କାର୍ଡ ଅଛି, ରାସନ୍‌ ଆଣିବାକୁ ଟଙ୍କା ନାହିଁ; ୮୪ ବର୍ଷରେ ବି ଦମ୍ଭ ଥିଲା, କରୋନା ଅଣ୍ଟା ଭାଙ୍ଗିଦେଲା

ଭୁବନେଶ୍ବର: ବୋଧେ ଛିଡ଼ା ହେବାକୁ ବଳ ପାଉନଥିଲା। ପାଉ ଥାଆନ୍ତା ବା କେମିତି, ଶୁଣିଲୁ ଯେ ସେଇ ବୃଦ୍ଧଙ୍କ ବୟସ ୮୪ ଛୁଇଁଲାଣି। ତାଙ୍କ ଦେହରୁ ଗମ୍‌ଗମ୍‌ ହୋଇ ଝାଳ ନିଗିଡ଼ି ପଡ଼ୁଥିଲା। ବସିଥିବା ଅବସ୍ଥାରେ ଗୋଟେ କୁରାଢ଼ି ଧରି କାଠ ଗଣ୍ଡି ଉପରେ ପାହାର ବସେଇ ଚାଲିଥିଲେ। ଝାପ୍‌ସା ଦିଶୁଥିବାରୁ କୁରାଢ଼ିର ଚୋଟ କାଠ ଉପରେ ତ ପୁଣି କେତେବେଳେ ମାଟି ଉପରେ ବସୁଥିଲା। ପାଖରେ ଆମେ ଗାଡ଼ି ଅଟକାଇବା ମ‌ାତ୍ରେ ସେ ସ୍ଥିର ହୋଇଯାଇ କହିଲେ, ଆଞ୍ଚ ନେବାକୁ ଆସିଛ କି? ଟିକେ ରୁହ ସରିଗଲାଣି। ମୁଁ ମନା କରିଦେବା ମାତ୍ରେ, ତାଙ୍କ ମୁହଁରେ ଉବୁକି ଉଠୁଥିବା ଖୁସିଟା‌ ଯେମିତି ଭାଙ୍ଗି ଚୂରମାର୍‌ ହୋଇଗଲା।

ବୃଦ୍ଧଙ୍କ ନାଁ’ ଲିଙ୍ଗରାଜ ପ୍ରଧାନ। ଦୀର୍ଘ ୫୪ ବର୍ଷ ତଳେ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମ୍‌ର ରାଜିପୁରରୁ ଭୁବନେଶ୍ବର ଚାଲି ଆସିଥିଲେ। ପ୍ରଥମେ ଏଇଠି ମୂଲ ଲାଗି ପେଟ ପୋଷୁଥିଲେ। ଯେବେ ଅଣ୍ଟାରୁ ବଳ ଖସିଗଲା ସେ ବୁଲିବୁଲି କାଠ ସଂଗ୍ରହ କରି ତାକୁ କାଟି ଛୋଟ ବିଡ଼ା କରି ହୋଟେଲ୍‌ରେ ବିକୁଥିଲେ। ସେଇଥିରେ ସେ ଓ ତାଙ୍କ ପତ୍ନୀ ପାର୍ବତୀ ପ୍ରଧାନ ଚଳି ଯାଉଥିଲେ। ମାତ୍ର କରୋନା ଆସିବା ପରେ ଯେବେ ହୋଟେଲ୍‌ ବନ୍ଦ ହୋଇଗଲା, ସ୍ବଳ୍ପ ରୋଜଗାରର ବାଟ ବି ବନ୍ଦ ହୋଇଗଲା। ଏବେ ବି ବାଣୀବିହାରସ୍ଥିତ ଆର୍‌ଟିଓ ଅଫିସ ନିକଟ ଫୁଟ୍‌ପାଥ୍‌ କଡ଼ରେ ପାଲ ଘରେ ସେ ଆଶ୍ରୟ ନେଇଛନ୍ତି। ଭାବିଥିଲେ ପୁଅ ବଡ଼ ହୋଇ ତାଙ୍କ ସାହାରା ହେବ। ମାତ୍ର ସବୁ ଆଶା ଚୂରମାର୍‌ ହୋଇଗଲା। ପୁଅ ଅନ୍ୟତ୍ର ଚାଲିଯାଇ ତା’ ପରିବାର ଦେଖିଲା। ଏଣେ ବୁଢ଼ା ବାପା’ ମା ୪୦ ବର୍ଷ ତଳେ ଯୋଉ ଝୁମ୍ପୁଡ଼ି କରି ରହୁଥି‌ଲେ, ଏବେ ବି ସେଇ ଝୁମ୍ପୁଡ଼ି ତଳେ ପଡ଼ି ରହିଲେ। ବିଡ଼ମ୍ବନା ଏହି ଯେ ଯେଉଁ ଜରି ପାଲ ତଳେ ବୃଦ୍ଧବୃଦ୍ଧା ରହୁଛନ୍ତି, ସେ ଘରେ ଛିଡ଼ା ହେବା ତ ଦୂରର କଥା, ବୁଲିପଡ଼ିଲେ ବି ଦେହ ବାଜିବ। ବର୍ଷା ହେଲେ ଘର କାଦୁଅ ପଚପଚ ହୋଇଯାଏ। ଜୋର୍‌ ବର୍ଷା ହେଲେ, ଘରର ମାଟି ଚଟାଣ ଶୁଖିବାକୁ ୮ଦିନ ଲାଗିଯାଏ।

ଦୁଃଖ ଏତିକିରେ ସରିଯାଇନାହିଁ। ଯଦିଓ ତାଙ୍କର ରାସନ କାର୍ଡ ଅଛି କିନ୍ତୁ ଆବଶ୍ୟକ ଅର୍ଥ ବେଳେବେଳେ ଯୋଗାଡ଼ି ପାରୁନାହାନ୍ତି ଏହି ବୃଦ୍ଧ ଦମ୍ପତି। କରୋନା ପ୍ରଭାବ ନଥିବା ପର୍ଯ୍ୟନ୍ତ ଏସବୁ ଦୁଃଖ ଭିତରେ ବି ତାଙ୍କ ପେଟ ଅପୋଷା ରହିନଥିଲା। ମାତ୍ର କରୋନା ଆସିବା ପରେ ଯେବେଠୁ ହୋଟେଲ୍‌ ବନ୍ଦ ହୋଇଛି ତାଙ୍କଠୁ ଆଉ କେହି ଜାଳ କି କାଠ ବିଡ଼ା କିଣୁନାହାନ୍ତି। ଏହା ତାଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଦେଇଛି। ଏବେ ବି ବୃଦ୍ଧ ଲିଙ୍ଗରାଜ ଆଖପାଖ ବୁଲିବୁଲି ଜାଳ ସଂଗ୍ରହ କରୁଥିବା ବେଳେ ବରଡ଼ାରୁ ଖଡ଼ିକା ବାହାର କରି ଖଡ଼ିକା ମୁଠା କରି ବିକୁଛନ୍ତି। ସେଇଥିରେ କଷ୍ଟେମଷ୍ଟେ ଚଳୁଛନ୍ତି। ଏମିତିକି ପାଲ ଖଣ୍ଡେ ପକାଇବାକୁ ବଳ ପାଉନାହିଁ। ଯାହା ଭତ୍ତା ପାଉଛନ୍ତି, ସେଇଥିରେ ଡାଲି, ତେଲ ଲୁଣ ଓ ଔଷଧ ଖର୍ଚ୍ଚ ଗଲା ପରେ କେବେ ପାଲ ଖଣ୍ଡେ ପାଇଁ ଟଙ୍କା ଯୋଗାଡ଼ି ପାରିନାହାନ୍ତି ଲିଙ୍ଗରାଜ। କହୁଛନ୍ତି, ନା ମରିପାରୁଛି ନା ବଞ୍ଚିପାରୁଛି। କରୋନା କେତେ କାହାକୁ ନେଇ ଯାଉଛି, ମତେ ହେଲେ ନେଇଯାଆନ୍ତା…।

ସମ୍ବନ୍ଧିତ ଖବର