଞ୍ଚ ପରେ ସାଇବର ସିଟି ରିପୋର୍ଟରେ ରହିଥିବା ୧୧୫୯ଟି ହୋର୍ଡିଂରୁ ୫୫୦ଟି ହୋର୍ଡିଂ ସେମାନଙ୍କର ବୋଲି ଠିକା ସଂସ୍ଥମାନେ ଦାବି କରିଥିଲେ। ବାକି ୬୦୯ଟି ହୋର୍ଡିଂ ସେମାନଙ୍କର ନୁହେଁ ବୋଲି କହିଥିଲେ। ଏହି ଦାବିହୀନ ହୋର୍ଡିଂର ଲାଇସେନ୍ସ ଫି’ ବାକି ରହିଥିବା ଠିକାସଂସ୍ଥାମାନେ ଦାବି କରିଥିଲେ। ଏଣୁ ଏହି ଦାବିହୀନ ହୋର୍ଡିଂଗୁଡ଼ିକୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତିକ୍ରମେ ଗତକାଲିଠାରୁ ବିଏମ୍‌ସି ଅଞ୍ଚଳରେ ବିନା ଅନୁମୋଦନରେ ଲାଗିଥିବା ବେଆଇନ୍ ହୋର୍ଡିଂ ହଟାଇବା ଅଭିଯାନ ଆରମ୍ଭ ହୋଇଛି। ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି, ଏଥିପାଇଁ ସ୍ବତନ୍ତ୍ର ସ୍କ୍ବାଡ୍ ନିୟୋଜିତ ହୋଇଛନ୍ତି। ଏମାନେ ବିଭିନ୍ନ ଅଞ୍ଚଳ ବୁଲି ବେଆଇନ୍ ହୋର୍ଡିଂ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୋ ହୋର୍ଡିଂ ଜୋନ୍‌ରେ ଲାଗିଥିବା ହୋର୍ଡିଂକୁ ବି ହଟାଯାଇଛି। ସ୍କାଡ୍ ସରକାରୀ ଜାଗା, ରାସ୍ତା ଡିଭାଇଡର୍, ବିଜୁଳି ଖୁଣ୍ଟ, ଗଛ ଆଦି ସ୍ଥାନରେ ଲାଗିଥିବା ହୋର୍ଡିଂ ଯାଞ୍ଚ କରି ହଟାଉଛନ୍ତି। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଏମ୍‌ସି କମିସନର୍ ଚଞ୍ଚଳ ରାଣା ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।