ପୁଲିସ ପାଇଁ ନିୟମ ନାହିଁ, ସଟ୍‌ଡାଉନ୍‌ରେ ଦୋକାନ ଖୋଲାଇ ପରିବା ନେଲେ

ବାଲିପାଟଣା: କରୋନା କଟକଣା ଦିନଠାରୁ ପୁଲିସକୁ ଅଖଣ୍ତ କ୍ଷମତା ମିଳି ଯାଇଛି। ସାଧାରଣ ଜନତା ଘରୁ ପଦାକୁ ବାହାରିଲେ ଜରିମାନା ଦେବା ସହ ଓ ତାଗିଦ ଶୁଣିବାକୁ ପଡ଼ୁଛି। ହେଲେ ପୁଲିସ ବାବୁଙ୍କ ପାଇଁ ନିୟମ ନଥିବା ପରି ଲାଗୁଛି। ଆଜି ସଟ୍‌ଡାଉନରେ ବାଲିପାଟଣା ଥାନା ଅଞ୍ଚଳରେ ଦୋକାନ ବଜାର ସବୁ ବନ୍ଦ ଥିଲା। ହେଲେ ଭୁବନେଶ୍ବର କମିସନରେଟ ପୁଲିସ କର୍ମଚାରୀମାନେ ଖୁଲମଖୁଲା ଦୋକାନ ଖୋଲି ଭୋଜି ପାଇଁ ପରିବା କିଣିଥିଲେ।

କମିସନରେଟ ପୁଲିସର ମୋବାଇଲ ଭ୍ୟାନରେ ଆସିଥିଲେ ୫/୬ ଜଣ ପୁଲିସ କର୍ମଚାରୀ। ଚଣାହାଟ ଛକ ପରିବା ଦୋକାନୀଙ୍କୁ ଫୋନରେ ଡକାଇ ଦୋକାନ ଖୋଲିଥିଲେ। ଦୋକାନ ଆଗରେ ପୁଲିସ୍‌ ଭ୍ୟାନ ଛିଡ଼ା କରି ଗୋଟିଏ ଅଟୋରେ ପରିବା ବୋଝେଇ କରୁଥିଲେ। ପଚାରିବାରୁ ଉତ୍ତର ମିଳିଥିଲା, ଖୋର୍ଦ୍ଧାରେ ଭୋଜି ଅଛି, ପରିବା ଯାଉଛି। ଅସୁବିଧା କେଉଁଠି ହେଲା? ସେ ସମୟରେ ବାଲିପାଟଣା ଭାରପ୍ରାପ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ ବନମାଳିପୁର ବଜାର ପଟୁ ଫେରୁଥିଲେ। ତାଙ୍କ ସରକାରୀ ଗାଡ଼ିରେ ସାଇରନ ଦେଇ ଦୋକାନ ବନ୍ଦ କରିବାକୁ ତାଗିଦ କରିଥିଲେ। ହେଲେ ସେ ଚାଲିଯିବା ପରେ ଦୀର୍ଘ ସମୟ ଧରି ଉକ୍ତ ପରିବା ଦୋକାନ ଖୋଲା ରହିଥିଲା। ଦୋକାନୀଙ୍କୁ ପୁଲିସ ବାବୁମାନେ ସୁରକ୍ଷା ଦେଉଥିଲେ। ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ମଧ୍ୟ ସେ ସମୟରେ ସେହି ବାଟ ଦେଇ ଯାଉଥିଲେ ମଧ୍ୟ କିଛି ନଦେଖିଲା ପରି ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର